ଲକ୍ଷ୍ନୌ: ଯୁବକଙ୍କୁ ଫସାଇବା ପାଇଁ ନିଜ ହତ୍ୟାର ନାଟକ ରଚିଥିଲେ ନାବାଳିକା। ଏଥିରେ ସେ ସଫଳ ମଧ୍ୟ ହେଲେ। ୧୫ବର୍ଷୀୟ ନାବାଳିକାଙ୍କ ଅପହରଣ କରି ହତ୍ୟା କରିଥିବା ଅଭିଯୋଗରେ ଯୁବକ ଜେଲ ମଧ୍ୟ ଗଲେ। ସମସ୍ତେ ଏହାକୁ ବିଶ୍ବାସ କରିଥିଲେ ବି ମା’ର ମନ ବୁଝିନଥିଲା। ପୁଅ କେବେ କି କାହାକୁ ହତ୍ୟା କରିପାରିବ ନାହିଁ ବୋଲି ଥିବା ବିଶ୍ବାସ ତାଙ୍କୁ ସତ ଖୋଜିବାକୁ ବାଧ୍ୟ କଲା। ପୁଲିସ କରିଥିବା ତଦନ୍ତରେ ବିଶ୍ବାସ ନକରି ଜେଲରେ ଥିବା ପୁଅ ପାଇଁ ମା’ ନିଜେ ତଦନ୍ତ ଆରମ୍ଭ କରିଥିଲେ। ୭ବର୍ଷ କାଳ ପରିଶ୍ରମ କରିବା ପରେ ଏବେ ସେ ପ୍ରକୃତ ସତ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି। ଯେଉଁ ଯୁବତୀଙ୍କ ହତ୍ୟା ପାଇଁ ତାଙ୍କ ପୁଅ ଜେଲରେ ଅଛି, ସେ ପ୍ରକୃତରେ ଜୀବିତ ବୋଲି ପ୍ରମାଣ କରି ଦେଖାଇଛନ୍ତି ମା’। ପୁଲିସ ଏବେ ଯୁବତୀଙ୍କ ପରିଚୟ ଜାଣିବା ପାଇଁ ତାଙ୍କର ଡିଏନଏ ପରୀକ୍ଷା କରିବ ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ୨୦୧୫ରେ ୧୫ବର୍ଷୀୟ ନାବାଳିକା ନିଖୋଜ ହେବା ପରେ ତାଙ୍କ ପରିବାର ପୁଲିସରେ ଅଭିଯୋଗ କରିଥିଲେ। ବିବାହର ଲୋଭ ଦେଇ ପଡୋଶୀ ବିଷ୍ଣୁ ନାବାଳିକାଙ୍କୁ ଅପହରଣ କରିଥିବା ନେଇ ଅଭିଯୋଗ କରାଯାଇଥିଲା। କିଛି ଦିନ ପରେ ଆଗ୍ରାରେ ଜଣେ ଯୁବତୀଙ୍କ ମୃତଦେହ ମିଳିବାରୁ ନାବାଳିକାଙ୍କ ବାପା ମୃତଦେହଟି ତାଙ୍କ ଝିଅର ବୋଲି ଚିହ୍ନଟ କରିଥିଲେ। ଏହା ପରେ ବିଷ୍ଣୁଙ୍କୁ ହତ୍ୟା ଅଭିଯୋଗରେ ଜେଲ ପଠାଯାଇଥିଲା। ହେଲେ ପୁଲିସର ତଦନ୍ତରେ ବିଶ୍ୱାସ ନକରି ବିଷ୍ଣୁଙ୍କ ମା’ ନିଜେ ଏକ ଅନୁସନ୍ଧାନ ଆରମ୍ଭ କରିଥିଲେ ଏବଂ ୭ବର୍ଷ ପରେ ସେ ଯୁବତୀଜଣକ ହାଥରସରେ ଥିବା ଜାଣିପାରିଥିଲେ। ଯୁବତୀ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ବିଷ୍ଣୁଙ୍କ ମା’ ତାଙ୍କୁ କାବୁ କରିଥିଲେ।
ଯୁବତୀଙ୍କୁ ସୋମବାର ଅଲିଗଡ଼ର ଏକ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିବା ବେଳେ ମଙ୍ଗଳବାର ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା। ଏବେ ପରିଚୟ ଜାଣିବା ପାଇଁ ତାଙ୍କର ଡିଏନଏ ପରୀକ୍ଷା ହେବ ବୋଲି କହିଛି ପୁଲିସ।