ନୂଆଦିଲ୍ଲୀ: କର୍ଣ୍ଣାଟକରୁ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଏମିତି ସ୍ବତନ୍ତ୍ର ଘଟଣା ଖୁବ କମ ଘଟିଥାଏ। ସ୍ଥାନୀୟ ସେଣ୍ଟ୍ରାଲ୍ ପୁଲିସ ଷ୍ଟେସନରେ ସବ-ଇନ୍ସପେକ୍ଟର ଭାବେ ନିୟୋଜିତ ଥିବା ବାପା ଅବସର ଦିନ ନୂତନ ଭାବେ ସବ-ଇନ୍ସପେକ୍ଟର ଚାକିରିରେ ଯୋଗଦାନ କରିଥିବା ଝିଅକୁ ଦାୟିତ୍ବ ହସ୍ତାନ୍ତର କରି ଭାବବିହ୍ବଳ ହୋଇପଡ଼ିଥିଲେ । ଏହି ସ୍ବତନ୍ତ୍ର ମୁହୂର୍ତ୍ତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୂଚନାଯୋଗ୍ୟ, ଭେଙ୍କଟେଶ କର୍ଣ୍ଣାଟକର ମାଣ୍ଡ୍ୟାର ସେଣ୍ଟ୍ରାଲ ପୁଲିସ ଷ୍ଟେସନରେ ସବ-ଇନ୍ସପେକ୍ଟର ପଦରେ ନିୟୋଜିତ ଥିଲେ। ସେ ଗତ୧୬ବର୍ଷ ହେବ ଲୋକଙ୍କ ସେବା କରିବା ପରେ ଅବସର ନେଇଥିଲେ। ଗର୍ବର କଥା ହେଉଛି ଭେଙ୍କଟେଶ ଅବସର ନେବା ପରେ ତାଙ୍କ ସବ-ଇନ୍ସପେକ୍ଟର ପଦ ଝିଅ ବର୍ଷାଙ୍କୁ ମିଳିଥିଲା।
ବର୍ଷା ଗତବର୍ଷ ପିଏସଆଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପୁଲିସ ଚାକିରିରେ ଯୋଗ ଦେଇଥିଲେ । ଏବେ ସବ-ଇନ୍ସପେକ୍ଟର ବାପା ଓ ଝିଅଙ୍କ ଯୋଡ଼ିକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।
ବାପା ଭେଙ୍କଟେଶଙ୍କ ଠାରୁ ପ୍ରେରଣା ପାଇ ଝିଅ ବର୍ଷା ପୁଲିସ ବିଭାଗରେ ସାମିଲ ହେବାପାଇଁ ମନ କରିଥିଲେ। ୨୦୨୨ ବ୍ୟାଚରେ ସେ ପିଏସଆଇ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭେଙ୍କଟେଶଙ୍କର ସବ-ଇନ୍ସପେକ୍ଟର ଭାବେ ଚାକିରିର ଯେଉଁ ଦିନ ଶେଷ, ସେହିଦିନ ଝିଅ ବର୍ଷାଙ୍କୁ ବାପା ନିୟୋଜିତ ଥିବା ପୁଲିସ ଷ୍ଟେସନରେ ଜଏନ କରିବା ପାଇଁ ସୂଚନା ମିଳିଥିଲା। ଏହି ସୂଚନା ପାଇବା ପରେ ବର୍ଷା କିଛି ସମୟ ପାଇଁ ଖବରକୁ ବିଶ୍ବାସ କରି ପାରି ନଥିଲେ।
ପୁଲିସ ଷ୍ଟେସନରେ ବାପା ସବ-ଇନ୍ସପେକ୍ଟର ଭାବେ ନିଜେ ଯେଉଁ ଦାୟିତ୍ବ ନିର୍ବାହ କରୁଥିଲେ ତାହା ଝିଅଙ୍କ ହାତକୁ ଟେକି ଦେଇ ଖୁସିରେ ଭୋଭୋ ହୋଇ କାନ୍ଦି ପକାଇଥିଲେ। ଆଉ କହିଥିଲେ,‘ ଏହି ଖୁସି ପାଇ ଜୀବନରେ ମୁଁ ସବୁ କିଛି ପାଇ ଯାଇଛି। ମୋତେ ଆଉ କିଛି ଲୋଡାନାହିଁ। ଭଗବାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ।’