ଭୋପାଳରେ ଅଭାବନୀୟ ଘଟଣା : ମା’ଙ୍କୁ ମ‌ାରିବାରୁ ବାପାଙ୍କୁ ହତ୍ୟା କଲା ଝିଅ, ପୁଲିସ ଡାକି ଆତ୍ମସମର୍ପଣ କଲା

ଭୋପାଳ : ଭୋପାଳରେ ଏକ ଅଭାବନୀୟ ଘଟଣା ଘଟିଛି। ବାପା ମଦ ପିଇ ସବୁବେଳେ ଘରେ ଅଶାନ୍ତି ସୃଷ୍ଟି କରୁଥିବାରୁ ଏବଂ ମା’ଙ୍କୁ ମାରପିଟ କରୁଥିବାରୁ ଝିଅ ବାପାଙ୍କୁ ମାରି ଦେଇଛି। ଖାଲି ସେତିକି ନୁହେଁ ବାପାଙ୍କୁ ମାରିବାପରେ ସେ ପୁଲିସକୁ ଫୋନ୍‌ କରି ସବୁକିଛି ଜଣାଇଥିଲା ଏବଂ ପୁଲିସରେ ଆତ୍ମସମର୍ପଣ କରିଥିଲା। ୧୬ ବର୍ଷୀୟା ଉକ୍ତ ନାବାଳିକା ଜଣଙ୍କ ନିଜ ପିତାଙ୍କୁ ଏକ ବ୍ୟାଟ୍‌ରେ ପିଟି ମାରିଥିବା ଜଣାପଡ଼ିଛି। ବେରାସିଆ ଏସ୍‌ପି କେକେ ବର୍ମାଙ୍କ କହିବା ଅନୁଯାୟୀ ଝିଅର ମାଡ଼ରେ ପ୍ରାଣ ହରାଇଥିବା ଉକ୍ତ ବ୍ୟକ୍ତି କିଛି କାମ କରୁନଥିଲେ। ବଡ଼ ପୁଅ ଯାହା ରୋଜଗାର କରୁଥିଲା ସେସବୁ ସେ ଖର୍ଚ୍ଚ କରିଦେଉଥିଲେ।

ତେବେ ଗତକାଲି ସନ୍ଧ୍ୟାରେ ଏହି ୪୫ ବର୍ଷୀୟ ବ୍ୟକ୍ତି ମଦ ପିଇ ଆସି ଘରେ ହଙ୍ଗାମା କରିଥିଲେ। ପରିବାର ଲୋକେ ବଡ଼ ପୁଅର ବିବାହ ବିଷୟରେ ଆଲୋଚନା କରୁଥିବାବେଳେ ବ୍ୟକ୍ତି ଜଣଙ୍କ ଝଗଡ଼ା ଆରମ୍ଭ କରିଦେଇଥିଲେ। ଏହା ପରେ ସେ ପତ୍ନୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ତାଙ୍କ ନାବାଳିକା ଝିଅ କ୍ରୋଧାନ୍ବିତ ହୋଇ ଲୁଗା ସଫା ପାଇଁ ବ୍ୟବହାର ହେଉଥିବା ଏକ ବ୍ୟାଟ୍‌ ଦ୍ବାରା ତାଙ୍କ ବାପାଙ୍କ ମୁଣ୍ଡକୁ ଖୁବ୍‌ ଜୋର ପିଟିଦେଇଥିଲେ। ବାପା ତଳେ ପଡ଼ିଯାଇଥିଲେ ମଧ୍ୟ ଝିଅ ତାଙ୍କୁ ଲଗାତାର ଭାବେ ପିଟି ଚାଲିଥିଲେ। ଶେଷରେ ସେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିବା ଜଣାପଡ଼ିଛି। ବାପା‌ ମରିଯିବା ପରେ ଝିଅ ୧୦୦ ନମ୍ବର୍‌କୁ ‌ଫୋନ୍‌ କରିଥିଲେ ଏବଂ ସେ ହିଁ ତାଙ୍କ ବାପାଙ୍କୁ ହତ୍ୟା କରିଛନ୍ତି ବୋଲି ଜଣାଇଥିଲେ।

ସମ୍ବନ୍ଧିତ ଖବର