କୋଲକାତା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନିଜ କୋଲକାତା ବାସଭବନରେ ରାତ୍ରୀ ଭୋଜନରେ ଆପାୟିତ କରିବାର ଗୋଟିଏ ଦିନ ପରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ‘ଅତି ନିକଟତର’ ଏବଂ ଯେତେବେଳେ ତାଙ୍କୁ କୌଣସି ସାହାଯ୍ୟ ଆବଶ୍ୟକ ହୁଏ ସେତେବେଳେ ସେ ସର୍ବଦା ମୋ ପାଖରେ ଥାଆନ୍ତି।

Advertisment

କୋଲକାତାର ଏକ ଘରୋଇ ଡାକ୍ତରଖାନାର ଉଦଘାଟନ ଅବସରରେ ରାଜ୍ୟ ମନ୍ତ୍ରୀ ତଥା କୋଲକାତା ମେୟର ଫିରହାଦ ହାକିମଙ୍କ ସହ ଯୋଗ ଦେଇଥିବା ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ କହିଛନ୍ତି, ଯେତେବେଳେ ବି ମୁଁ ତାଙ୍କୁ ଡାକଚି ସେତେବେଳେ ବବି ଦା’ (ହାକିମ) ମଧ୍ୟ ସବୁବେଳେ ମୋ ପାଖରେ ଉପସ୍ଥିତ ହୋଇ ସାହାଯ୍ୟର ହାତ ବଢ଼ାଇ ଆସିଛନ୍ତି। ମୋତେ ଏହା ଦୋହରାଇବାର ଆବଶ୍ୟକତା ନାହିଁ। କିନ୍ତୁ ସେ ସର୍ବଦା ଲୋକଙ୍କ ପାଇଁ ଉପଲବ୍ଧ। ସେ ସବୁବେଳେ ଲୋକଙ୍କୁ ସାହାଯ୍ୟ କରନ୍ତି।

ଏହି ଅବସରରେ ଉପସ୍ଥିତ ଥିବା ସୌରଭଙ୍କ ପତ୍ନୀ ଡୋନା ଗାଙ୍ଗୁଲି କହିଛନ୍ତି, ଏହା (ଅମିତ ଶାହାଙ୍କ) ଏକ ସୌଜନ୍ୟମୂଳକ ଗସ୍ତ ଥିଲା। କୌଣସି ପ୍ରକାର ରାଜନୈତିକ ଆଲୋଚନା ହୋଇ ନଥିଲା। ଯଦି କିଛି ଘଟେ ତେବେ ଲୋକମାନେ ଏହା ବିଷୟରେ ଜାଣିବେ। ମୁଁ ଜାଣେ ନାହିଁ ସୌରଭ ରାଜନୀତିରେ ଯୋଗଦେବେ କି ନାହିଁ?
ଉଲ୍ଲେଖଯୋଗ୍ୟ ଗାଙ୍ଗୁଲିଙ୍କ ଘରକୁ ଗସ୍ତ ସମୟରେ ଅମିତ ଶାହାଙ୍କ ସହ ପୁଅ ଜୟ ଶାହା, ଯିଏକି ବିସିସିଆଇରେ ସଚିବ ଅଛନ୍ତି, ବିଜେପି ନେତା ଅମିତ ମାଲବ୍ୟ, ସପନ ଦାସଗୁପ୍ତା, ରାଜ୍ୟ ଦଳୀୟ ସଭାପତି ସୁକାନ୍ତ ମଜୁମଦାର ଏବଂ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ରହିଥିଲେ।