ଝିଅ ମିଳିଲା; ମିଛ ଅପହରଣ ନାଟକ କରି ବିଜେପି ନେତା ଗିରଫ

କୋଲ୍‌କାତା: ଝିଅକୁ ଅପହରଣ କରି ନିଆଯାଇଛି ବୋଲି ଅଭିଯୋଗ କରିଥିବା ବୀରଭୂମ ଜିଲ୍ଲାର ଜଣେ ବିଜେପି ନେତାଙ୍କୁ ବେଙ୍ଗଲ ପୁଲିସ ଗିରଫ କରିଛି। ତାଙ୍କ ଝିଅ ଅପହରଣ ହୋଇଥିବା କଥା ପ୍ରଘଟ ହେବା ପରେ ତାଙ୍କ ସମର୍ଥକମାନେ ଶନିବାର ଦିନ ସ୍ଥାନୀୟ ତୃଣମୂଳ କଂଗ୍ରେସ ବିଧାୟକ ମନିରୁଲ୍‌ ଇସ୍‌ଲାମ୍‌ଙ୍କୁ ଗୋଡ଼ାଇବାରୁ ସେ ଥାନାରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ।

ବୀରଭୂମର ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ତନ୍ମୟ ସର୍କାର କହନ୍ତି: ଏଇଟା ଅପହରଣ ମାମଲା ନୁହେଁ। ନାଟକ କରାଯାଇଥିଲା। ମାଲଦା ଜିଲ୍ଲାର ଦାଲଖୋଲାରୁ ଆମେ ଝିଅକୁ ଉଦ୍ଧାର କରି ତା’ର ବାପା ତଥା ବିଜେପି ନେତା ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରିଛୁ। ଅପହରଣ ନାଟକ ଭିଆଇବା ଲାଗି ସହଯୋଗୀ ଦୁହେଁ ଯୋଜନା ଚୂଡ଼ାନ୍ତ କରିବାକୁ କିଛି ଦିନ ତଳେ ତାଙ୍କୁ ଭେଟିଥିଲେ।

ଗୁରୁବାର ଦିନ ୨୩ ବର୍ଷୀୟ ପ୍ରଥମା ବତବ୍ୟାଲ୍‌ ନାମ୍ନା ସ୍କୁଲ୍‌ ଶିକ୍ଷିକା ତଥା ବିଜେପି ନେତା ସୁପ୍ରଭାତ ବତବ୍ୟାଲ୍‌ଙ୍କ ଝିଅକୁ ବନ୍ଧୁକ ଦେଖାଇ ଲଭପୁରସ୍ଥିତ ତାଙ୍କ ଘରୁ ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଥିଲା।

ଏହି ମାମଲାରେ ଗିରଫ ବ୍ୟକ୍ତିମାନେ ହେଉଛନ୍ତି ବତବ୍ୟାଲ୍‌, ରାଜୁ ସର୍କାର ଏବଂ ଦୀପଙ୍କର ମଣ୍ଡଳ।

ସମ୍ବନ୍ଧିତ ଖବର