୫୦ ବର୍ଷରେ ଫେସ୍‌ବୁକରେ ଜୀବିତଙ୍କୁ ଟପିଯିବେ ମୃତକ

ଲଣ୍ଡନ: ଆଗାମୀ ୫୦ ମଧ୍ୟରେ ଅର୍ଥାତ୍ ୨୦୭୦ ମସିହା ବେଳକୁ ଲୋକପ୍ରିୟ ସୋସିଆଲ୍‌ ମିଡିଆ ଫେସ୍‌ବୁକରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିବ। ଏହାର ଜୀବିତ ବ୍ୟବହାରକାରୀଙ୍କ ଠାରୁ ମୃତକଙ୍କ ସଂଖ୍ୟା ଟପିଯିବ। ଏଭଳି ସ୍ଥିତରେ ଏତେ ବିଶାଳ ପରିମାଣର ଡିଜିଟାଲ୍ ତଥ୍ୟକୁ ଭବିଷ୍ୟତରେ କିଭଳି ସୁରକ୍ଷିତ ଭାବେ ବ୍ୟବହାର କରାଯାଇପାରିବ ଏନେଇ ଅକ୍ସଫୋର୍ଡର ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ୨୦୧୮ ତଥ୍ୟ ଅନୁଯାୟୀ, ୨୧୦୦ ମସିହା ସୁଦ୍ଧା ୧୦୪ କୋଟି ଫେସ୍‌ବୁକ ବ୍ୟବହାରକାରୀଙ୍କର ମୃତ୍ୟୁ ହୋଇଯାଇଥିବ। ୨୧୦୦ ମସିହା ଶେଷ ସୁଦ୍ଧା ଫେସ୍‌ବୁକ ବ୍ୟବହାରକାରୀଙ୍କ ସଂଖ୍ୟା ୪୯୦ କୋଟିରେ ପହଂଚିବ। ଏହି ତଥ୍ୟ ଆଧାରରେ, ୨୦୭୦ ସୁଦ୍ଧା ଫେସ୍‌ବୁକ ବ୍ୟବହାର କରୁଥିବା ଜୀବିତ ବ୍ୟକ୍ତିଙ୍କ ଠାରୁ ମୃତକଙ୍କ ସଂଖ୍ୟା ଟପିଯିବ। ଏଭଳି ସ୍ଥିତରେ ମୃତକଙ୍କ ଫେସ୍‌ବୁକ ଆକାଉଣ୍ଟ୍‌କୁ କିଏ କିପରି ବ୍ୟବହାର କରିବ ସେ ନେଇ ଏବେଠୁ ଆଲୋଚନା ଆରମ୍ଭ ହୋଇଯାଇଛି। ବର୍ତମାନ ଯୁଗରେ ପ୍ରାୟ ସମସ୍ତେ ଫେସ୍‌ବୁକ ବ୍ୟବହାର କରୁଥିବାରୁ ଏହା ଭବିଷ୍ୟତରେ ଇତିହାସ ପାଇଁ ତଥ୍ୟ ଯୋଗାଇବ।  ତେଣୁ ଏହି ସବୁ ତଥ୍ୟର ରକ୍ଷଣାବେକ୍ଷଣ ଏବଂ ମାଲିକାନା  କାହା ହାତରେ ରହିବ ତାହା ଗୁରୁତ୍ୱପୂର୍ଣ୍ଣ ବୋଲି ଅକ୍ସଫୋର୍ଡର ବିଶେଷଜ୍ଞ କାର୍ଲ ଅମାନ୍‌ କହିଛନ୍ତି। ଅନ୍ୟ ଜଣେ ବିଶେଷଜ୍ଞ ଡେଭିଡ୍‌ ୱାଟ୍‌ସନ୍‌ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇ କହିଛନ୍ତି, ମାନବ ଇତିହାସରେ ଆଗରୁ ଏଭଳି ତଥ୍ୟ ଗୋଟିଏ ସ୍ଥାନରେ ରହିଥିବା ଦେଖାଯାଇ ନଥିଲା। ଏହି ତଥ୍ୟ ଯାହା ପାଖରେ ରହିବ ସେ ଇତିହାସକୁ ନିୟନ୍ତ୍ରଣ କରିବ।

ସମ୍ବନ୍ଧିତ ଖବର