ପାକିସ୍ତାନର କରାଚୀରେ ଲୁଚିଛି ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ: ଇଡି

ନୂଆଦିଲ୍ଲୀ: କରାଚୀରେ ଅଛି ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ । ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକଙ୍କ ବିରୋଧରେ ହୋଇଥିବା ଅର୍ଥ ହେରଫେର ମାମଲାରେ ଜଣେ ସାକ୍ଷୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ଏହି ସୂଚନା ଦେଇଛନ୍ତି। ଅନ୍ୟ ଜଣେ ସାକ୍ଷୀ କହିଛନ୍ତି ଯେ, ଦାଉଦ ପ୍ରତି ମାସରେ ତାଙ୍କ ଭାଇଭଉଣୀମାନଙ୍କୁ ୧୦ଲକ୍ଷ ଟଙ୍କା ପଠାଉଛି। ମହାରାଷ୍ଟ୍ର ମନ୍ତ୍ରୀ ଏବଂ ଏନ୍‌ସିପି ନେତା ନୱାବ ମଲିକଙ୍କୁ ଏକ ମନି ଲଣ୍ଡରିଂ ମାମଲାରେ ଇଡି ଗିରଫ କରିଛି। ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ ସହ ଜମି କାରବାର ଏବଂ ଅଣ୍ଡରୱାର୍ଲ୍ଡ ସହ ଜଡ଼ିତ କିଛି ବ୍ୟକ୍ତିଙ୍କ ସହ ବେଆଇନ କାରବାର କରିଥିବା ମାମଲାରେ ଇଡି ଦାଖଲ କରିଥିବା ଚାର୍ଜସିଟରେ ଏହି ଦୁଇ ଜଣ ସାକ୍ଷୀଙ୍କ ବୟାନ ଲେଖାଯାଇଛି।

ଚାର୍ଜସିଟ ଅନୁଯାୟୀ ସାକ୍ଷୀ ଇଡିକୁ କହିଛନ୍ତି ଯେ,’୧୯୮୬ପରେ ମୁଁ ବିଭିନ୍ନ ସୂତ୍ରରୁ ଏବଂ ପରିବାରଠାରୁ ଶୁଣିଥିଲି ଯେ ଦାଉଦ ଇବ୍ରାହିମ ପାକିସ୍ଥାନର କରାଚୀରେ ଅଛି। ଯେତେବେଳେ ଦାଉଦ ଇବ୍ରାହିମ୍ କରାଚୀ ଯାଇଥିଲେ ମୁଁ ଜନ୍ମ ହୋଇ ନଥିଲି। ମୁଁ କିମ୍ବା ମୋର ପରିବାର ସଦସ୍ୟ ତାଙ୍କ ସହ ଯୋଗାଯୋଗରେ ନାହୁଁ।

ଉଲ୍ଲେଖଯୋଗ୍ୟ, ନବାବ ମଲିକ ହେଉଛନ୍ତି ଏନସିପି ନେତା। ଅର୍ଥ ହେରଫେର ଅଭିଯୋଗରେ ଇଡି ତାଙ୍କୁ ଫେବ୍ରୁଆରି ୨୩ରେ ଗିରଫ କରିଥିଲା। ସେ ବର୍ତ୍ତମାନ ଜେଲରେ ଅଛନ୍ତି। ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନ୍ଆଇଏ) ଦ୍ବାରା ଦାଉଦ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ଦାଖଲ ହୋଇଥିବା ଏତଲା ଉପରେ ଇଡି ମାମଲା ଆଧାରିତ। ୧୯୯୩ ମୁମ୍ବାଇ ସିରିଏଲ୍ ବିସ୍ଫୋରଣ ମାମଲାରେ ଦାଉଦ ମୁଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ତାଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷିତ କରାଯାଇଛି।

ସମ୍ବନ୍ଧିତ ଖବର