ବାପା ଲୁଡୁ ଖେଳରେ ଚାଲ୍‌ବାଜି କରିଥିବା ଅଭିଯୋଗ କରି ଅଦାଲତକୁ ଗ‌ଲା ଝିଅ!

ଭୋପାଳ: ବାପା ଲୁଡୁ ଖେଳରେ ଚାଲ୍‌ବାଜି କରିଥିବା ଅଭିଯୋଗ କରି ଜଣେ ୨୪ ବର୍ଷୀୟା ଝିଅ ଶନିବାର ଦିନ ଭୋପାଳ ପରିବାର ଅଦାଲତରେ ହାଜର ହୋଇଥିଲେ।

କରୋନାଭାଇରସ୍ ଲକ୍‌ଡାଉନ୍‌ ସମୟରେ ଭୋପାଳରେ ଘଟଣାଟି ଘଟିଥିଲା। ଅଭିଯୋଗକାରିଣୀ ଝିଅ, ତାଙ୍କର ଅନ୍ୟ ଦୁଇ ଭାଇଭଉଣୀ ଓ ବାପା ଲୁଡୁ ଖେଳରେ ମାତିଥିଲେ। ଲୁଡୁ ଖେଳରେ ବାପାଙ୍କ ଠାରୁ ଥରକୁ ଥର ହାରିଯିବା ପରେ ‌ତରୁଣୀଜଣକ ପରିବାର ଅଦାଲତରେ ହାଜର ହୋଇଥିଲେ। କାହିଁକି ଅଦାଲତକୁ ଆସିଛ ବୋଲି ପଚରାଯିବାରୁ ସେ କହିଲେ ଯେ, ସେ ବାପାଙ୍କୁ ବିଶ୍ବାସ କରନ୍ତି, ତେଣୁ ସେ ଚାଲବାଜି କରିବେ ବୋଲି ଆଶା କରୁ ନ ଥିଲେ।

ଖେଳରେ ହାରି ତରୁଣୀଜଣକ ବାପାଙ୍କ ପ୍ରତି ବୀତସ୍ପୃହ ହୋଇଉଠିଥିଲେ। ପରବର୍ତ୍ତୀ ଖେଳମାନଙ୍କରେ ବାପାଙ୍କ ଠାରୁ ଆହୁରି ବାଜି ହାରିବାରୁ ତାଙ୍କର ଅସନ୍ତୋଷ ବଢ଼ିଥିଲା। ମାମଲାର ସମାଧାନ ନିମନ୍ତେ ସମ୍ପ୍ରତି ତାଙ୍କ ପରିବାରବର୍ଗଙ୍କୁ କାଉନ୍‌ସେଲିଙ୍ଗ୍‌ ଦିଆଯାଉଛି।

Image Courtesy of The Print

ପରିବାର ଅଦାଲତ କାଉନ୍‌ସେଲର୍ ସରିତା ରଜନୀ କହନ୍ତି, ଜଣେ ୨୪ ବର୍ଷୀୟା ତରୁଣୀ ଆସି କହିଲେ କି, ସେ ତାଙ୍କର ଦୁଇ ଭାଇଭଉଣୀ ଓ ବାପାଙ୍କ ସଙ୍ଗରେ ଲୁଡୁ ଖେଳୁଥିବା ବେଳେ ବାପା ତାଙ୍କ ଗୋଟିଗୁଡ଼ିକୁ ମାରିଥିଲେ। ଏହା ବିଶ୍ବାସଘାତକତା ବୋଲି ତାଙ୍କର ମନେହେଉଛି।

ରଜନୀ ଆହୁରି ମଧ୍ୟ କହିଛନ୍ତି, ଆଜିକାଲି ପିଲାଏ ପରାଜୟ ସହ୍ୟ କରିବାକୁ ଅସମର୍ଥ ହେଉଥିବାରୁ ଏଭଳି ମାମଲା ଆସୁଛି। ସେମାନେ ପରାଜୟ ସ୍ବୀକାର ଶିକ୍ଷା କରିବା ଆବଶ୍ୟକ। ବିଜୟ ଯେତିକି ଗୁରୁତ୍ବପୂର୍ଣ୍ଣ ପରାଜୟ ମଧ୍ୟ ସେତିକି।

ଏଯାବତ୍ ସେ ୨୪ ବର୍ଷୀୟ ତରୁଣୀଙ୍କୁ ଚାରି ଥର କାଉନ୍‌ସେଲିଙ୍ଗ୍ ଦିଆଗଲାଣି ଏବଂ ତାଙ୍କର ମନୋଭାବ ସୁଧୁରୁଛି। ଏହାର ସକାରାତ୍ମକ ସମାଧାନ ହେବ ବୋଲି ଆମେ ଆଶାକରୁଛୁ।

ସମ୍ବନ୍ଧିତ ଖବର