ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନେବା ପରେ ଭାବବିହ୍ବଳ କଲା ଭଳି ଟୁଇଟ୍ କଲେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ୱାତୀ ମଲିୱାଲ୍

ନୂଆଦିଲ୍ଲୀ: ମହିଳାମାନଙ୍କ ଅଧିକାର ଏବଂ ସୁରକ୍ଷା ପାଇଁ ଲଢ଼େଇ କରି ଆସୁଥିବା ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ବାତୀ ମଲିୱାଲ୍ ଏବେ ନିଜ ସ୍ବାମୀ ନବୀନ ଜୟହିନ୍ଦଙ୍କଠାରୁ ଛାଡ଼ପତ୍ର ନେଇଛନ୍ତି। ସ୍ବାତୀଙ୍କ ସ୍ବାମୀ ଆମ୍ ଆଦମୀ ପାର୍ଟି(ଆପ୍)ର ନେତା ହୋଇଥିବା ସହ ହରିୟାଣାର ପ୍ରଦେଶ ଆପ୍ ଅଧ୍ୟକ୍ଷ ଅଛନ୍ତି । ଦିନେ ଦୁହିଁଙ୍କ ସଂପର୍କକୁ ନେଇ ଉଦାହରଣ ଦିଆଯାଉଥିବା ବେଳେ ଏବେ ଦୁହିଁଙ୍କ ଅଲଗା ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସ୍ବାମୀଙ୍କଠାରୁ ଅଲଗା ହେବା ଖବର ଟୁଇଟ୍ କରି ଜଣାଇବା ସହ ନିଜ ମନର ଦୁଃଖ ପ୍ରକାଶ କରିଛନ୍ତି ସ୍ବାତୀ।

ସେ ଲେଖିଛନ୍ତି, ଯେତେବେଳେ ଜଣଙ୍କ ସହ ଥିବା ନିବିଡ଼ ସଂପର୍କ ଭାଙ୍ଗେ, ସେ‌ ସମୟ ବହୁତ କଷ୍ଟଦାୟକ ହୋଇଥାଏ। ମୁଁ ଏବଂ ନବୀନ ଏବେ ଛାଡ଼ପତ୍ର ନେଇ ସାରିଛୁ। ବେଳେ ବେଳେ ଦୁଇ ଭଲ ମଣିଷ ମଧ୍ୟ ସାଥୀରେ ରହି ପାରନ୍ତି ନାହିଁ। ମୁଁ ତାଙ୍କୁ ସବୁବେଳେ ମନେ ପକାଇବି। ସେ ସବୁବେଳେ ମୋ ମନ ଭିତରେ ରହିବେ। ସବୁଦିନ ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି କି, ଆମକୁ ଏବଂ ଆମ ଭଳି ‌ଅଲଗା ହୋଇଯାଇଥିବା ଦମ୍ପତ୍ତିଙ୍କୁ ଏଭଳି ଯନ୍ତ୍ରଣା ସହ ଲଢ଼ିବା ପାଇଁ ସାହସ ଦିଅନ୍ତୁ।

ସ୍ବାତୀ ମଲିୱାଲ୍ ମହିଳା ଆୟୋଗର ଅଧ୍ୟକ୍ଷା ଭାବେ ମହିଳାମାନଙ୍କ ଅଧିକାର ପାଇଁ ଲଢ଼ିବା‌ ସହ ପ୍ରତି ଆନ୍ଦୋଳନରେ ସେ ନିଜର ସ୍ବର ଉତ୍ତୋଳନ କରିଥାନ୍ତି। ମହିଳା ଆୟୋଗର ଅଧ୍ୟକ୍ଷା ହେବା ପୂର୍ବରୁ ସ୍ବାତୀ ଆମ୍ ଆଦମୀ ପାର୍ଟିର ନେତ୍ରୀ ଭାବେ କାମ କରିଥିଲେ।

ସମ୍ବନ୍ଧିତ ଖବର