ନୂଆଦିଲ୍ଲୀ :ପ୍ୟାନ ନମ୍ବର ସହ ଆଧାର ନମ୍ବର ଲିଙ୍କ କରିବାର ଅବଧି ଚଳିତ ମାସ ୩୦ ତାରିଖରେ ସମାପ୍ତ ହେଉଛି । ପୂର୍ବରୁ ଏହି ଶେଷ ତାରିଖ ବାରମ୍ବାର ବଢାଯାଇଥିବାବେଳେ ଏଥର ବଢାଯିବ କି ନାହିଁ ସେ ସମ୍ପର୍କରେ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ । ତେବେ କରୋନା ମହାମାରୀ ପାଇଁ ଆୟକର ବିଭାଗ ପକ୍ଷରୁ ଆୟକର ଫାଇଲ କରିବାର ଶେଷତାରିଖ ଗୁଡ଼ିକୁ ବଢାଯାଇଥିବାବେଳେ ପ୍ୟାନ-ଆଧାର ଲିଙ୍କର ଶେଷ ତାରିଖ ବି ବଢାଯାଇପାରେ ବୋଲି ଆଶା କରାଯାଉଛି ।
ମାତ୍ରା ଯଦି ସରକାର ଏହି ଶେଷ ତାରିଖ ଆଉ ଥରେ ନ ବଢାନ୍ତି, ତେବେ ଯେଉଁମାନେ ଲିଙ୍କ୍ କରିନାହାନ୍ତି ସେମାନଙ୍କ ପ୍ୟାନ ନମ୍ବର ଅଚଳ ହୋଇଯିବ । ଏହା ଫଳରେ ସେମାନେ ଆବଶ୍ୟକତା ସ୍ଥଳେ ନିଜର ପ୍ୟାନ ନମ୍ବର ଦର୍ଶାଇପାରିବେ ନାହିଁ ।
ତେବେ ଆପଣଙ୍କ ପ୍ୟାନ ନମ୍ବର ସହ ଆଧାର ଲିଙ୍କ ହୋଇଛି କି ? ଯଦି ଜାଣିନାହାନ୍ତି ତେବେ ନିମ୍ନ ଉପାୟରେ ଜାଣିପାରିବେ ..
୧. ଆୟକର ବିଭାଗର ଓ୍ବେବସାଇଟ www.incometax.gov.inକୁ ଯାଆନ୍ତୁ ।
୨. ‘ଆଓ୍ବାର ସର୍ଭିସେସ୍’ ଉପରେ କ୍ଲିକ କଲେ ଯେଉଁ ପେଜ୍ ଆସିବ ସେଥିରେ ଲିଙ୍କ୍ ଆଧାର ଥିବ ।
୩. ଲିଙ୍କ ଆଧାର ଉପରେ କ୍ଲିକ କରିବା ପରେ ଏକ ନୂଆ ପେଜ୍ ଖୋଲିଯିବ ।
୪. ଦିଆଯାଇଥିବା ବକ୍ସରେ ନିଜର ପ୍ୟାନ ଓ ଆଧାର ନମ୍ବର ଦିଅନ୍ତୁ ।
୫. ଏସବୁ ତଥ୍ୟ ଦେବା ପରେ ‘ଭିଉ ଲିଙ୍କ୍ ଆଧାର ଷ୍ଟାଟସ’ ଆସିବ, ତାହା ଉପରେ କ୍ଲିକ କଲେ ଯଦି ଲିଙ୍କ୍ ହୋଇଥିବ ତାହା ଜଣାପଡ଼ିବ ।