ନୂଆଦିଲ୍ଲୀ : ଆଜି ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନାମାଙ୍କନପତ୍ର ଦାଖଲ କରିବେ। ନାମାଙ୍କନପତ୍ର ଦାଖଲ ପାଇଁ ଗୁରୁବାର ଦିନ ଦିଲ୍ଲୀରେ ପହଞ୍ଚିଛନ୍ତି ଶ୍ରୀମତୀ ମୁର୍ମୁ। ଆଇଜିଆଇ ବିମାନ ବନ୍ଦରରେ ସେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, ଜି. କିଷନ ରେଡ୍ଡି, ଅର୍ଜୁନ ମୁଣ୍ଡା, ଅର୍ଜୁନ ରାମ ମେଘୱାଲ, ବୀରେନ୍ଦ୍ର କୁମାର, ବିଜେପି ସାଂସଦ ମନୋଜ ତିୱାରୀ ଓ ରମେଶ ବିଦୁରୀ ପ୍ରମୁଖଙ୍କ ସହିତ ଆଲୋଚନା କରିଥିଲେ।
/sambad/media/post_attachments/wp-content/uploads/2022/06/d-m10-300x195.jpg)
ଶ୍ରୀମତୀ ମୁର୍ମୁଙ୍କୁ ସମସ୍ତ ପ୍ରକାର ସହଯୋଗ ଓ ସହାୟତା ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଷନ ରେଡ୍ଡିଙ୍କୁ ଦାୟିତ୍ବ ନ୍ୟସ୍ତ କରାଯାଇଛି। ଦିଲ୍ଲୀରେ ପହଞ୍ଚିବା ପରେ ସେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ସାଉଥ୍ ବ୍ଲକ୍ସ୍ଥିତ ଅଫିସରେ ସାକ୍ଷାତ କରିଥିଲେ। ଉଭୟଙ୍କ ଭେଟଘାଟକୁ ନେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି। ମୋଦୀ ଲେଖିଛନ୍ତି, ଶ୍ରୀମତୀ ମୁର୍ମୁଙ୍କ ପ୍ରାର୍ଥୀତ୍ବକୁ ସମଗ୍ର ଦେଶରେ ସମର୍ଥନ ମିଳୁଛି। ସମାଜର ତୃଣମୂଳ ସ୍ତରରେ ସମସ୍ୟାକୁ ସଠିକ ଭାବେ ହୃଦୟଙ୍ଗମ କରିଥିବା ଶ୍ରୀମତୀ ମୁର୍ମୁ ଦେଶର ଉନ୍ନତି ପାଇଁ ତାଙ୍କର ଦୂରଦୃଷ୍ଟି ବେଶ ଗୁରୁତ୍ବପୂର୍ଣ୍ଣ।
/sambad/media/post_attachments/wp-content/uploads/2022/06/m13-2-300x193.jpg)
ପରେ ସେ ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଅପରାହ୍ନରେ ଓଡ଼ିଶା ନିବାସରେ ପହଞ୍ଚିଥିଲେ। ବିଜେପି ସାଂସଦ ଜୁଏଲ ଓରାମ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶା ଭବନର ମୁଖ୍ୟମନ୍ତ୍ରୀଙ୍କ ସୁଟ୍ରେ ଶ୍ରୀମତୀ ମୁର୍ମୁ ଅବସ୍ଥାନ କରୁଛନ୍ତି। ଶ୍ରୀମତୀ ମୁର୍ମୁ ଓଡ଼ିଶା ଭବନରେ ମଧ୍ୟାହ୍ନ ଭୋଜନ କରିଥିଲେ। ବିନା ପିଆଜ ଓ ରସୁଣରେ ଭୋଜନ ପ୍ରସ୍ତୁତ କରାଯାଇଥିଲା। ଏଥିରେ ଭାତ, ଡାଲି, ଦହିବୁନ୍ଦି, କଲରା ଚିପ୍ସ, ଭେଣ୍ଡିଭଜା ଓ ସନ୍ତୁଳା ଥିଲା। ବିଳମ୍ବିତ ଅପରାହ୍ନରେ ଶ୍ରୀମତୀ ମୁର୍ମୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉପରାଷ୍ଟ୍ରପତି ଏମ. ଭେଙ୍କୟା ନାଇଡ଼ୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହା ପରେ ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଥିଲେ।
/sambad/media/post_attachments/wp-content/uploads/2022/06/d-m11-300x184.jpg)
ଆଜି ସେ ସଂସଦ ଭବନସ୍ଥିତ ରାଜ୍ୟସଭା ମହାସଚିବଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିବେ। ସୂଚନା ମୁତାବକ ନାମାଙ୍କନପତ୍ର ଦାଖଲ ଅବସରରେ ଏନ୍ଡିଏ ପକ୍ଷରୁ ଶକ୍ତି ପ୍ରଦର୍ଶନ କରାଯିବ। ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ କରୁଥିବା କେତେକ ଅଣଏନ୍ଡିଏ ସଦସ୍ୟ ମଧ୍ୟ ଆଜିର ନାମାଙ୍କନ ଦାଖଲ ସମାରୋହରେ ଉପସ୍ଥିତ ରହିବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ସଭାପତି ଜେପି ନଡ୍ଡା ଶ୍ରୀମତୀ ମୁର୍ମୁଙ୍କ ପ୍ରସ୍ତାବକ ରହିଛନ୍ତି।
/sambad/media/post_attachments/wp-content/uploads/2022/06/d-m14-1-300x189.jpg)
ଗୁରୁବାର ଦିନ ତମାମ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ସିଂ ଯୋଶୀଙ୍କ ବାସଭବନରେ ନାମାଙ୍କନପତ୍ରରେ ପ୍ରସ୍ତାବକ ଓ ଅନୁମୋଦନକାରୀଙ୍କ ସ୍ବାକ୍ଷର କରିବା ଔପଚାରିକତା ଜାରି ରହିଥିଲା। ଅନ୍ୟ ପକ୍ଷରେ ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା ଚଳିତ ମାସ ୨୭ରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/droupadi-murmu-1a.jpg)