ଭବାନୀପୁର ମାଟିର ଝିଅ, ନିଶ୍ଚୟ ଜିତିବି: ପ୍ରିୟଙ୍କା

ନୂଆଦିଲ୍ଲୀ : ‘ନନ୍ଦିଗ୍ରାମ ଆସନରେ ମମତା ପରାଜିତ ହୋଇ ସାରିଛନ୍ତି। ମୁଖ୍ୟମନ୍ତ୍ରୀ ଆସନକୁ ସୁରକ୍ଷିତ ରଖିବା ପାଇଁ ସେ ଏବେ ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ହେଲେ ଭବାନୀପୁର ବିଧାନସଭା କ୍ଷେତ୍ରର ଭୋଟରମାନଙ୍କ ନିକଟରେ ମୋର ବାର୍ତ୍ତା ପହଞ୍ଚି ସାରିଛି। ଭବାନୀପୁର ମାଟିରେ ମୋର ଜନ୍ମ। ନିର୍ବାଚନ ପରବର୍ତ୍ତୀ ହିଂସାରେ ସଂପୃକ୍ତ ତୃଣମୂଳ ସମର୍ଥକଙ୍କ ବର୍ବରତା ନେଇ ଭବାନୀପୁର ଭୋଟର ଅବଗତ ଅଛନ୍ତି। ତେଣୁ ସେମାନେ ମୋତେ ଭୋଟ୍‌ ଦେବେ ଏବଂ ମମତାଙ୍କୁ ପ୍ରତ୍ୟାଖ୍ୟାନ କରିବେ’ ବୋଲି କହିଛନ୍ତି ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବେରୱାଲ।

ଭବାନୀପୁର ଉପନିର୍ବାଚନରେ ଆଇନଜୀବୀ ପ୍ରିୟଙ୍କା ତିବେରୱାଲଙ୍କୁ ବିଜେପି ଆଜି ପ୍ରାର୍ଥୀ ଘୋଷଣା କରିବା ପରେ ତାଙ୍କ ପ୍ରଥମ ପ୍ରତିକ୍ରିୟାରେ ସେ ଏଭଳି ମତ ରଖିଛନ୍ତି। ଅନେକ ବଡ଼ ବଡ଼ ନେତାଙ୍କୁ ଭବାନୀପୁର ଉପନିର୍ବାଚନରେ ପ୍ରାର୍ଥୀ କରିବାକୁ ଦଳ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲେ ହେଁ ସମସ୍ତେ ମନା କରି ଦେଇଥିଲେ। ଶେଷରେ ପ୍ରିୟଙ୍କାକୁ ପ୍ରାର୍ଥୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସେ ଜଣେ ନିର୍ଭୀକ ନେତା, ସୁବକ୍ତା, କଠିନ ପରିଶ୍ରମୀ ହୋଇଥିବା ସେ ମମତାଙ୍କୁ ନିଶ୍ଚିତ ଭାବେ ପରାସ୍ତ କରିବେ ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି। ପ୍ରିୟଙ୍କା ପୂର୍ବତନ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ କୋଲକାତା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ନିକଟରେ ସେ ଏହି ମାମଲାରେ ବିଜୟୀ ହୋଇଛନ୍ତି। ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ୍‌ ସୁପ୍ରିୟଙ୍କ ଆଇନ ପରାମର୍ଶଦାତା ଥିଲେ। ଗତ ବିଧାନସଭା ନିର୍ବାଚନରେ ଏଣ୍ଟାଲି ବିଧାନସଭା ‌ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ। ତୃଣମୂଳ କଂଗ୍ରେସର ସ୍ବର୍ଣ୍ଣମଳ ଶାହାଙ୍କଠାରୁ ବହୁ ଭୋଟ୍‌ ବ୍ୟବଧାନରେ ପରାଜିତ ହୋଇଥିଲେ। ପ୍ରିୟଙ୍କା ୨୦୧୪ ମସିହାରେ ବିଜେପିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର