୬ ବର୍ଷ ଧରି ଲିଭ-ଇନ-ରିଲେସନସିପରେ ରହୁଥିଲେ, ପ୍ରେମିକାକୁ ମାରି ଘରେ ପୋତିଦେଲେ ପ୍ରେମିକ

ନାଗପୁର: ମହାରାଷ୍ଟ୍ରର ପାଲଘରରୁ ଏକ ହୃଦୟଥରା ଘଟଣା ସାମ୍ନାକୁ ଆସିଛି। ଜଣେ ୩୨ ବର୍ଷ ବୟସ୍କ ଯୁବକ ତାଙ୍କ ପ୍ରେମିକାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। କୁହାଯାଉଛି ଯେ, ଏହି ବ୍ୟକ୍ତି ତାଙ୍କ ପ୍ରେମିକାକୁ ହତ୍ୟା କରି ଘରର ଚଟାଣ ଖୋଳି ଶରୀରକୁ ଲୁଚାଇ ରଖିଥିଲେ। ପୁଲିସର ସୂଚନାନୁସାରେ, ପାଲଘରର ବୃନ୍ଦାବନ ଦର୍ଶନ ଆପାର୍ଟମେଣ୍ଟର ଫ୍ଲାଟ ନମ୍ବର ୧୦୧ରେ ସୁରଜ ହରମାଲକର ଏବଂ ତାଙ୍କ ଲିଭ-ଇନ୍ ପାର୍ଟନର ଅମିତା ମୋହିତେ ୬ ବର୍ଷ ଧରି ରହିଆସୁଥିଲେ | ତେବେ କିଛି ଦିନ ଧରି ସ୍ଥାନୀୟ ଲୋକ ସୁରଜଙ୍କ ସହ ଅମିତାଙ୍କୁ ଦେଖିନଥିଲେ | ଏହା ପରେ ପୁଲିସକୁ ସ୍ଥାନୀୟ ଲୋକ ସୂଚନା ଦେଇଥିଲେ |

ଫୋରେନସିକ୍ ବିଶେଷଜ୍ଞଙ୍କ ସହ ପୁଲିସ ଟିମ୍ ସୁରଜଙ୍କ ଫ୍ଲାଟରେ ପହଞ୍ଚିଥିଲା। ଆଉ ଫୋରେନସିକ ଟିମ ଘରର ବାଥରୁମରେ ରକ୍ତ ଛିଟା ପଡିଥିବାର ଦେଖିଥିଲେ | ଏହା ପରେ ବାଥରୁମ କାନ୍ଥ ଭାଙ୍ଗିବା ମାତ୍ରେ ସେଠାରେ ଜଣେ ମହିଳାଙ୍କ ଶବ ଥିଲା। ଏହି ମୃତ ଦେହ ପ୍ରାୟ ୪ ମାସ ପୂର୍ବର ହୋଇଥିବାବେଳେ ପୁଲିସ ସୁରଜଙ୍କୁ ଗିରଫ କରିଛି | ସୁରଜଙ୍କୁ ଅଧିକ ପଚରାଉଚରା କରାଯିବା ପରେ ସେ ସତ ମାନିଥିଲେ | ବହୁ ବର୍ଷ ଧରି ଲିଭ-ଇନ-ରିଲେସନସିପରେ ରହିବା ପରେ ଅମିତା ବିବାହ ପାଇଁ ଚାପ ପକାଇଥିଲେ |

ଆଉ ଏଥିପାଇଁ ସୁରଜ ତାଙ୍କୁ ତାଙ୍କ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଗତ ବର୍ଷ ଅକ୍ଟୋବର ୨୧ ରେ ସୁରଜ ଏବଂ ଅମିତା ଏକାଠି ସପିଂ କରିବାକୁ ଯାଇଥିଲେ। ଆଉ ସେହି ଦିନ ହିଁ ସୁରଜ ତାଙ୍କୁ ହତ୍ୟା କରିଥିଲେ | ଏହା ପରେ ସୁରଜ ଅମିତାଙ୍କ ହ୍ଵାଟ୍ସଆପ ମାଧ୍ୟମରେ ତାଙ୍କ ପରିବାର ସଦସ୍ୟଙ୍କୁ ମେସେଜ ପଠାଉଥିଲେ। ପରେ ସନ୍ଦେହ ହେବାରୁ ପରିବାର ସଦସ୍ୟ ପୁଲିସକୁ ସୂଚନା ଦେଇଥିଲେ |

ସମ୍ବନ୍ଧିତ ଖବର