ଦାଉଦ୍‌ ଏବେ ବି ପାକିସ୍ତାନରେ : ଦାଉଦ୍‌କୁ ସୁରକ୍ଷା ଦେଉଛି ପାକ୍‌ ଆଇଏସ୍‌ଆଇ, ଦାଉଦ୍‌ର ୨ଟି ନୂଆ ଠିକଣା ପ୍ରକାଶ

ନୂଆଦିଲ୍ଲୀ : ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ୍‌ ଏବେ ବି ପାକିସ୍ତାନରେ ଅଛି। ଦାଉଦ୍‌ର ୨ଟି ନୂଆ ଠିକଣା ସଂପର୍କରେ ଏବେ ଜଣାପଡ଼ିଛି। ଦାଉଦ୍‌ କରାଚିରେ ବସି ତା’ର କାରବାର ନିୟନ୍ତ୍ରଣ କରୁଛି। ଦାଉଦ୍‌କୁ ସୁରକ୍ଷା ଦେଉଛି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ। ଆଇଏସ୍‌ଆଇ ନିର୍ଦ୍ଦେଶରେ ବରିଷ୍ଠ କମାଣ୍ଡୋମାନେ ଦାଉଦ୍‌କୁ ସୁରକ୍ଷା ଦେଉଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବଂ ସେନାମୁଖ୍ୟଙ୍କ ଅନୁମତି ଯୋଗୁଁ ହିଁ ଦାଉଦ୍‌କୁ ଏଭଳି ସୁରକ୍ଷା ମିଳିବା ସମ୍ଭବ ହୋଇପାରିଛି ବୋଲି କୁହାଯାଇଛି। ମୁମ୍ବାଇ କ୍ରାଇମ ବ୍ରାଞ୍ଚ୍‌ ନିକଟରେ ଏଜାଜ୍‌ ଲକଡ଼ୱାଲାକୁ ପାଟନା‌‌ରେ ଗିରଫ କରିଥିଲା। ତାକୁ ମୁମ୍ବାଇ ଆ‌ଣି ଜେରା କରାଯାଉଛି। ଜେରା ସମୟରେ ଲକଡ଼ୱାଲା ଦାଉଦ୍‌ ସମ୍ପର୍କରେ ଏହି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛି ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି। ଲକଡ଼ୱଲା କହିଛି, ଦାଉଦ୍‌ ଏବେ ବି ପା‌କିସ୍ତାନରେ ରହିଛି। ଦାଉଦ୍‌ର ୨ଟି ନୂଆ ଠିକଣା ତଥା କରାଚିର ଡିଫେନ୍ସ ହାଉସିଙ୍ଗ୍‌ ଏରିଆ , ୬ଏ, ଖୟାବନ ତାନଜିମ ଫେଜ୍‌-୫ ଏବଂ ଡି-୧୩ , ବ୍ଲକ୍‌-୪ , କ୍ଲିଫ୍ଟନ୍‌ ବୋଲି ଲକଡ଼ୱାଲା କହିଛି। ଦାଉଦ୍‌ ସହ ତା’ର ସହଯୋଗୀ ଆନିସ ମଧ୍ୟ ଆଇଏସ୍‌ଆଇ ଦ୍ବାରା ସୁରକ୍ଷା ପାଉଛି। ଆଇଏସ୍‌ଆଇ ଦ୍ବାରା ଏମାନଙ୍କୁ ନକଲି ପାସ୍‌ପୋର୍ଟ ଦିଆଯାଉଛି। ଫଳରେ ‌ଏମାନେ ବିଭିନ୍ନ ଦେଶକୁ ଯାତାୟତ କରିପାରୁଛନ୍ତି।

News Track English

ଉଲ୍ଲେଖଯୋଗ୍ୟ ୪୦ରୁ ଅଧିକ ଦାଦାବଟି ଆଦାୟ ଏବଂ ହତ୍ୟା ଉଦ୍ୟମ ମାମଲାରେ ଲକଡ଼ୱାଲାକୁ ମୁମ୍ବାଇ ଏବଂ ଦିଲ୍ଳୀ ପୁଲିସ‌ ଖୋଜୁଥିଲା। ସେ ଛୋଟା ରାଜନ ଗ୍ୟାଙ୍ଗ୍‌ରେ ଥିଲା। ଲକଡ଼ୱାଲାକୁ ପାଟନାରୁ ଗିରଫ କରାଯାଇଛି। ଗତ ଜାନୁଆରି ୧୦ରେ ଲକଡ଼ୱାଲାକୁ ମୁମ୍ବାଇ କୋର୍ଟ ଜାନୁଆରି ୨୧ ଯାଏଁ ପୁଲିସ ହାଜତକୁ ପଠାଇଥିଲେ। ତାକୁ ଜେରା ସମୟରେ ପୁଲିସ ଦାଉଦ୍‌, ଛୋଟା ସକିଲ୍‌ ଏବଂ ଅନ୍ୟ ଗ୍ୟାଙ୍ଗଷ୍ଟର୍‌ଙ୍କ ସମ୍ପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ହାସଲ କରିବାକୁ ସକ୍ଷମ ହୋଇଛି।

ସମ୍ବନ୍ଧିତ ଖବର