ଅଣ୍ଡରଓ୍ଵାର୍ଲଡ ଡନ ଦାଉଦ ଇବ୍ରାହିମ କରୋନା ସଂକ୍ରମିତ !

ନୂଆଦିଲ୍ଲୀ : କୁଖ୍ୟାତ ଅଣ୍ଡରଓ୍ଵାର୍ଲଡ ଡନ ତଥା ଭାରତର ମୋଷ୍ଟ ଓ୍ଵାଣ୍ଟେଡ୍‌ ଦାଉଦ ଇବ୍ରାହିମ କରୋନା ସଂକ୍ରମିତ ହୋଇ ପାକିସ୍ତାନର ଏକ ସେନା ହସପିଟାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି ।

ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ଯେ ଦାଉଦ ଓ ତା ପତ୍ନୀ ମେହଜବିନ, ତାର ଅଙ୍ଗରକ୍ଷୀ, ବ୍ୟକ୍ତିଗତ ସହାୟକ ଆଦି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦାଉଦ ଓ ତା ପତ୍ନୀକୁ କରାଚୀର ସେନା ହସପିଟାଲରେ ଚିକିତ୍ସା କରାଯାଉଛି । ସେହିପରି ତାହାର ଅଙ୍ଗରକ୍ଷୀ ଓ ଅନ୍ୟ କର୍ମଚାରୀମାନେ ଘରେ ଏକାନ୍ତବାସ ବା ହୋମ କ୍ୱାରାଣ୍ଟାଇନରେ ରହୁଛନ୍ତି ।

୧୯୯୩ ମୁମ୍ବଇ ବୋମା ବିସ୍ଫୋରଣରେ ମୁଖ୍ୟ ଅଭିଯୁକ୍ତ ଦାଉଦ ଇବ୍ରାହିମ ଭାରତରୁ ଫେରାର ହୋଇ ଗତ ତିନି ଦଶନ୍ଧି ଧରି ପାକିସ୍ତାନରେ ରହୁଛି । ତେବେ ସେ ପାକିସ୍ତାନରେ ନଥିବା ପାକିସ୍ତାନ ସରକାର ସବୁବେଳେ କହିଆସୁଛନ୍ତି । ତେବେ ସେ କରାଚୀରେ ରହୁଥିବା ଭାରତୀୟ ଗୁଇନ୍ଦା ସଂସ୍ଥା ବରାବର କହିଆସୁଛି । ଭାରତୀୟ ପୁଲିସ ଖୋଜୁଥିଲେ ମଧ୍ୟ ସେ କରାଚୀରେ ରହି ଭାରତରେ ଥିବା ନିଜ ନେଟଓ୍ଵର୍କକୁ ଚଳାଉଛି । ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ତା ନେଟଓ୍ଵର୍କର ସହାଯ୍ୟ ନେଉଛି । ପାକିସ୍ତାନରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୮୯୨୪୯ରେ ପହଞ୍ଚିଛି । ଏହା ମଧ୍ୟରେ ମୃତ୍ୟୁସଂଖ୍ୟା ୧୮୩୮ରହିଛି ଓ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୩୧୧୯୮ ରହିଛି ।

ସମ୍ବନ୍ଧିତ ଖବର