ଜରୁରୀକାଳୀନ ବ୍ୟବହାର ପାଇଁ ଆଉ ଏକ କରୋନା ଔଷଧକୁ ମଞ୍ଜୁରୀ ଦେଲା ଡିସିଜିଆଇ

ନୂଆଦିଲ୍ଲୀ: କରୋନାକୁ ମୁକାବିଲା କରିବାକୁ ଜରୁରୀକାଳୀନ ବ୍ୟବହାର ପାଇଁ କେନ୍ଦ୍ର ସରକାର ଆଜି ଆଉ ଏକ ଔଷଧକୁ ମଞ୍ଜୁରୀ ଦେଇଛନ୍ତି | ଔଷଧ ନିର୍ମାଣକାରୀ କମ୍ପାନୀ ଜାଏଡ଼ସ କାଡ଼ିଲା ଦ୍ୱାରା ପ୍ରସ୍ତୁତ ଭିରାଫିନକୁ ଭାରତୀୟ ଔଷଧ ନିୟାମକ ବା DCGI (ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ) ଅନୁମୋଦନ ଦେଇଛି । ଜରୁରୀକାଳୀନ ବ୍ୟବହାର ପାଇଁ DCGI ଏହି ଔଷଧକୁ ବ୍ୟବହାର ପାଇଁ ଅନୁମତି ଦେଇଛି | କରୋନା ରୋଗୀଙ୍କ ପାଇଁ ବର୍ତ୍ତମାନ ଫାଭିପିରାଭିର ଓ ରେମଡେସିଭିର ବ୍ୟବହାର କରାଯାଉଛି | ସୂଚନା ମୁତାବକ କମ୍ପାନୀ ଦାବି କରିଛି ୯୧.୧୫ ପ୍ରତିଶତ ରୋଗୀଙ୍କ କ୍ଷେତ୍ରରେ ଏହା ସଫଳ ହୋଇଛି |

କମ୍ପାନୀ ଦାବି କରିଛି ଯେ ପେଗିଲେଟେଡ୍ ଇଣ୍ଟରଫେରନ୍ ଆଲଫା ୨ ବି (ଭିରାଫିନ) ଔଷଧ ୧୮ ବର୍ଷରୁ ଅଧିକ ବୟସ୍କ ଓ ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ କ୍ଷେତ୍ରରେ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି। ଗତ ସପ୍ତାହରେ କମ୍ପାନୀ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ଔଷଧ ରୋଗୀଙ୍କୁ ଶୀଘ୍ର ସୁସ୍ଥ କରିବାରେ ସାହାଯ୍ୟ କରିଥାଏ। ରେମଡେସିଭିର ବର୍ତ୍ତମାନ ଦେଶରେ କରୋନା ଚିକିତ୍ସାରେ ବ୍ୟବହୃତ ହେଉଛି।

ସେଥିପାଇଁ ସରକାର ଏହାର କଞ୍ଚାମାଲ ତଥା ଆଣ୍ଟି-ଭାଇରାଲ୍ ଔଷଧ ତିଆରିରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଉପରେ ସୀମା ଶୁଳ୍କ ଛାଡ କରିବାକୁ ଘୋଷଣା କରିଛନ୍ତି। ରେମାଡେସିଭର୍ ଏକ ଆଣ୍ଟି-ଭାଇରାଲ୍ ଔଷଧ | ଇବୋଲା ମହାମାରୀ ସମୟରେ ଏହାର ପରୀକ୍ଷା କରାଯାଇଥିଲା। କରୋନାକୁ ମାତ ଦେବା ପାଇଁ ରେମାଡେସିଭିର ଏକ ଔଷଧ ନୁହେଁ | ଏହା ଶରୀରରେ ଭୂତାଣୁ ବଢ଼ିବାରେ ରୋକିଥାଏ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର