ମୃତ୍ୟୁ ସଂଖ୍ୟା ୩ ଶହ ଛୁଇଁବ: ଆଉ ୧୦ ମୃତ, ୧୩୪୧ ପଜିଟିଭ୍‌

ଦିନକରେ ସୁସ୍ଥ ହେଲେ ୧୭୮୫, ସର୍ବାଧିକ ୨୩୦୩୫ ନମୁନା ପରୀକ୍ଷା

ଭୁବନେଶ୍ବର: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩ଶହ ନିକଟତର ହୋଇଛି। ଆଜି ଆଉ ୧୦ ଜଣ କରୋନାରେ ପ୍ରାଣ ହରାଇବା ପରେ ସଂଖ୍ୟା ୨୯୬ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ୯ଜଣଙ୍କ ମଧୁମେହ, ଉଚ୍ଚ ରକ୍ତଚାପ ଓ କିଡ୍‌ନି, ଆଜ୍‌ମା ଭଳି ଅନ୍ୟ ଜଟିଳ ରୋଗ ରହିଥିଲା। ଗଞ୍ଜାମ ଓ ଖୋର୍ଧା ଜିଲ୍ଲାରୁ ୩ଜଣ ଲେଖାଏଁ ରହିଛନ୍ତି। ଗଞ୍ଜାମର ୭୨, ୬୪ ଓ ୫୨ବର୍ଷର ପୁ‌ରୁଷ, ଖୋର୍ଧା ଜିଲ୍ଲାର ୮୦ବର୍ଷର ବୃଦ୍ଧ, ୫୫ବର୍ଷର ମହିଳା ଓ ୨୬ବର୍ଷର ଯୁବତୀ କରୋନାରେ ପ୍ରାଣ ହରାଇଛନ୍ତି। ଏହାବାଦ୍ ବାଲେଶ୍ବରର ୫୮ବର୍ଷର ପୁରୁଷ, ପୁରୀର ୫୬ ବର୍ଷର ପୁରୁଷ, ରାୟଗଡ଼ାର ୪୭ବର୍ଷର ବ୍ୟକ୍ତି ଜଟିଳ ରୋଗ ଥାଇ କରୋନାର ଶିକାର ହୋଇଛନ୍ତି। କିନ୍ତୁ ସୁନ୍ଦରଗଡ଼ର ୫୭ବର୍ଷର ମହିଳାଙ୍କ କୌଣସି ଜଟିଳ ରୋଗ ନଥିଲା। ସେ କେବଳ ଭୂତାଣୁ ଯୋଗୁଁ ପ୍ରାଣ ହରାଇଛନ୍ତି।
ଏ ପର୍ଯ୍ୟନ୍ତ ଗଞ୍ଜାମରେ ସର୍ବାଧିକ ୧୪୦ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଖୋର୍ଧାରେ ୪୧, ସୁନ୍ଦରଗଡ଼ ୧୯, ଗଜପତି ୧୬, ରାୟଗଡ଼ା ୧୨, କଟକ ୧୧ଜଣ କରୋନା‌ରେ ପ୍ରାଣ ହରାଇଛନ୍ତି। ସୂଚନାଯୋଗ୍ୟ, ଗତ ୧୦ ଦିନରେ ରାଜ୍ୟରେ ୧୧୯ଜଣ ରୋଗୀ କରୋନାରେ ପ୍ରାଣ ହରାଇ ସାରିଲେଣି। ଏଥିରୁ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବା ଏକପ୍ରକାର ସ୍ପଷ୍ଟ ହୋଇଛି।

ଅପରପକ୍ଷେ ଆଜି ଆଉ ୨ଜଣଙ୍କ ଅଣ କୋଭିଡ୍‌ରେ ମୃତ୍ୟୁ ହୋଇଥିବା ନେଇ ସରକାରୀ ଭାବେ ଘୋଷଣା ହେବା ପରେ ଏହି ସଂଖ୍ୟା ୫୩ରେ ପହଞ୍ଚିଛି। ଭୁବନେଶ୍ବରର ୪୮ବର୍ଷର ପୁରୁଷ ହୃଦ୍‌ଘାତ ଓ ନବରଙ୍ଗପୁରର ୬୭ବର୍ଷର ପୁରୁଷ ଜଟିଳ କିଡ୍‌ନି ରୋଗରେ ପୀଡ଼ିତ ଥାଇ ପ୍ରାଣ ହରାଇଛନ୍ତି। ଦୁହିଁଙ୍କ ମୃତ୍ୟୁର ପ୍ରାଥମିକ କାରଣ କରୋନା ନ ଥିବାରୁ ଦୁହିଁଙ୍କୁ ଅଣ କରୋନା ମୃତ୍ୟୁ ଘୋଷଣା ହୋଇଛି। ଏହି ବର୍ଗରେ ପ୍ରାଣ ହରାଇଥିବା ରୋଗୀଙ୍କ ମଧ୍ୟରେ ଖୋର୍ଧାରେ ସର୍ବାଧିକ ୧୦ଜଣ, ଗଞ୍ଜାମରେ ସର୍ବାଧିକ ୮ ଓ ବାଲେଶ୍ବରରେ ସର୍ବାଧିକ ୫ଜଣ ରହିଥିବା ଜଣାଯାଇଛି।ରାଜ୍ୟରେ ଗତ କିଛି ଦିନ ହେବ କୋଭିଡ୍‌ ନମୁନା ପରୀକ୍ଷା ସଂଖ୍ୟା ବଢ଼ୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩୦୩୫ ନମୁନା ପରୀକ୍ଷା କରାଯାଇଛି, ଯାହାକି ରାଜ୍ୟରେ ଏ ପର୍ଯ୍ୟନ୍ତ ସର୍ବାଧିକ। ତହିଁରୁ ୧୩୪୧ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୮୭୯୬‌‌ରେ ପହଞ୍ଚିଛି। ଆଜି ଚିହ୍ନଟ ପଜିଟିଭ୍‌ ମଧ୍ୟରେ ଗଞ୍ଜାମର ସର୍ବାଧିକ ୨୨୭, ଖୋର୍ଧା ୨୧୮, ସୁନ୍ଦରଗଡ଼ ୯୧, ଭଦ୍ରକ ୮୩, କଟକ ୭୬, ରାୟଗଡ଼ା ୭୫, ଝାରସୁଗୁଡ଼ା ୬୭, ନୟାଗଡ଼ ୫୭, ବରଗଡ଼ ୫୬, ବାଲେଶ୍ବର ୫୪, କୋରାପୁଟ ୪୫, ବଲାଙ୍ଗୀର ଓ କେନ୍ଦ୍ରାପଡ଼ାରେ ୨୭ଜଣ ଲେଖାଏଁ, ସମ୍ବଲପୁର ୨୬, କଳାହାଣ୍ଡି ୨୫, କେନ୍ଦୁଝର ୨୩, ଗଜପତି ୨୦, ମାଲକାନଗରି ୧୭, ପୁରୀ ୧୬, ସୋନପୁର ୧୪, ବୌଦ୍ଧ ୧୦, ମୟୂରଭଞ୍ଜ ୯, ନୂଆପଡ଼ା ୭, ନବରଙ୍ଗପୁର ୬ ଓ ଅନୁଗୁଳ ୪ଜଣ ରହିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୮୧୮ଜଣ ସଙ୍ଗରୋଧରୁ ଓ ୫୨୩ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏ ପର୍ଯ୍ୟନ୍ତ ଗଞ୍ଜାମରେ ସର୍ବାଧିକ ୧୩୩୧୫ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି। ଏହା ସମୁଦାୟ ସଂକ୍ରମଣର ୨୭ପ୍ରତିଶତ। ଏହାବାଦ୍ ଖୋର୍ଧାରେ ୬୮୮୧, କଟକ ୩୨୭୮, ସୁନ୍ଦରଗଡ଼ ୨୪୫୩, ଗଜପତି ୨୦୪୦, ଯାଜପୁର ୧୬୪୯, ରାୟଗଡ଼ା ୧୫୮୧, ବାଲେଶ୍ବର ୧୪୮୮, କୋରାପୁଟ ୧୩୧୬, ପୁରୀ ୧୩୧୫, ସମ୍ବଲପୁର ୧୧୯୫, ନୟାଗଡ଼ ୧୦୯୮, ଭଦ୍ରକ ୧୦୬୭ ଓ କେନ୍ଦୁଝରରେ ୧୦୬୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟର ୧୪ଟି ଜିଲ୍ଲାରେ ହଜାରରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି।

ଆଜି ରାଜ୍ୟରେ ୧୭୮୫ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରେ ଗଞ୍ଜାମରୁ ସର୍ବାଧିକ ୪୦୪ ଜଣ ରହିଛନ୍ତି। ଏହାବାଦ୍ ଖୋର୍ଧା ୨୬୩, କଟକ ଓ ସମ୍ବଲପୁରରୁ ୧୨୬ଜଣ ଲେଖାଏଁ, କେନ୍ଦୁଝର ୧୦୧, ମାଲକାନଗିରି ୯୧, କନ୍ଧମାଳ ୮୪, ରାୟଗଡ଼ା ୮୧, ଗଜପତି ୮୦, ଢେଙ୍କାନାଳ ୬୦, ମୟୂରଭଞ୍ଜ ୫୦, ଯାଜପୁର ୪୯, କଳାହାଣ୍ଡି ୪୮, ବାଲେଶ୍ବର ୩୨, ନୟାଗଡ଼ ୩୧, ସୁନ୍ଦରଗଡ଼ ୩୦, ଭଦ୍ରକ ୨୮, କେନ୍ଦ୍ରାପଡ଼ା ୨୪, ପୁରୀ ୨୨, ବରଗଡ଼ ଓ ନୂଆପଡ଼ରୁ ୧୦ଜଣ ଲେଖାଏଁ, ନବରଙ୍ଗପୁର ୮, ଜଗତସିଂହପୁର ଓ କୋରାପୁଟରୁ ୭ଜଣ ଲେଖାଏଁ, ବଲାଙ୍ଗୀର ୫, ବୌଦ୍ଧ ୪, ଝାରସୁଗୁଡ଼ା ୩ ଓ ଦେବଗଡ଼ରୁ ଜଣେ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩୪୮୦୫ ପହଞ୍ଚିଛି।

ସମ୍ବନ୍ଧିତ ଖବର