ଦୁଃଖଦ ଘଟଣା: ବାପାଙ୍କ ଜୁଇ ଉପରକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲା ଝିଅ

ବର୍ମେର: ରାଜସ୍ଥାନର ବର୍ମେରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବାପାଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର କରାଯାଇଥିଲା। ଆଉ ଏହି ସମୟରେ ଝିଅ ବାପାଙ୍କ ଜୁଇକୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।

୭୩ବର୍ଷୀୟ ଦାମଦୋରଦାସ ଶରଦାଙ୍କୁ କିଛିଦିନ ତଳେ ଜ୍ବର ହୋଇଥିଲା। କରୋନା ପରୀକ୍ଷା କରିବାରୁ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ବର୍ମେର ଜିଲ୍ଲାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଥିଲା। ଦାମଦୋରଦାସଙ୍କ ତିନି ଝିଅ ଥିବା ବେଳେ କିଛିଦିନ ତଳେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଯାଇଥିଲା।

ତେବେ ଦାମଦୋରଦାସ ଶରଦାଙ୍କ ମୃତ୍ୟୁ ହେବାପରେ ଏ ଖବର ତାଙ୍କ ତିନି ଝିଅଙ୍କୁ ଦିଅଯାଇଥିଲା। ବାପାଙ୍କ ମୃତ୍ୟୁ ଖବର ଶୁଣି ସାନ ଝିଅ ଚନ୍ଦ୍ର ଶାରଦା ପୂରାପୂରି ଭାଙ୍ଗି ପଡ଼ିଥିଲେ। ବାପାଙ୍କୁ ବାହୁନି ବାହୁନି କାନ୍ଦିକାନ୍ଦି ଚେତାଶୂନ୍ୟ ହୋଇପଡ଼ୁଥିଲେ। ଯେତେବେଳେ ବାପାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା କେହି କିଛି ବୁଝିବା ପୂର୍ବରୁ ସେ ଦାମଦୋରଦାସଙ୍କ ଜୁଇକୁ ଡେଇଁ ପଡ଼ିଥିଲେ।

ସଙ୍ଗେସଙ୍ଗେ ଘଟଣାସ୍ଥଳରେ ଥିବାଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଚନ୍ଦ୍ର ଶାରଦାଙ୍କୁ ଯୋଦ୍ଧପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚନ୍ଦ୍ରଙ୍କ ଶରୀର ୭୦ପ୍ରତିଶତ ପୋଡ଼ି ଯାଇଥିବା ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର