ମୋରାଦାବାଦ : ଦୁର୍ଘଟଣାରେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ। ଡାକ୍ତର ମୃତ ଘୋଷଣା କରିବା ପରେ ମୃତ ବ୍ୟକ୍ତି ରହିବା ପାଇଁ ଉଦ୍ଦିଷ୍ଟ ଫ୍ରିଜରରେ ୭ ଘଣ୍ଟା ରହିଲେ। ତା’ ପରେ ଫ୍ରିଜରରୁ କାଢ଼ି ପୋଷ୍ଟମର୍ଟମ କଲାବେଳକୁ ଜଣାପଡ଼ିଲେ ଜୀବିତ। ଏମିତି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ମୋରାଦାବାଦର ଶ୍ରୀକେଶ କୁମାର ନାମକ ଜଣେ ୪୦ ବର୍ଷୀୟ ଇଲେକ୍ଟ୍ରିସିଆନଙ୍କ କ୍ଷେତ୍ରରେ।
ଖବର ଅନୁସାରେ, ଶ୍ରୀକେଶ କୁମାର ହେଉଛନ୍ତି ମୋରାଦାବାଦର ବାସିନ୍ଦା। ଇଲେକ୍ଟ୍ରିସିଆନ କାମ କରି ସେ ବୃତ୍ତି ନିର୍ବାହ କରନ୍ତି। ଗୁରୁବାର ରାତିରେ ଏକ ବାଇକ୍ ତାଙ୍କୁ ପ୍ରଚଣ୍ଡ ଧକ୍କା ଦେବାରୁ ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ପରୀକ୍ଷା ନିରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଦେଲେ। ତା’ପରେ ପୋଷ୍ଟମର୍ଟମ କରି ମୃତ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା କଥା। କିନ୍ତୁ ରାତିରେ ପୋଷ୍ଟମର୍ଟମ ହୋଇ ନ ପାରିବାରୁ ମୃତ-ଘୋଷିତ ଶରୀରକୁ ଫ୍ରିଜରରେ ରଖାଯାଇଥିଲା। ଏହିପରି ୭ ଘଣ୍ଟା ଫ୍ରିଜରରେ ରହିବା ପରେ ପରଦିନ ପୋଷ୍ଟମର୍ଟମ ପାଇଁ କଢ଼ାଗଲା। ପୁଲିସ ପରିବାର ସଦସ୍ୟଙ୍କ ଦ୍ବାରା ଶବ ଚିହ୍ନଟ କରି ପଞ୍ଚନାମା ପାଇଁ ପ୍ରସ୍ତୁତି କରୁଛି। ପୋଷ୍ଟମର୍ଟମ ପାଇଁ ପରିବାର ସଦସ୍ୟ ବି ଅନୁମତି ଦେଇଦେଲେ। ଏହି ସମୟରେ ଶ୍ରୀକେଶଙ୍କ ଶାଳୀ ମଧୁବାଳା ଦେଖିଲେ ତାଙ୍କ ଦେହ ହଲଚଲ ହେଉଛି। ଏହାପରେ ସେ ଚିଲେଇଲେ- ସେ ବଞ୍ଚିଛନ୍ତି, ପ୍ରଶ୍ବାସ ନେଉଛନ୍ତି...।
ଇମର୍ଜେନ୍ସି ମେଡିକାଲ ଅଫିସର ରାତି ୩ଟାରେ ଦେଖିଥିଲେ ତାଙ୍କର ହୃତ୍ସ୍ପନ୍ଦନ ହେଉ ନ ଥିଲା। ସେ ଭଲଭାବେ ଅନେକ ଥର ପରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ ବୋଲି ମୋରାଦାବାଦ ଚିଫ୍ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡ. ଶିବ ସିଂହ କହିଛନ୍ତି। ଏଭଳି କ୍ଷେତ୍ରରେ ବଞ୍ଚିବା ‘ବିରଳରୁ ବିରଳତମ’ ଏବଂ ଏହାକୁ ଡାକ୍ତରୀ ଅବହେଳା କହିବା ଠିକ୍ ନୁହେଁ ବୋଲି ସିଂହ ବର୍ଣ୍ଣନା କରିଛନ୍ତି। ବର୍ତ୍ତମାନ ଶ୍ରୀକେଶଙ୍କୁ ମିରଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏପର୍ଯ୍ୟନ୍ତ ତାଙ୍କର ଚେତା ଫେରିନି। କିନ୍ତୁ ଡାକ୍ତରମାନେ ସେ ବିପଦମୁକ୍ତ ବୋଲି କହିଛନ୍ତି। ଅପରପକ୍ଷେ ମୋରାଦାବାଦ ଡାକ୍ତରଙ୍କ ବିରୋଧରେ ଅଭିଯୋଗ କରିବାକୁ ପରିବାର ନିଷ୍ପତ୍ତି ନେଇଛି ବୋଲି ମଧୁବାଳା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/dead.jpg)
