କଂଗ୍ରେସ ଅଧ୍ୟକ୍ଷ ପଦବି ପାଇଁ ଡିସେମ୍ବର ୧୬ରେ ନିର୍ବାଚନ, ରାହୁଳଙ୍କୁ ଅଧ୍ୟକ୍ଷ କରିବା ପାଇଁ କାର୍ଯ୍ୟକାରିଣୀରେ  ସଙ୍କଳ୍ପ ଗୃହିତ

ନୂଆଦିଲ୍ଲୀ : ଗୁଜରାଟ ବିଧାନସଭା ପୂର୍ବରୁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ୍‌ ଗାନ୍ଧୀ ଦଳର ନେତୃତ୍ୱ ନେବେ। ଆଜି ବସିଥିବା କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ ଅଧ୍ୟକ୍ଷ ନିର୍ବାଚନର ସମସ୍ତ ଔପଚାରିକତା ପୂରଣ ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।ଏ ନେଇ ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବାସଭବନରେ ବସିଥିବା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ  କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କୁ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେବା  ପାଇଁ ଏକ ସଙ୍କଳ୍ପ ପାସ ହୋଇଛି।  ତେବେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନର ଔପଚାରିକତା  ରକ୍ଷା ପାଇଁ କଂଗ୍ରେସ ଅଧ୍ୟକ୍ଷା ଡିସେମ୍ବର ୧ ତାରିଖରେ   ଦଳର କେନ୍ଦ୍ରୀ ୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିବେ। ନିର୍ବାଚନ ପାଇଁ ମନୋନୟନ ପତ୍ର ଦାଖଲ ପାଇଁ ଡିସେମ୍ବର ୪ ତାରିଖକୁ ଦିନ ଧାର୍ଯ୍ୟ କରାଯିବ। ଡିସେମ୍ବର ୧୬ ତାରିଖରେ ଏଥିପାଇଁ ଭୋଟ୍‌ ଗ୍ରହଣ କରାଯାଇ  ୧୯ ତାରିଖରେ ଫଳାଫଳ ଘୋଷଣା କରାଯିବ। ଆଜିର ଏହି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନବେମାହନ ସିଂହ, ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାରଗେ, ଅହମ୍ମଦ ପଟେଲ ପ୍ରମୁଖ ଯୋଗ ଦେଇଥିଲେ।

ଯାହା କଂଗ୍ରେସ ମହଲରୁ ଜଣାଯାଇଛି, କଂଗ୍ରେସ ଉପାଧ୍ୟକ୍ଷ ରାହୁଲଗାନ୍ଧୀ  ଏହି ସର୍ବୋଚ୍ଚ ପଦବି ପାଇଁ  ଏକମାତ୍ର ପ୍ରାର୍ଥୀ ହୋଇ ପାରନ୍ତି ।ଯଦି ତାହା ହୁଏ ତେବେ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ। ତେଣୁ ଡିସେମ୍ବର ୫ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ପରେ ରାହୁଳଙ୍କୁ  ଦଳ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଘୋଷଣା କରାଯିବ।  ଫଳରେ ଡିସେମ୍ବର ୯ରେ ଆରମ୍ଭ ହେବାକୁ ଥିବା ଗୁଜରାଟ ନର୍ବାଚନ ପୂର୍ବରୁ ରାହୁଲ୍‌ ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳି ପାରନ୍ତି।

ସୂଚନାଯୋଗ୍ୟ ଯେ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ଅଧ୍ୟକ୍ଷ ଏମ୍‌. ରାମଚନ୍ଦ୍ରନ୍‌ ଏ ସମ୍ପର୍କରେ ବିସ୍ତତ କାର୍ଯ୍ୟସୂଚୀ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପ୍ରଦାନ କରଥିଲେ। ଗତବର୍ଷ ନଭେମ୍ବର ୭ରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ ସମସ୍ତ ସଦସ୍ୟ ରାହୁଲଙ୍କୁ ଦଳର ଅଧ୍ୟକ୍ଷ କରିବା ପାଇଁ ସୋନିଆଙ୍କୁ ଅବଗତ କରାଇଥିଲେ। ମାତ୍ର ନିର୍ବାଚନ ପ୍ରକ୍ରିୟାରେ ଏହାର କାର୍ଯ୍ୟାନ୍ଵୟନ ପାଇଁ ନିଜେ ରାହୁଲ ଜୋର୍‌ ଦେଇଥିବା କୁହାଯାଇଥିଲା। ଏବେ ଗୁଜରାଟ ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସର ସ୍ଥିତି ଅପେକ୍ଷାକୃତ ଭଲ ଥିବା ଅନୁଭବ କରି ଦଳର ବରିଷ୍ଠ ନେତାମାନେ ରାହୁଲଙ୍କ ମଙ୍ଗ ଧରିବା ସପକ୍ଷରେ ରହିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର