ଚଣ୍ଡୀଗଡ଼: ଆମ୍ବୁଲାନ୍ସ୍ ଚକ ରାସ୍ତାରେ ଥିବା ଖାଲରେ ପଡ଼ିଯିବାରୁ ସେଥିରେ ନିଆଯାଉଥିବା ଜଣେ ୮୦ ବର୍ଷିୟ ମୃତ ବ୍ୟକ୍ତି ବଞ୍ଚିଉଠିଥିବା କଥା ଗୁରୁବାର ଦିନ ତାଙ୍କ ପରିବାର ଲୋକେ କହିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ଡାକ୍ତରମାନେ ମୃତ ଘୋଷଣା କରିବା ପରେ ଦର୍ଶନ ସିଂହ ବ୍ରାର୍ଙ୍କ ଶବ ପଞ୍ଜାବର ପଟିୟାଲାରୁ ହରିୟାଣାର କର୍ନଲ୍ ନିକଟରେ ଥିବା ତାଙ୍କ ଘରକୁ ନିଆଯାଉଥିଲା। ସେଠାରେ ଏକତ୍ର ହୋଇଥିଲେ ଶୋକସନ୍ତପ୍ତ ଆତ୍ମୀୟସ୍ବଜନ। ଖାଦ୍ୟ ପରଷା ଯାଇଥିଲା। ଜୁଇ ପାଇଁ କାଠ ସଂଗ୍ରହ ସରିଥିଲା।
ଏତିକି ବେଳେ ଶବ ଆସୁଥିବା ଆମ୍ବୁଲାନ୍ସ୍ ଚକ ରାସ୍ତାରେ ଥିବା ଖାଲରେ ପଡ଼ିଗଲା। ଦର୍ଶନଙ୍କ ଶବ ସହିତ ଆମ୍ବୁଲାନ୍ସ୍ରେ ଆସୁଥିବା ତାଙ୍କ ନାତି ଦେଖିଲା ଯେ, ଜେଜେ ହାତ ହଲାଉଛନ୍ତି। ଛାତିରେ ହାତ ମାରି ଜାଣିପାରିଲା ତାଙ୍କ ହୃଦ୍ସ୍ପନ୍ଦନ ହେଉଛି। ତା’ପରେ ସେ ପାଖରେ ଥିବା କୌଣସି ଡାକ୍ତରଖାନାକୁ ଆମ୍ବୁଲାନ୍ସ୍ ନେଇଯିବା ପାଇଁ ଡ୍ରାଇଭର୍ଙ୍କୁ କହିଲା। ସେଠାରେ ଡାକ୍ତରମାନେ ତାଙ୍କୁ ଜୀବିତ ଘୋଷଣା କଲେ।
ହୃଦ୍ରୋଗରେ ପୀଡ଼ିତ ୮୦ ବର୍ଷିୟ ଦର୍ଶନ ସିଂହ ବ୍ରାର୍ ସମ୍ପ୍ରତି କର୍ନାଲ୍ରେ ଚିକିତ୍ସାଧୀନ ଅଛନ୍ତି। କିନ୍ତୁ, ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟଜନକ ରହିଛି। ଏହି ଅଘଟଣକୁ ତାଙ୍କ ପରିବାର ଲୋକେ ଚମତ୍କାରୀ ବୋଲି କହିବା ସହିତ ଦର୍ଶନଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି।
ରାୱଲ୍ ହସ୍ପିଟାଲ୍ର ଡାକ୍ତର ନେତ୍ରପାଲ୍ କହିଛନ୍ତି, ରୋଗୀ ମରିଯାଇଥିଲେ ବୋଲି ଆମେ କହିପାରିବୁ ନାହିଁ। ତାଙ୍କୁ ଆମ ପାଖକୁ ଅଣାଯିବା ବେଳେ ସେ ନିଃଶ୍ବାସପ୍ରଶ୍ବାସ ନେଉଥିଲେ, ରକ୍ତଚାପ ଓ ନାଡ଼ି ସ୍ପନ୍ଦନ ଠିକ୍ ଥିଲା।