ବିଧାୟକ ବାପାଙ୍କ ବିରୋଧରେ ଅଭିଯୋଗ ଆଣିଲେ ଝିଅ

ଦଳିତଙ୍କୁ ବାହା ହେବାରୁ, ମାରିବାକୁ ଚେଷ୍ଟା କରାଯାଉଛି

ବରେଲି : ଉତ୍ତରପ୍ରଦେଶର ଜଣେ ବିଜେପି ବିଧାୟକଙ୍କ ବିରୋଧରେ ତାଙ୍କ ଝିଅ ଗୁରୁତର ଅଭିଯୋଗ ଆଣିଛନ୍ତି। ଜଣେ ଦଳିତଙ୍କୁ ବିବାହ କରିଥିବାରୁ ତାଙ୍କ ବାପା ତାଙ୍କୁ ଏବଂ ତାଙ୍କ ସ୍ବାମୀଙ୍କୁ ମାରିଦେବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ଏବଂ ଏନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ୨୩ ବର୍ଷୀୟା ସାକ୍ଷୀ ମିଶ୍ର ଉତ୍ତରପ୍ରଦେଶର ବରେଲି ଜିଲ୍ଲା ଅଧୀନସ୍ଥ ବିଥାରୀ ଚୈନପୁର ବିଧାୟକ ରାଜେଶ ମିଶ୍ରଙ୍କ ଝିଅ। ସା‌କ୍ଷୀ ତାଙ୍କ ବାପାଙ୍କ ଇଚ୍ଛା ବିରୋଧରେ ଅଜିତେଶ କୁମାର ନାମକ ଜଣେ ଦଳିତ ଯୁବକଙ୍କୁ ବିବାହ କରିଛନ୍ତି। କିନ୍ତୁ ନିଜ ସୁରକ୍ଷା ପାଇଁ ସେ ଏବେ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିଛନ୍ତି। ସୋସିଆଲ ମିଡିଆରେ ଏନେଇ ସେ ଏକ ଭିଡିଓ ପୋଷ୍ଟ୍‌ କରିଛନ୍ତି। ଜଣେ ଦଳିତଙ୍କୁ ବିବାହ କରିଥିବାରୁ ତାଙ୍କ ବାପା ତାଙ୍କ ପଛରେ ଗୁଣ୍ଡା ଲଗାଇ ଦେଇଛନ୍ତି ଏବଂ ତାଙ୍କୁ ମାରିଦେବାକୁ ଚେ‌ଷ୍ଟା କରୁଛନ୍ତି ବୋଲି ଏହି ଭିଡିଓରେ ସେ କହିଛନ୍ତି। ଏପରିକି ତାଙ୍କ ବାପାଙ୍କୁ ବରେଲିର କୌଣସି ବିଧାୟକ କିମ୍ବା ସାଂସଦ ସାହାଯ୍ୟ ନ କରିବାପାଇଁ ସେ ଅନୁରୋଧ କରିଛନ୍ତି। ତେବେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାପରେ ବିଧାୟକ ରାଜେଶ ମିଶ୍ର ଆଜି ଏବାବଦରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ସେ ତାଙ୍କ ଝିଅଙ୍କ ଇଚ୍ଛାକୁ ସମ୍ମାନ ଦେଉଛନ୍ତି। ତାଙ୍କ ତରଫରୁ କିମ୍ବା ତାଙ୍କ ପରିବାର ତରଫରୁ ଝିଅ ଉପରେ କୌଣସି ଚାପ ପକାଯାଉ ନାହିଁ କି ତା’ ଜୀବନ ପ୍ରତି ବିପଦ ନାହିଁ ବୋଲି ରାଜେଶ କହିଛନ୍ତି। କିନ୍ତୁ ସେ ‌କେବଳ ତାଙ୍କ ଝିଅ ବିବାହ କରିଥିବା ପିଲାର ବୟସ ଏବଂ ରୋଜଗାରକୁ ନେଇ ‌ଚିନ୍ତିତ ଥିଲେ। ପୁଅର ବୟସ ଝିଅଠାରୁ ୯ ବର୍ଷ ଅଧିକ। ପୁଅ ରୋଜଗାର କରୁନଥିବାରୁ ଜଣେ ବାପା ଭାବେ ମୁଁ ଏଥିପାଇଁ ଖୁବ୍‌ ବ୍ୟସ୍ତ ବୋଲି ରାଜେଶ କହିଛନ୍ତି। ଉକ୍ତ ଘଟଣାରେ ଏବେ ପୁଲିସ ହସ୍ତକ୍ଷେପ କରିଛି। ଡିଆଇଜି ଆକେ ପାଣ୍ଡେ କହିଛନ୍ତି, ସେ ଏହି ମାମଲା ଉପରେ ନଜର ରଖିଛନ୍ତି ଏବଂ ଏହି ଦମ୍ପତି ଚାହିଲେ ସେମାନଙ୍କୁ ଉପଯୁକ୍ତ ସୁରକ୍ଷା ‌ଯୋଗାଇ ଦିଆଯିବ।

ସମ୍ବନ୍ଧିତ ଖବର