ପବ୍‌ଜି ସମେତ ଏହି ସବୁ ମୋବାଇଲ ଗେମ୍‌କୁ ହାନିକାରକ ବୋଲି କହିଲେ ଦିଲ୍ଲୀ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ, ସ୍କୁଲକୁ ଜାରି କଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଧୀରେ ଧୀରେ ସ୍ମାର୍ଟଫୋନର ବ୍ୟବହାର ବଢ଼ି ବଢ଼ି ଚାଲିଛି । ଛୋଟ ପିଲାମାନଙ୍କଠାରୁ ଆରମ୍ଭ କରି ଯୁବକ-ଯୁବତୀମାନଙ୍କ ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି । ଏହା ଆମର ଅନେକ କାମକୁ ସହଜ କରାଇଛି ସତ କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର ପିଲାମାନଙ୍କୁ ଖରାପ ବାଟରେ ନେଉଛି । ଛୋଟ ପିଲାମାନେ ସ୍ମାର୍ଟଫୋନକୁ କଥା ହେବା କମ ଗେମ୍‌ ଖେଳିବାରେ ଅଧିକ ବ୍ୟବହାର କରୁଛନ୍ତି । ଅଧିକ ଗେମ୍‌ ଖେଳିବା ଦ୍ୱାରା ପିଲାମାନଙ୍କ ସ୍ୱଭାବରେ ପରିବର୍ତ୍ତନ ଦେଖା ଯାଉଛି । ବେଳେ ବେଳେ ଏହି ଗେମ୍‌ ନିକଟ ଅତୀତରେ ପିଲାମାନଙ୍କ ଜୀବନ ମଧ୍ୟ ନେଇଥିବା ଦେଖା ଯାଇଛି ।

topindinews.com

ଏ ସବୁକୁ ଆଖି ଆଗରେ ରଖି ଦିଲ୍ଲୀ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ(ଡିସିପିସିଆର୍‌) ସୋମବାର ପବ୍‌ଜି,ଫୋର୍ଟନାଇଟ୍‌, ଗ୍ରାଣ୍ଡ ଥେପ୍ଟ ଅଟୋ, ଗଡ୍‌ ଅଫ୍‌ ଓ୍ଵାର,ହିଟ୍‌ମ୍ୟାନ୍‌,ପ୍ଲାଗ୍ୟୁ ଆଏନ୍‌ସି ଏବଂ ପୋକ୍‌ମ୍ୟାନ୍‌ ଭଳି ଅନ୍‌ଲାଇନ୍‌ ଗେମ୍‌କୁ ହାନିକାରକ, ନକାରାତ୍ମକ ଏବଂ ମସ୍ତିଷ୍କରେ ପ୍ରତିକୂଳ ପ୍ରଭାବ ପକାଉଥିବା କହିଛନ୍ତି । ଯାହା ପାଇଁ ଡିସିପିସିଆର୍‌ ସବୁ ସ୍କୁଲକୁ ପ୍ରାର୍ଥନା ସମୟରେ ପିଲାମାନଙ୍କୁ ଏ ନେଇ ବୁଝାଇବା ସହ ମାତା-ପିତାଙ୍କୁ ଡ଼କାଇ ଏ ବିଷୟରେ ଆଲୋଚନା କରିବା ପାଇଁ ଆଦେଶ ଦେଇଛନ୍ତି । ଡିସିପିସିଆର୍‌ର ସଦସ୍ୟ ରଞ୍ଜନା ପ୍ରସାଦ ଏ ନେଇ ଆଦେଶ ଦେଇଥିବା ଜଣାପଡ଼ିଛି । ତାଙ୍କ କହିବା ଅନୁଯାୟୀ, ଏଭଳି ଗେମ୍‌ ଖେଳି ପିଲାମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଆସୁଛି । ଯାହା ପାଇଁ ଠିକ୍‌ ସମୟରେ ଏହାକୁ ରୋକା ନ ଗଲେ, ଭବିଷ୍ୟତରେ ପରିସ୍ଥିତି ଗମ୍ଭୀର ହୋଇପାରେ ।

ସମ୍ବନ୍ଧିତ ଖବର