ଝିଅ ବାହାଘର ମାଗଣା!: ଅସ୍ଥାନାଙ୍କ ଅଡ଼ୁଆ ବଢ଼ିଚାଲିଛି

oଋଣ ଖିଲାପକାରୀଙ୍କଠାରୁ ଫାଇଦା ନେଇଥିଲେ o ୪ଟି ହୋଟେଲରୁ ମିଳିଲା ତଥ୍ୟ

ନୂଆଦିଲ୍ଲୀ: ସିବିଆଇରେ ଚାଲିଥିବା ଆଭ୍ୟନ୍ତରୀଣ କଳହ ଏବେ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ଏବଂ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କ ମଧ୍ୟରେ ଚାଲିଥିବା ଏହି ଲଢ଼େଇ ସିବିଆଇର ଗରିମା ପ୍ରତି ଶକ୍ତ ଧକ୍କା ହୋଇଛି। ସିବିଆଇରେ ନମ୍ବର ୨ ସ୍ଥାନରେ ଥିବା ରାକେଶ ଅସ୍ଥାନାଙ୍କ ଝିଅ ବାହାଘର ୨୦୧୬ରେ ହୋଇଥିଲା। ଏହି ବିବାହ ଗୁଜରାଟର ଭଦୋଦରାରେ ହୋଇଥିବା ବେଳେ ଏଥିରେ ହୋଇଥିବା ଖର୍ଚ୍ଚକୁ ନେଇ ଅନେକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ସିବିଆଇ ଏହି ମାମଲାରେ ପ୍ରାୟ ୧୨ ଜଣଙ୍କୁ ଜେରା କରିସାରିଛି। ଏହା ସହିତ ୪ଟି ହୋଟେଲ ମଧ୍ୟ ଏ ବାବଦରେ ତଥ୍ୟ ପ୍ରଦାନ କରିଛନ୍ତି। ହୋଟେଲଗୁଡ଼ିକରୁ ମିଳିଥିବା ତଥ୍ୟ ଏବଂ ସିବିଆଇ ଦ୍ବାରା ଦିଆଯାଇଥିବା ଦସ୍ତାବିଜରୁ ଜଣାପଡ଼ିଛି ଯେ ଅନେକ ହୋଟେଲ ଅସ୍ଥାନା ପରିବାରକୁ ମାଗଣାରେ ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି। ଏହା ବ୍ୟତୀତ ଭୋଜି ପାଇଁ କ୍ୟାଟରିଂ ଏବଂ ଅନ୍ୟ ସେବା ପାଇଁ ମଧ୍ୟ ଚେକ୍‌ ଏବଂ କ୍ରେଡିଟ୍‌ କାର୍ଡରେ ପ୍ରାପ୍ୟ ପ୍ରଦାନ କରାଯାଇଛି। ଏହି ମାମଲାର ତଦନ୍ତ ଅତିରିକ୍ତ ନିର୍ଦ୍ଦେଶକ ଏ କେ ଶର୍ମାଙ୍କ ନେତୃତ୍ବରେ କରାଯାଉଛି । ଯେଉଁ ହୋଟେଲର ନାମ ସାମ୍ନାକୁ ଆସିଛି ସେଥିରେ ଲକ୍ଷ୍ମୀ ବିଳାସ ପ୍ୟାଲେସ, ହୋଟେଲ ଏକ୍ସପ୍ରେସ୍‌ ଟାୱର୍ସ, ସନ୍‌ସିଟି କ୍ଲବ୍‌ ଆଣ୍ଡ୍‌ ରିସୋର୍ଟସ ଏବଂ ସୂର୍ଯ୍ୟ ପ୍ୟାଲେସ ହୋଟେଲ ସାମିଲ ଅଛି। ତଦନ୍ତ ବେଳେ ୫ ହଜାର କୋଟି ଟଙ୍କା ଋଣ ଖିଲାପ କରିଥିବା ଚେତନ ସନ୍ଦେସରାଙ୍କ ସହିତ ଅସ୍ଥାନାଙ୍କ ସଂପୃକ୍ତି ମଧ୍ୟ ପଦାକୁ ଆସିଛି। ଚେତନଙ୍କ ଆର୍ଥିକ ଅପରାଧ ମାମଲାର ତଦନ୍ତ ମଧ୍ୟ ସିବିଆଇ କରୁଛି। ଅସ୍ଥାନାଙ୍କ ଝିଅ ବାହାଘର ସମୟରେ ସନ୍ଦେସରାଙ୍କୁ ସବିଆଇ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିନଥିଲା।
ମିଳିଥିବା ଦସ୍ତାବିଜ ମୁତାବକ ଅସ୍ଥାନାଙ୍କ ଝିଅର ବିବାହ ଉପଲକ୍ଷେ ସଂଗୀତ କାର୍ଯ୍ୟକ୍ରମ ଭଦୋଦରା ସ୍ଥିତ ସନ୍ଦେସରାଙ୍କ ଫାର୍ମ ହାଉସ୍‌ରେ ହୋଇଥିଲା। ଏହି କାର୍ଯ୍ୟକ୍ରମ ପାଇଁ ହୋଟେଲ ଏକ୍ସପ୍ରେସ୍‌ ଟାୱର୍ସ କ୍ୟାଟରିଂ ଯୋଗାଇ ଦେଇଥିଲା। ଏଥିପାଇଁ କୌଣସି ଅର୍ଥ ନିଆଯାଇନଥିବା ଜଣାପଡ଼ିଛି। ଏହା ସମ୍ମାନ ପ୍ରଦର୍ଶନପୂର୍ବକ କରାଯାଇଥିଲା ବୋଲି କୁହାଯାଇଛି। ତେବେ ଅସ୍ଥାନାଙ୍କ ନିକଟ ସଂପର୍କୀୟ କହିଛନ୍ତି ଯେ ହୋଟେଲ କେବଳ କିଛି ସର୍ଭିସ୍‌ ଷ୍ଟାଫ୍‌ ଯୋଗାଇଥିଲା ଏବଂ କ୍ୟାଟରିଂ ମନିଷ ଠକ୍କର କରିଥିଲେ। ଠକ୍କରଙ୍କୁ ଚେକ୍‌ରେ ତାଙ୍କ ପ୍ରାପ୍ୟ ପ୍ରଦାନ କରାଯାଇଛି। ସିବିଆଇର ଦସ୍ତାବିଜ ମୁତାବକ ବିବାହ ପାଇଁ ସାଜସଜ୍ଜା ସମେତ ଅନ୍ୟ କେତେକ ସେବା ପାଇଁ ଠକ୍କରଙ୍କୁ ୯.୫୫ ଲକ୍ଷ ଏବଂ ୮ ଲକ୍ଷ ଟଙ୍କାର ଦୁଇଟି ପେମେଣ୍ଟ କରାଯାଇଥିଲା। ବିବାହ ୨୫ ନଭେମ୍ବରରେ ଲକ୍ଷ୍ମୀ ବିଳାସ ପ୍ୟାଲେସରେ ହୋଇଥିଲା। ପ୍ୟାଲେସ ପକ୍ଷରୁ କୁହାଯାଇଛି ଯେ ସେମାନେ ଅସ୍ଥାନା ପରିବାର ସହ ରହିଥିବା ସଂପର୍କ ଦୃଷ୍ଟିରୁ ସମ୍ମାନପୂର୍ବକ ଏହି ସେବା ଯୋଗାଇ ଦେଇଥିଲେ। ବିବାହ ପାଇଁ ଖାଦ୍ୟପେୟ ଭଦୋଦରାର ସବୁଠାରୁ ପୁରୁଣା ପଂଚତାରକା ହୋଟେଲ ଦି ଗ୍ରାଣ୍ଡ୍‌ ମର୍କ୍ୟୁର ସୂର୍ଯ୍ୟ ପ୍ୟାଲେସରେ ବ୍ୟବସ୍ଥା ହୋଇଥିଲା ଏବଂ ଏ ବାବଦରେ ପ୍ରାପ୍ୟ ପ୍ରଦାନ ନେଇ କୌଣସି ଦସ୍ତାବିଜ ମିଳିନାହିଁ। ଅସ୍ଥାନାଙ୍କ ପତ୍ନୀ ବିବାହ ଉତ୍ସବକୁ ଆସିଥିବା ପ୍ରାୟ ୧୨ ଶହ ଅତିଥିଙ୍କ ପାଇଁ ୧୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବା କୁହାଯାଉଛି। ବିବାହ ଉତ୍ସବ ପାଇଁ ଅସ୍ଥାନା ପରିବାର ଯେଉଁ ବିଏମ୍‌ଡବ୍ଲ୍ୟୁ ଏବଂ ହୋଣ୍ଡା ସିଆର୍‌ଭି କାର୍‌ ବ୍ୟବହାର କରିଥିଲେ ତାହା ଚେତନ ସନ୍ଦେସରାଙ୍କ ପରିବହନ ସହଯୋଗୀ ସଂଦୀପ ବରୋଟ ଉପଲବ୍ଧ କରାଇଥିଲେ ବୋଲି ସିବିଆଇ ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର