ଇଟାଲୀରେ ଘରେ ଘରେ ଶବ, ଆନୁଷ୍ଠାନିକ ହିସାବଠାରୁ ଢ଼େର ଅଧିକ ବାସ୍ତବ ସଂଖ୍ୟା

ରୋମ୍‌: ସଂପ୍ରତି କୋଭିଡ୍‌-୧୯ ବିଶ୍ୱମହାମାରୀ କବଳରେ ସର୍ବାଧିକ ଛାରଖାର ହୋଇଥିବା ଇଟାଲୀରେ ପ୍ରତିଦିନ ଶହଶହ ମୃତ୍ୟୁ ସରକାରୀ ହିସାବରେ ସାମିଲ ହେଉଛି। କିନ୍ତୁ ସେଗୁଡ଼ିକ ଆନୁଷ୍ଠାନିକ ମୃତ୍ୟୁ ବା ବିଭିନ୍ନ ଚିକିତ୍ସାଳୟ ଜଡ଼ିତ ମୃତ୍ୟୁ। କାରଣ ଚିକିତ୍ସାଳୟକୁ ବୁହାହେବା ପୂର୍ବରୁ ଅନେକ ଘରେ ମଣିଷ ଶବ ପାଲଟିଥିବା ଦେଖାଯାଉଛି। ଗୋଟିଏ ଗୋଟିଏ ପରିବାରର ଏକାଧିକ ସଂକ୍ରମିତ ବ୍ୟକ୍ତି ମଧ୍ୟ ମୃତ୍ୟୁ ମୁଖରେ ପଡୁଥିବା ଦେଖାଯାଉଛି। ଏବେ ସୁଦ୍ଧା ଯେଉଁ ୧୫୮୮୭ର ମୃତ୍ୟୁସଂଖ୍ୟା ଦର୍ଶାଯାଉଛି। ବାସ୍ତବ ସଂଖ୍ୟା ତାହା ଠାରୁ ଯଥେଷ୍ଟ ଅଧିକ ବୋଲି ଏକ ଅନୁଧ୍ୟାନରୁ ଜଣାପଡିଛି।

ଇଟାଲୀର ବର୍ଗାମୋ ପ୍ରଦେଶରେ ସରକାରୀ ଭାବେ ମୃତ୍ୟୁସଂଖ୍ୟା ୨୦୬୦ ଦର୍ଶାଯାଉଥିଲେ ସୁଦ୍ଧା ପ୍ରକୃତ ମୃତ୍ୟୁସଂଖ୍ୟା ତାହାଠାରୁ ଅନେକ ବେଶି। କାରଣ ବିଭିନ୍ନ ପରିବାର-ଡାକ୍ତରମାନେ ସଂପୃକ୍ତ ଘରକୁ ନଯାଇ ଦୂରରୁ ଫୋନ୍‌ ଯୋଗେ ବିଭିନ୍ନ ଉପଦେଶ ଦେଉଛନ୍ତି। ରୋଗୀମାନଙ୍କୁ ଡାକ୍ତର ଜମାରୁ ଦେଖୁନାହାନ୍ତି। ଏହି ସ୍ଥିତି ଏବେ ସମଗ୍ର ଦେଶରେ ଉପୁଜିଛି। ତେଣୁ ଏ ମହାମାରୀରେ ପୋକମାଛି ଭଳି ମରିବାର ସ୍ଥିତି ଇଟାଲୀକୁ ଥରହର କରିଦେଲାଣି। ଏପରିକି ଟେଲିମେଡିସିନ୍‌ ନାମରେ ଟେଲିଫୋନ୍‌ରେ ମେଡିସିନ୍‌ ବତେଇଦେବାର ଧାରା ଏବେ ସାରା ବିଶ୍ୱକୁ ବ୍ୟାପିବାକୁ ଲାଗିଲାଣି। ସ୍ପର୍ଶ-ସଂକ୍ରମଣ କୈନ୍ଦ୍ରିକ ଏହି ରୋଗରେ ବିଭିନ୍ନ ଦେଶରେ ସୁସ୍ଥ ଡାକ୍ତରମାନେ ମଧ୍ୟ ସଂକ୍ରମିତ ହୋଇ ଦିନ କେଇଟା ଭିତରେ ମୃତ୍ୟୁମୁଖରେ ପଡୁଥିବାରୁ ଚିକିତ୍ସକ କୁଳକୁ ଯେଉଁ ଭୟ ଘାରିଛି, ତାହା ଏବେ ଇଟାଲୀର ସାଧାରଣ ରୋଗୀଙ୍କୁ ଯେପରି କାଳ ହୋଇଛି, ତାହା ଯେପରି ବିଶ୍ୱର ଅନ୍ୟପ୍ରାନ୍ତକୁ ନହେଉ, ସେଥିପାଇଁ ଏହି ମହାମାରୀ ପରିଚାଳନା କରୁଥିବା ବିଶେଷଜ୍ଞମାନେ ଚିନ୍ତିତ ହୋଇପଡିଛନ୍ତି।

ସମ୍ବନ୍ଧିତ ଖବର