ନୂଆଦିଲ୍ଲୀ : ମାଇକ୍ରୋ-ବ୍ଲଗିଂ ସାଇଟ୍ ଟ୍ବିଟରର ପ୍ରାୟ ୪୦ କୋଟି ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହୋଇଛି। ଏକ ଇସ୍ରାଏଲୀ ସାଇବର ଇଣ୍ଟଲିଜେନ୍ସ କମ୍ପାନି ହଡ଼ସନ ରକ୍ କହିଛି ଯେ ଜଣେ ହ୍ୟାକର ୪୦ କୋଟି ଟ୍ବିଟର ବ୍ୟବହାରକାରୀଙ୍କ ତଥ୍ୟ ଚୋରି କରିଥିବା ଦାବି କରିଛି। ସେ ଏହାକୁ ଡାର୍କ ୱେବ୍ରେ ବିକ୍ରି କରିବାକୁ ବସିଛି। କେବଳ ସେତିକି ନୁହେଁ, ଯେଉଁମାନଙ୍କ ତଥ୍ୟ ଚୋରି ହୋଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ଗୁଗଲ ସିଇଓ ସୁନ୍ଦର ପିଚାଇ, ଭାରତ ସରକାରଙ୍କ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ, ବଲିଉଡ୍ ଅଭିନେତା ସଲମାନ ଖାନ୍ ପ୍ରଭୃତି ହାଇପ୍ରୋଫାଇଲ ବ୍ୟବହାରକାରୀ।
ହଡ଼ସନ ରକ୍ର ରିପୋର୍ଟ ଅନୁସାରେ ଡାର୍କ ୱେବ୍ରେ ଯେଉଁ ତଥ୍ୟ ବିକ୍ରି ହେବାକୁ ବସିଛି, ତା’ ଭିତରେ ଅଛି ସମ୍ପୃକ୍ତ ବ୍ୟକ୍ତିଙ୍କ ଇମେଲ, ୟୁଜରନେମ୍, ଅନୁଗାମୀ ଓ ସେମାନଙ୍କ ଫୋନ୍ ନମ୍ବର।
ସୂଚନାଯୋଗ୍ୟ, ମାତ୍ର ଦୁଇମାସ ତଳେ ଏଲନ ମସ୍କଙ୍କ ଟ୍ବିଟରର ୫.୪ ନିୟୁତ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇଥିଲା। ଆୟର୍ଲାଣ୍ଡର ଡାଟା ପ୍ରୋଟେକ୍ସନ କମିସନ ଏହାର ତଦନ୍ତ କରୁଛି।
ହ୍ୟାକର ଜଣକ ଏଲନ ମସ୍କଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ‘‘ଆପଣ ଯଦି ଏ ପୋଷ୍ଟଟି ପଢ଼ୁଛନ୍ତି, ତେବେ ସ୍ମରଣ ରଖନ୍ତୁ ଆପଣ ଏହା ପୂର୍ବରୁ ୫.୪ ନିୟୁତ ଡାଟା ଲିକ୍ ପାଇଁ ଜିଡିପିଆର୍ ଫାଇନର ଶରବ୍ୟ ହୋଇଛନ୍ତି। ବର୍ତ୍ତମାନ ପୁଣି ୪୦୦ ନିୟୁତ (୪୦ କୋଟି) ତଥ୍ୟ ଲିକ୍ ପାଇଁ ଫେସ୍ବୁକ୍ (୫୩୩ ନିୟୁତ ବ୍ୟବହାରକାରୀଙ୍କ ଡାଟା ଲିକ୍ ପାଇଁ) ପରି ଫାଇନ ଦେବାକୁ ପଡ଼ିବ। ତେଣୁ ଆପଣଙ୍କୁ ମୋର ପରାମର୍ଶ ହେଉଛି ୨.୭୬ ନିୟୁତ ଡଲାର ଫାଇନ ଦେବା ବଦଳରେ ଆପଣ ହିଁ ଏହି ତଥ୍ୟ କ୍ରୟ କରନ୍ତୁ।’’
ଯେଉଁ ହାଇପ୍ରୋଫାଇଲ ବ୍ୟବହାରକାରୀଙ୍କ ତଥ୍ୟ ଲିକ୍ ହୋଇଛି, ସେମାନଙ୍କ ମଧ୍ୟରେ ଅଛନ୍ତି: ସୁନ୍ଦର ପିଚାଇ, ସ୍ପେସ୍-ଏକ୍ସ, ସଲମାନ ଖାନ୍, ଭାରତର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ଡୋନାଲ୍ଡ ଟ୍ରମ୍ପ ଜୁନିୟର, ନାସାର ଜେଡବ୍ଲୁଏସ୍ଟି ଆକାଉଣ୍ଟ, ଏନ୍ବିଏ ଇତ୍ୟାଦି।