୫୦ ବର୍ଷୀୟା ମା’ ପାଇଁ ଟ୍ବିଟର୍‌ରେ ବର ଖୋଜୁଛି ଝିଅ

ନୂଆଦିଲ୍ଲୀ : ଭାରତୀୟ ସମାଜରେ ପ୍ରତ୍ୟେକ ମା’ର ସ୍ବପ୍ନ ଥାଏ ନିଜ ଝିଅ ପାଇଁ ଭଲ ବର ସନ୍ଧାନ କରିବା, ଯିଏକି ତା’କୁ ଖୁସି ଓ ଶାନ୍ତିରେ ରଖିପାରିବ। କିନ୍ତୁ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟର୍‌ ମାଧ୍ୟମରେ ଜଣେ ଝିଅ ନିଜ ୫୦ ବର୍ଷୀୟା ମା’ଙ୍କ ପାଇଁ ୫୦ ବର୍ଷୀୟ ଉତ୍ତମ ବର ସନ୍ଧାନରେ ଅଭିଯାନ ଚଳାଇବା ଚର୍ଚ୍ଚାର ବିଷୟ ପାଲଟିଛି । ଟ୍ବିଟର୍‌ରେ ମା-ଝିଅଙ୍କ ସୁନ୍ଦର ଫଟୋ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଫଟୋଠାରୁ ଅଧିକ ଆକର୍ଷଣ ପାଲଟିଛି ଏହାର କ୍ୟାପ୍‌ସନରେ ଲେଖାଯାଇଥିବା ବାର୍ତ୍ତା। ଏହାକୁ ଟ୍ବିଟର୍‌ ବ୍ୟବହାରକାରୀ ବିପୁଳ ସମର୍ଥନ ଦେଇଛନ୍ତି। ଟ୍ବିଟର୍‌ରେ ଆସ୍ଥା ବର୍ମା ନାମ୍ନୀ ଜଣେ ଯୁବତୀ ନିଜ ମା’ଙ୍କ ଫଟୋ ପୋଷ୍ଟ୍‌ କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି ତାଙ୍କ ୫୦ ବର୍ଷୀୟା ମା’ଙ୍କ ପାଇଁ ସେ ଉପଯୁକ୍ତ ବରପାତ୍ର ସନ୍ଧାନରେ ଅଛନ୍ତି। ବରର ଯୋଗ୍ୟତାକୁ ନେଇ ସେ କେତେକ ସର୍ତ୍ତ ରଖିଛନ୍ତି। ଆସ୍ଥାଙ୍କ ପୋଷ୍ଟ୍‌ ମୁତାବକ ବର ଶୁଦ୍ଧ ଶାକାହାରୀ ହେବା ସହ ମଦ୍ୟପାନ କରୁନଥିବେ ଏବଂ ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ ଥିବେ। ଆସ୍ଥାଙ୍କ ଟ୍ବିଟର୍‌ ପ୍ରୋଫାଇଲ୍‌ରୁ ଜଣାପଡ଼ିଛି ଯେ ସେ ଜଣେ ଆଇନ ଛାତ୍ରୀ। ଆସ୍ଥା ମା’ଙ୍କ ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ‌ବର ଖୋଜିବା ପରେ ଆସ୍ଥାଙ୍କ ପୋଷ୍ଟ୍‌ ଅନେକ ଲୋକଙ୍କୁ ଭାବପ୍ରବଣ କରିଦେଇଛି ଏବଂ ତାଙ୍କ ମା’ଙ୍କ ପାଇଁ ଅନେକ ବ୍ୟକ୍ତି ବର ସଂକ୍ରାନ୍ତରେ ପରାମର୍ଶ ଦେଇଛନ୍ତି। ଅନେକ ଆଶାୟୀ ସେମାନଙ୍କ ବିବାହ ପ୍ରସ୍ତାବ ମଧ୍ୟ ରଖିଛନ୍ତି। ଆସ୍ଥା ଏହି ଟ୍ବିଟ୍‌ ୩୧ ଅକ୍ଟୋବର ରାତିରେ କରିଥିଲେ। ଏହାର କିଛି ସମୟ ପରେ ହିଁ ଏହା ଭାଇରାଲ ହୋଇଥିଲା। ଅନ୍ୟପକ୍ଷରେ ଟ୍ବିଟର୍‌ରେ ଅନନ୍ତ ଜୈନ ନାମକ ଜଣେ ଯୁବକ ତାଙ୍କ ପିତାଙ୍କ ପାଇଁ ମଧ୍ୟ କନ୍ୟା ଖୋଜିବା ଅଭିଯାନ ଆରମ୍ଭ କରିବା ଚର୍ଚ୍ଚାରେ ରହିଛି।

ସମ୍ବନ୍ଧିତ ଖବର