ଜେଲ୍‌ରେ ଡେଭିଡ୍‌ ହେଡ୍‌ଲିକୁ ପ୍ରାଣାନ୍ତକ ଆକ୍ରମଣ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ଅଭିଯୁକ୍ତ ଡେଭିଡ୍‌ ହେଡ୍‌ଲି ଉପରେ ଆମେରିକାର ସିକାଗୋସ୍ଥିତ ଏକ ଜେଲ୍‌ରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ତା’ର ଅବସ୍ଥା ଏବେ ସଂକଟାପନ୍ନ ରହିଛି। ସିକାଗୋର ଏକ ଡାକ୍ତରଖାନାରେ ସେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାଯାଇଛି। ଜୁଲାଇ ୮ ତାରିଖରେ ଜେଲ୍‌ରେ ଦୁଇଜଣ କଏଦୀ ତା’ ଉପରେ ଆକ୍ରମଣ କରିଥିଲେ।
ଉଲ୍ଲେଖଯୋଗ୍ୟ, ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ପାଇଁ ହେଡ୍‌ଲି ଜଣେ ଗୋପନ ଏଜେଣ୍ଟ ଭାବେ କାମ କରୁଥିଲା। ମୁମ୍ବାଇ ଆକ୍ରମଣ ପାଇଁ ସେ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲା ଏବଂ ପାକିସ୍ତାନରେ ଲସ୍କରର ତାଲିମ ଶିବିରରେ ଭାଗନେଇଥିଲା। ହେଡ୍‌ଲି ୨୦୦୬ ସେପ୍ଟେମ୍ବରରୁ ୨୦୦୮ ଜୁଲାଇ ମଧ୍ୟରେ ଭାରତକୁ ୫ ଥର ଆସିଥିଲା। ମୁମ୍ବାଇର କେଉଁ ସ୍ଥାନରେ ଆକ୍ରମଣ କରାଯିବ, ତାହାର ଫଟୋ ଉଠାଇଥିଲା। ପାକିସ୍ତାନ ଯାଇ ସେସବୁ ବିଷୟରେ ଆଲୋଚନା କରିଥିଲା। ତେବେ ୨୦୧୩ ଜାନୁଆରି ୨୪ରେ ଆମେରିକାର ସଂଘୀୟ ଅଦାଲତ ମୁମ୍ବାଇ ଆକ୍ରମଣ ମାମଲାରେ ହେଡ୍‌ଲିକୁ ଦୋଷୀ ସାବ୍ୟସ୍ତ କରି ୩୫ ବର୍ଷ କାରାଦଣ୍ଡାଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର