ଫେରିଲେ ‘ମୃତ’ ଯୁବକ: ଫିଟୁଛି କାସଗଂଜ ଦଙ୍ଗା ରହସ୍ୟ

ର‍୍ୟାଲି ନେଇ ପ୍ରଶ୍ନ ଉଠାଇଲେ ଜିଲ୍ଲାପାଳ : ବିଶୃଙ୍ଖଳାକାରୀ କାହାକୁ ଛଡ଼ାଯିବନି

ଲକ୍ଷ୍ନୌ: ଗତ ଶୁକ୍ରବାର ପଶ୍ଚିମ ଉତ୍ତରପ୍ରଦେଶର କାସଗଞ୍ଜ ସହରରେ ସଂଘଟିତ ଗୋଷ୍ଠୀ ସଂଘର୍ଷରୁ ସୃଷ୍ଟ ଉତ୍ତେଜନା ଥମିବାର ନାଁ ଧରୁନଥିବା ବେଳେ ଏହାକୁ ନେଇ ନୂଆ ନୂଆ ବିବାଦ ଦେଖାଦେବାରେ ଲାଗିଛି। ଘଟଣା ଦିନ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ହୋଇଥିବା ଖବର ହିଂସାକାଣ୍ଡ ପରବର୍ତ୍ତୀ ପୋଡ଼ାଜଳାକୁ ଅଧିକ ଶାଣିତ କରିଥିବା ବେଳେ ମୃତ ଘୋଷିତ ଯୁବକଙ୍କ ମଧ୍ୟରୁ ଜଣେ ଆଜି ଆବିର୍ଭାବ ହେବା ଘଟଣା ବିବାଦୀୟ ସ୍ଥିତି ଆଣିଦେଇଛି। ତାଙ୍କ ମୃତ୍ୟୁ ଖବରକୁ ଆଧାର କରି କିଛି ଲୋକ ସେଠାରେ ହିଂସାକୁ ଉସୁକାଉଥିବା ଅନୁଭବ କରି ଆଲିଗଡ଼ ନଗଲା ଖଞ୍ଜି ଗାଁର ରାହୁଲ ଉପାଧ୍ୟାୟ ନାମକ ଏହି ୨୪ ବର୍ଷୀୟ ଯୁବକ ଜଣକ କାସଗଞ୍ଜରେ ପହଞ୍ଚି ଅନ୍ୟମାନଙ୍କୁ ସ୍ତବ୍ଧ କରିଦେଇଛନ୍ତି।
ସୂଚନା ଥାଉ କି, ଗତ ଶୁକ୍ରବାର ଜନରାଜ୍ୟ ଦିବସ ପାଳନ ପାଇଁ ଏବିଭିପି ଏବଂ ଭିଏଚ୍‌ପି ପକ୍ଷରୁ କାସଗଞ୍ଜରେ ଚାଲିଥିବା ‘ତିରଙ୍ଗା ଯାତ୍ରା’କୁ ବଦୁନଗର ଠାରେ କିଛି ସ୍ଥାନୀୟ ଲୋକ ବିରୋଧ କରିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଭୀଷଣ ସଂଘର୍ଷ ଘଟିଥିଲା। ଉଭୟ ସମ୍ପ୍ରଦାୟ ମଧ୍ୟରେ ଢେଲାପଥର ମାଡ଼ରେ ଡଜନେରୁ ଅଧିକ ଗାଡ଼ି ଭଙ୍ଗାରୁଜା ହେବା ସହ ଗୁଳିମାଡ଼ରେ ଅଭିଷେକ ଗୁପ୍ତା ନାମକ ଜଣେ ଯୁବକ(୨୨)ଙ୍କର ମୃତ୍ୟୁ ଏବଂ ଅନ୍ୟ ଜଣେ ଆହତ ହୋଇଥିଲେ।

ପ୍ରତିକ୍ରିୟା ସ୍ୱରୂପ ଶନିବାର ସ୍ଥାନୀୟ ଘଣ୍ଟାଘର ଅଞ୍ଚଳରେ ଉତ୍ତେଜିତ ଲୋକେ ଦୁଇଟି ଦୋକାନ ଓ ଗୋଟିଏ ବସ୍‌ରେ ନିଆଁ ଲଗାଇ ଦେଇଥିଲେ। ତେବେ ଅଭିଷେକଙ୍କ ସହିତ ରାହୁଲଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଗୁଜବ ପ୍ରଚାର ପରେ ରବିବାର ସକାଳେ ଉତ୍ତ୍ୟକ୍ତ ଲୋକେ ଆଉ ଗୋଟିଏ ଦୋକାନକୁ ମଧ୍ୟ ଜାଳିଦେଇଥିଲେ। ରାହୁଲ୍‌ଙ୍କ ମୃତ୍ୟୁ ଖବର ସୋସିଆଲ୍‌ ମିଡିଆରେ ଛାଇଯିବା ପରେ କେତେକ ଖବରକାଗଜ ମଧ୍ୟ ତାହାକୁ ପ୍ରକାଶ କରିଥିଲେ। ତେବେ ଏ ସମ୍ପର୍କରେ ସତ୍ୟାସତ୍ୟ ଜାଣିବା ପାଇଁ ସାଙ୍ଗସାଥୀ ଓ ସମ୍ପର୍କୀୟମାନେ ରାହୁଲ୍‌ଙ୍କ ଘରକୁ ଫୋନ୍‌ କଲା ପରେ ଭୁଲ୍‌ବଶତଃ କିଛି ଗୋଟେ ବିଗିଡ଼ିଯାଉଥିବା ଅନୁଭବ କରି ରାହୁଲ୍‌ ଆଜି କାସଗଞ୍ଜରେ ପହଞ୍ଚି ପୁସିଲକୁ ଦେଖାଦେଇଥିଲେ।

ବରେଲି: କାସଗଞ୍ଜ ଗୋଷ୍ଠୀ ସଂଘର୍ଷ ପରେ ଫେସ୍‌ବୁକ୍‌ରେ ବରେଲି ଜିଲ୍ଲାପାଳ ଛାଡ଼ିଥିବା ବିବାଦୀୟ ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପରେ ସେ ଉକ୍ତ ପୋଷ୍ଟ୍‍କୁ ହଟାଇନେବା ସହ ତାଙ୍କ ବିବୃତିର ଭିନ୍ନ ଅର୍ଥ କରାଯାଇଥିବା କହିଛନ୍ତି। ବରେଲି ଡିଏମ୍‌ ବିକ୍ରମ ସିଂହ ଗତ ୨୮ ତାରିଖରେ ଫେସ୍‌ବୁକ୍‌ରେ ଛାଡ଼ିଥିବା ପୋଷ୍ଟ୍‍ରେ କହିଥିଲେ ଯେ ମୁସ୍‌ଲିମ୍‌ ଇଲାକାରେ ଶୋଭାଯାତ୍ରା କରି ପାକିସ୍ତାନ ବିରୋଧୀ ସ୍ଲୋଗାନ ଦେବା କିଛି ଲୋକଙ୍କର ଅଭ୍ୟାସ ପାଲଟିଯାଇଛି। ଏହା ନିଃସନ୍ଦେହ ଯେ ପାକିସ୍ତାନ ଆମର ଶତ୍ରୁ। ମାତ୍ର ଭାରତୀୟ ମୁସଲିମ୍‌ମାନେ କାହିଁକି ଶତ୍ରୁ ହେବେ। ସେମାନେ ଆମର ଭାଇ। ଆମମାନଙ୍କର ରକ୍ତ ଆଉ ଡିଏନ୍‌ଏ ସମାନ।

ବରେଲିର ଖୈଲାମ୍‌ରେ ବି ଏକା କଥା ଘଟିଥିଲା। ପରେ ଲୋକେ ପଥର ପିଙ୍ଗା ଆରମ୍ଭ କରିଥିଲେ ଏବଂ ଏତଲା ରୁଜୁ ହୋଇଥିଲା ବୋଲି ସେ ଲେଖିଥିଲେ। ଯଦିଓ ଶ୍ରୀ ସିଂହ ତାଙ୍କ ଫେସ୍‌ବୁକ୍‌ ପୋଷ୍ଟ୍‍ରେ କାସଗଞ୍ଜ କଥା ଉଲ୍ଲେଖ କରିନଥିଲେ, ତେବେ ସମ୍ପ୍ରତି ରାଜ୍ୟରେ ଦେଖାଦେଇଥିବା ସାମ୍ପ୍ରଦାୟିକ କନ୍ଦଳର ଏହା ପ୍ରତିଫଳନ ବୋଲି କୁହାଯାଇଥିଲା। ଏହାକୁ ନେଇ ସମାଲୋଚନା ପରେ ସେ ତାଙ୍କର ଏହି ମନ୍ତବ୍ୟକୁ ଫେସ୍‌ବୁକ୍‌ରୁ ହଟାଇ ଦେଇଛନ୍ତି ଏବଂ ଏଥିପାଇଁ କ୍ଷମା ପ୍ରାର୍ଥନା କରି ନୂତନ ପୋଷ୍ଟ୍‍ କରିଛନ୍ତି।
ଲକ୍ଷ୍ନୌ, ୩୦|୧: ଗୋଷ୍ଠା ସଂଘର୍ଷ ଆଳରେ ଯେଉଁମାନେ ଏପରି ଅରାଜକତା ସୃଷ୍ଟି କରୁଛନ୍ତି, କୌଣସି ହାଲତରେ ବି ସେମାନଙ୍କୁ ଛଡ଼ାଯିବନି। ବିଶୃଙ୍ଖଳାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୋର୍‌ କରି କହିଛନ୍ତି। କାସଗଞ୍ଜ ଘଟଣା ଅତ୍ୟନ୍ତ ଲଜ୍ଜାଜନକ ଏବଂ ରାଜ୍ୟ ପାଇଁ କଳଙ୍କ ବୋଲି ଗତକାଲି ରାଜ୍ୟପାଳ ରାମ ନାଏକ ଉଦ୍‌ବେଗ ପ୍ରକାଶ କରିବା ପରେ ଆଜି ଆଦିତ୍ୟନାଥଙ୍କ ଏପରି କାର୍ଯ୍ୟାନୁଷ୍ଠାନ ଆଭିମୁଖ୍ୟ ନିଶ୍ଚିତ ଭାବରେ ଗୁରୁତ୍ୱ ବହନ କରୁଛି।

ଉଲ୍ଲେଖ ଥାଉ କି, କାସଗଞ୍ଜ ପରିସ୍ଥିତିରେ ସୁଧାର ଆସିନଥିବା ବେଳେ ସୋମବାର ରାଜ୍ୟପାଳ ରାମ ନାଏକ ଏହାର ତୀବ୍ର ନିନ୍ଦା କରିଥିଲେ। ରାଜ୍ୟର କୌଣସି ଘଟଣାରେ ଯେପରି ଏହାର ପୁନରାବୃତ୍ତି ନହୁଏ, ସେଥିପ୍ରତି ରାଜ୍ୟ ସରକାର ତତ୍ପର ରହିବା ପାଇଁ ତାଗିଦ କରିଥିଲେ। ରାଜ୍ୟପାଳଙ୍କ ଏପରି ଉଦ୍‌ବେଗ ରାଜ୍ୟରେ ଆଇନ ଶୃଙ୍ଖଳା ପରସ୍ଥିତିକୁ ଆଙ୍ଗୁଠି ଦେଖାଇଥିବା ବେଳେ ପରିସ୍ଥିତିର ଗମ୍ଭୀରତାକୁ ହାଲ୍‌କା କରିବା ପାଇଁ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ସ୍ୱରୂପ କାସଗଞ୍ଜର ପୁଲିସ ଅଧୀକ୍ଷକ ସୁନୀଲ୍‌ କୁମାର ସିଂହଙ୍କୁ ହଟାଇନେଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ଆଜିର ଘୋଷଣା ରାଜ୍ୟର ଅସାମାଜିକ ତତ୍ତ୍ୱଙ୍କ ପାଇଁ ମଧ୍ୟ କଠୋର ବାର୍ତ୍ତା ପହଞ୍ଚାଇଛି।

ସମ୍ବନ୍ଧିତ ଖବର