କରୋନା ଆକ୍ରାନ୍ତ ଶ୍ବଶୁରଙ୍କୁ କାନ୍ଧେଇ ହସ୍ପିଟାଲରେ ପହଞ୍ଚିଲେ ବୋହୂ

‌ଗୌହାଟୀ : ଥୁଳେଶ୍ବର ଦାସ। ବୟସ ପାଖାପାଖି ୭୫ ବର୍ଷ ହେବ। ପୁଅ ସୂରଜ ରାଜ୍ୟ ବାହାରେ କାମ କରି ମାସକୁ ମାସ ପଇସା ପଠାନ୍ତି। ଘରେ ସେ ଓ ତାଙ୍କ ବୋହୂ ନୀହାରିକା। ତେଣୁ ଥୁଳେଶ୍ବରଙ୍କ ଦେଖାରଖା ସହ ପରିବାରର ସବୁ କାମ ନୀହାରିକାଙ୍କ କାନ୍ଧରେ। କିଛି ଦିନ ତଳେ ଥୁଳେଶ୍ବର କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡ଼ିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଇବା ଜରୁରୀ ହୋଇପଡ଼ିଲା। ଏପରିସ୍ଥଳେ କାଳବିଳମ୍ବ ନ କରି ନୀହାରିକା ଶ୍ବଶୁରଙ୍କୁ ନିଜ କାନ୍ଧରେ ବୋହି ବୋହି ନିକଟସ୍ଥ ହସ୍ପିଟାଲକୁ ନେଇଯାଇଥିଲେ। ଆସାମର ରାହା ଜିଲ୍ଲା ଭାଟିଗାଁର ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ନୀହାରିକାଙ୍କ ଏହି ଉଦ୍ୟମକୁ ଦେଶସାରା ଲୋକେ ଭୁରି ଭୁରି ପ୍ରଶଂସା କରୁଛନ୍ତି।

ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ନୀହାରିକାଙ୍କ ପରୀକ୍ଷା କରାଯିବାରୁ ସେ ବି କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତେଣୁ ସେଠାକାର ଡାକ୍ତର ନୀହାରିକାଙ୍କୁ ଗୃହ ସଂଗରୋଧରେ ରହିବା ପାଇଁ ପରାମର୍ଶ ଦେବା ସହ ଥୁଳେଶ୍ବରଙ୍କୁ ଜିଲ୍ଲା କୋଭିଡ୍‌ କେୟାର ସେଣ୍ଟର୍‌ରେ ଭର୍ତ୍ତି କରାଇବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ଶ୍ବଶୁରଙ୍କୁ ଏକା ଛାଡ଼ିବା ପାଇଁ ନୀହାରିକାଙ୍କ ମନ ବୁଝିଲା ନାହିଁ। ତେଣୁ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସଂଗୀତା ଧର ଓ ସ୍ବାସ୍ଥ୍ୟକର୍ମୀ ପିଣ୍ଟୁ ହୀରା ଉଭୟଙ୍କର ପ୍ରାଥମିକ ଚିକିତ୍ସା କରାଇ ଏକ ଆମ୍ବୁଲାନ୍ସ ଜରିଆରେ ଫୁକାନନୀ ସିଭିଲ୍‌ ହସ୍ପିଟାଲ ପଠାଇଥିଲେ।

ଉଲ୍ଲେଖଯୋଗ୍ୟ, କରୋନା ମଣିଷ ସହ ସମାଜରୁ ମାନବିକତାକୁ ମାରି ଦେଉଛି। କିନ୍ତୁ ଏପରିସ୍ଥଳେ ନୀହାରିକାଙ୍କ ତାଙ୍କ କରୋନା ଆକ୍ରାନ୍ତ ଶ୍ବଶୁରଙ୍କ ପ୍ରତି ଦାୟିତ୍ବ ଓ କର୍ତ୍ତବ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର