ୟୁପିରେ ପୁଣି ଅନାହାର ମୃତ୍ୟୁ

ମା’ ଓ ୨ ପିଲାଙ୍କ ଜୀବନ ଗଲା, ‘ଜାତୀୟ ପୋଷଣ ମାସ’ ପ୍ରହସନ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ପୁଣି ଏକ ଅନାହାର ମୃତ୍ୟୁ ଲୋକଲୋଚନକୁ ଆସିଛି। ଅନାହାର ହେତୁ ଉତ୍ତରପ୍ରଦେଶର କୁଶିନଗରରେ ଗୋଟିଏ ସପ୍ତାହ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ୩୦ ବର୍ଷୀୟା ସଂଗୀତା ଏବଂ ତାଙ୍କ ୮ ବର୍ଷର ପୁଅ ସୁରଜ୍‌ ଓ ୨ ମାସର ଝିଅ ଗୀତାର ଅନାହାର ମୃତ୍ୟୁ ହୋଇଛି। ସଂଗୀତାଙ୍କ ସ୍ୱାମୀ ବୀରେନ୍ଦ୍ର ଜଣେ ଦିନ ମଜୁରିଆ। ମୂଲ ଲାଗି ଯେତିକି ରୋଜଗାର କରନ୍ତି ସେଥିରେ ପରିବାର ଚଳେ। ଯେଉଁଦିନ ଅସୁସ୍ଥତା ହେତୁ ବୀରେନ୍ଦ୍ର କାମକୁ ଯାଇ ପାରନ୍ତିନି ସେଦିନ ଘରେ ରୋଷେଇ ବନ୍ଦ ରହିଥାଏ। ପରିବାରରେ ରେସନ୍‌ କାର୍ଡ ଅଛି। କିନ୍ତୁ ଚଳିତ ମାସର ରେସନ୍‌ ଏଯାବତ୍‌ ବଣ୍ଟାଯାଇନାହିଁ। ବୀରେନ୍ଦ୍ର କହିଛନ୍ତି, ତାଙ୍କ ପାଖରେ ଜବ୍‌୍‌ କାର୍ଡ ଅଛି। କିନ୍ତୁ ସେ ଗତବର୍ଷରୁ କେଉଁଠି କାମ ପାଇନାହାନ୍ତି। ବୀରେନ୍ଦ୍ରଙ୍କ ପତ୍ନୀ ସଂଗୀତା ଏବଂ ପୁଅ ସୁରଜ୍‌ର ସେପ୍ଟେମ୍ବର ୭ ତାରିଖରେ ମୃତ୍ୟୁ ହୋଇଯାଇଥିଲା। ବୀରେନ୍ଦ୍ରଙ୍କ କହିବା ଅନୁଯାୟୀ, ୭ ତାରିଖ ଦିନ ରାତିିରେ ସଂଗୀତା ଏବଂ ସୁରଜ୍‌ ହଠାତ୍‌ ବାନ୍ତି କରିଥିିଲେ। ତେବେ ହଠାତ୍‌ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଲା। ଜିଲ୍ଲା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ଏହାର ପାଞ୍ଚଦିନ ପରେ ସଂଗୀତାଙ୍କ ଦୁଇ ମାସର ଝିଅ ଗୀତାର ମୃତ୍ୟୁ ଘଟିଥିଲା। ଉଲ୍ଲେଖଯୋଗ୍ୟ, ଗୋଟିଏ ପଟେ ଉତ୍ତରପ୍ରଦେଶ ସରକାର ଏବେ ‘ଜାତୀୟ ପୋଷଣ ମାସ’ ମନାଉଥିବା ବେଳେ ଅନ୍ୟପଟେ ରାଜ୍ୟରେ ଅନାହାର ମୃତ୍ୟୁ ଆଲୋଚ୍ୟର ବିଷୟ ହୋଇଛି।

ସମ୍ବନ୍ଧିତ ଖବର