ନୂଆଦିଲ୍ଲୀ: କୋଭିଡ୍-୧୯ ଟିକା ନେବା ପାଇଁ ଆଜି ସକାଳ ସୁଦ୍ଧା ‘କୋୱିନ୍ ପୋର୍ଟାଲ୍’ରେ ୩.୫ ଲକ୍ଷରୁ ଊର୍ଦ୍ଧ୍ବ ୧୫ ରୁ ୧୮ ବର୍ଷ ବୟସ ବର୍ଗର ହିତାଧିକାରୀ ପଞ୍ଜିକରଣ କରାଇଛନ୍ତି।
‘କୋୱିନ୍ ଡ୍ୟାସ୍ବୋର୍ଡ’ ତଥ୍ୟାବଳୀ ଅନୁସାରେ, ରବିବାର ସକାଳ ୯.୩୦ ସୁଦ୍ଧା ୧୫-୧୮ ବୟସ ବର୍ଗର ୩,୫୭,୯୮୪ଜଣ ହିତାଧିକାରୀ ପଞ୍ଜିକୃତ ହୋଇଛନ୍ତି।
୧୫-୧୮ ବୟସ ବର୍ଗଙ୍କ ପାଇଁ କୋଭିଡ୍-୧୯ ଟିକାକରଣ ନିମନ୍ତେ ଜାନୁଆରି ୧ ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇଥିଲା। ସୋମବାର ଠାରୁ ଆରମ୍ଭ ହେଉଥିବା ଏହି ଟିକାକରଣ ଅଭିଯାନରେ କେବଳ ‘କୋଭାକ୍ସିନ୍’ ଦିଆଯିବ। ଏଥିପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କହିଛନ୍ତି।
ସୂଚନାଯୋଗ୍ୟ, କୋଭିଡ୍-୧୯ ଟିକାକରଣ ନିମନ୍ତେ ଭାରତ ସରକାରଙ୍କ ୱେବ୍ ପୋର୍ଟାଲ୍ ‘କୋୱିନ୍’ ଭାରତର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ମାଲିକାନାରେ ରହିଛି। ଭାରତର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏହାର ପରିଚାଳନା ମଧ୍ୟ କରୁଛି।
ପ୍ରାପ୍ତ ଅଧିକ ସୂଚନା ଅନୁସାରେ, ଟିକା ନେବା ପାଇଁ ୧୮-୪୪ ବର୍ଷ ମଧ୍ୟରୁ ୫୭,୩୭,୧୪,୯୬୯ଜଣ ଏବଂ ୪୫ରୁ ଊର୍ଦ୍ଧ୍ବ ବର୍ଷ ମଧ୍ୟରୁ ୩୪,୭୭,୮୮,୯୨୫ଜଣଙ୍କ ସମେତ ଏପର୍ଯ୍ୟନ୍ତ ପ୍ରାୟ ୯୨,୧୮,୬୧,୮୭୮ ଜଣ ‘କୋୱିନ୍’ରେ ପଞ୍ଜିକରଣ କରିସାରିଛନ୍ତି।