ଭାରତ ପହଞ୍ଚିଲା ଶ୍ରୀଦେବୀଙ୍କ ପାର୍ଥିବ ଶରୀର, ଆସନ୍ତାକାଲି ଅପରାହ୍ଣ ସାଢ଼େ ୩ଟାରେ ଅନ୍ତିମ ସଂସ୍କାର

ସେଲିବ୍ରେସନ ସ୍ପୋର୍ଟସ୍‌ କ୍ଲବରେ ଶେଷ ଦର୍ଶନ ପାଇଁ ରହିବ ପାର୍ଥିବ ଶରୀର

ମୁମ୍ବାଇ: ଶେଷରେ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଲା। ବଲିଉଡ୍‌ର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ପାର୍ଥିବ ଶରୀର ଭାରତ ପହଞ୍ଚିଲା। ମୁମ୍ବାଇ ବିମାନ ବନ୍ଦରରେ ଶ୍ରୀଦେବୀଙ୍କ ପାର୍ଥିବ ଶରୀରକୁ ଗ୍ରହଣ କରିବା ପାଇଁ ଶ୍ରୀଦେବୀଙ୍କ ଦିଅର ତଥା ବୋନି କାପୁରଙ୍କ ସାନ ଭାଇ ଅନିଲ କାପୁରଙ୍କ ସମେତ ବଲିଉଡର ବହୁ ମାନ୍ୟଗଣ୍ୟ ତାରକା ଉପସ୍ଥିତ ଥିଲେ। ପରେ ଏକ କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲର ଏକ ଆମ୍ବୁଲାନ୍ସରେ ଶ୍ରୀଦେବୀଙ୍କ ପାର୍ଥିବ ଶରୀରକୁ ଲୋଖଣ୍ଡଓ୍ଵାଲାସ୍ଥିତ ବୋନି କାପୁରଙ୍କ ନିବାସ ‘ଗ୍ରୀନ ଏଡକସ୍‌’କୁ ନିଆଯାଉଛି।

ଦୁବାଇ ବିମାନ ବନ୍ଦରରୁ ସନ୍ଧ୍ୟା ୬ଟା ୩୦ରେ ବାହାରି ଥିବା ଅନିଲ ଅମ୍ବାନିଙ୍କ ବ୍ୟକ୍ତିଗତ ଜେଟ୍‌ରେ ପତି ବୋନି କାପୁର, ଦିଅର ସଞ୍ଜୟ କାପୁର, ପୁତ୍ର ଅର୍ଜୁନ କାପୁର, ରୀନା ମାରଓ୍ଵାହା ଓ ସନ୍ଦୀପ ମାରଓ୍ଵାହା ସମେତ ୧୦ ଜଣ ଶ୍ରୀଦେବୀଙ୍କ ପାର୍ଥିବ ଶରୀର ସହିତ ଦୁବାଇରୁ ଆସି ମୁମ୍ବାଇ ବିମାନ ବନ୍ଦରରେ ମଙ୍ଗଳବାର ରାତି ୯ଟା ୩୦ରେ ଅବତରଣ କରିଛନ୍ତି।

ସୂଚନାଯୋଗ୍ୟ, ଦୁବାଇ ପୋଲିସ୍‌ ଶ୍ରୀଦେବୀଙ୍କ ମୃତଦେହ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିବା ସହ ଏହି ମାମଲାର ତଦନ୍ତ ପ୍ରକ୍ରିୟାକୁ ବନ୍ଦ କରିଛି ବୋଲି ଆଜି ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ଦୁବାଇସ୍ଥିତ ଭାରତୀୟ ଦୂତାବାସର ଅଧିକାରୀଙ୍କ ସହଯୋଗରେ ଶ୍ରୀଦେବୀଙ୍କ ସ୍ୱାମୀ ବୋନି କାପୁର ଓ ପୁତ୍ର ଅର୍ଜୁନ କାପୁର ଶବ ସଂରକ୍ଷଣ ଗୃହ (ମର୍ଗ)ରୁ ତାଙ୍କ ପାର୍ଥିର୍ବ ଶରୀରକୁ ନେଇ ଏବେ ଶବ ସଂରକ୍ଷଣ ପ୍ରକ୍ରିୟା ଶେଷ କରିବା ପାଇଁ ଏମ୍ବାଲିଂ ସେଣ୍ଟରକୁ ନେଇଥିଲେ। ଏହି ପ୍ରକ୍ରିୟା ଶେଷ ହେବା ପାଇଁ ପ୍ରାୟ ଦେଢ଼ରୁ ଦୁଇଘଣ୍ଟା ସମୟ ଲାଗିଥିଲା। ଏହାପରେ କାପୁର ପରିବାର ଦୁବାଇ ବିମାନ ବନ୍ଦରକୁ ଯାଇ ସେଠାରୁ ଏକ ଚାର୍ଟଡ୍‌ ଫ୍ଲାଇଟ୍‌ରେ ଶ୍ରୀଦେବୀଙ୍କ ପାର୍ଥିବ ଶରୀରକୁ କଫିନ୍‌ରେ ଧରି ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।

ଦୁବାଇରୁ ପ୍ରକାଶିତ ସମ୍ବାଦପତ୍ର ‘ଖଲିଜ ଟାଇମ୍‌ସ’ରେ ପ୍ରକାଶିତ ରିପୋର୍ଟ ମୁତାବକ ୨୪ ତାରିଖ ରାତିରେ ଦୁବାଇସ୍ଥିତ ଜୁମୈରା ଏମିରେଟ୍‌ସ ଟାଓ୍ଵାର ହୋଟେଲ୍‌ର ବାଥ୍‌ରୁମ୍‌ରେ ଥିବା ବାଥ୍‌ଟବ୍‌ରେ ଶ୍ରୀଦେବୀ ଅଚେତ ହୋଇ ପଡ଼ିଯାଇଥିଲେ। ପରେ ଏହି ଘଟଣାରେ ଅଣନିଃଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ହୋଇଛି ବୋଲି ବ୍ୟବଚ୍ଛେଦ ରିପୋର୍ଟ ସ୍ପଷ୍ଟ କରିଛି। ଏଥିସହ ଏହି ଅଘଟଣ ବେଳେ ଶ୍ରୀଦେବୀ ନିଶାସକ୍ତ ଅବସ୍ଥାରେ ଥିବା ବ୍ୟବଚ୍ଛେଦ
ରିପୋର୍ଟରେ କୁହାଯାଇଥିଲା। ତେବେ, ଏହି ଫରେନସିକ୍‌ ରିପୋର୍ଟ ମିଳିବା ପରେ ଶ୍ରୀଦେବୀଙ୍କ ମୃତ୍ୟୁ ଘଟଣା ରହସ୍ୟଜନକ ହୋଇପଡ଼ିଥିଲା। କାରଣ ତାଙ୍କ ପରିବାର ପକ୍ଷରୁ ପୂର୍ବରୁ କୁହାଯାଇଥିଲା ଯେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା। ଏସମସ୍ତ ଘଟଣାକ୍ରମ ଭିତରେ ସମଗ୍ର ଘଟଣା ରହସ୍ୟ ଭିତରକୁ ଯାଉଥିବାରୁ ଦୁବାଇ ପୋଲିସ ବିଭିନ୍ନ ଦିଗରୁ ଯାଞ୍ଚ ଆରମ୍ଭ କରିଥିଲା। ଶେଷରେ ଏହି ମାମଲା ଦୁବାଇ କୋର୍ଟକୁ ଯାଇଥିଲା। ତେବେ ଅଦାଲତଙ୍କ ଚୂଡ଼ାନ୍ତ ଶୁଣାଣି ପରେ ପୋଲିସ୍‌ ଶ୍ରୀଦେବୀଙ୍କ ପାର୍ଥିବ ଶରୀରକୁ ତାଙ୍କ ପରିବାରବର୍ଗଙ୍କୁ ଆଜି ଅପରାହ୍ନରେ ହସ୍ତାନ୍ତର କରିବା ସହ ଏହି ମାମଲାର ତଦନ୍ତ ବନ୍ଦ କରିଛି ବୋଲି ଘୋଷଣା କରିଛି।

ସମ୍ବନ୍ଧିତ ଖବର