ଜଳଖିଆ ଦେବାରେ ବିଳମ୍ବ କରିବାରୁ ବୋହୂକୁ ଗୁଳିମାରି ହତ୍ୟା

ମୁମ୍ବାଇ: ଜଳଖିଆ ଦେବାରେ ବିଳମ୍ବ ଯୋଗୁଁ ବୋହୂକୁ ଗୁଳିମାରିଲେ ଶ୍ୱଶୁର | ମହାରାଷ୍ଟ୍ରରେ ଏଭଳି ଏକ ସଂଗୀନ ମାମଲା ସାମ୍ନାକୁ ଆସିଛି | ଯେଉଁଠାରେ ଜଣେ ବ୍ୟକ୍ତି ତାଙ୍କ ବୋହୂକୁ ଗୁଳି କରି ହତ୍ୟା କରିଥିଲେ | ଗୁଳି ମାରିବା ପରେ ଏବେ ଅଭିଯୁକ୍ତ ଶ୍ୱଶୁର ଫେରାର ଥିବାବେଳେ ପୁଲିସ ତାଙ୍କୁ ଧରିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛି। ଏହି ମାମଲା ମହାରାଷ୍ଟ୍ରର ଥାନେ ଜିଲ୍ଲାର ରାବୋଡି ଅଞ୍ଚଳରେ ଘଟିଛି। ପରିବାର ସଦସ୍ୟ ଅଭିଯୁକ୍ତଙ୍କ ବିରୋଧରେ ରାବୋଡି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସର ସୂଚନାନୁସାରେ, ଅଭିଯୁକ୍ତ କାଶୀନାଥ ପାଣ୍ଡୁରାଙ୍ଗ ପାଟିଲ(୭୬) ଜଣେ ବ୍ୟବସାୟୀ।

ଗୁରୁବାର ଦିନ ତାଙ୍କ ବୋହୂ ୪୨ ବର୍ଷୀୟ ସୀମା ରାଜେନ୍ଦ୍ର ପରିବାର ପାଇଁ ସକାଳ ଜଳଖିଆ ପ୍ରସ୍ତୁତ କରୁଥିଲେ। ଜଳଖିଆରେ ସାମାନ୍ୟ ବିଳମ୍ବ ଯୋଗୁଁ ଶ୍ୱଶୁର କାଶୀନାଥ ପାଣ୍ଡୁରାଙ୍ଗ ପାଟିଲ ଏତେ ମାତ୍ରାରେ ରାଗିଯାଇଥିଲେ ଯେ ସେ ତାଙ୍କ ସର୍ଭିସ ରିଭଲଭରରୁ ବୋହୂଙ୍କ ଉପରକୁ ଗୁଳି ଚଳାଇଥିଲେ | ଗୁଳିଟି ସୀମାଙ୍କ ପେଟରେ ବାଜିଥିବାବେଳେ ସଙ୍ଗେ ସଙ୍ଗେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲା।

ପ୍ରାୟ ୨୦ ଘଣ୍ଟା ଧରି ଜୀବନ ସହ ସଂଗ୍ରାମ କରିବା ପରେ ଶେଷରେ ସୀମାଙ୍କର ମୃତ୍ୟୁ ହୋଇଥିଲା। ପରିବାର ପକ୍ଷରୁ ଅଭିଯୋଗ ପାଇବା ପରେ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ପୁଲିସ ଟିମ୍ ଗଠନ କରିଛି। ଆଇପିସି ଏବଂ ଆର୍ମସ୍ ଆକ୍ଟର ଧାରା ୩୦୭ (ହତ୍ୟା ଉଦ୍ୟମ) ଏବଂ ୫୦୬ (ଅପରାଧିକ ଧମକ) ଅନୁଯାୟୀ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର