୩୮ ବର୍ଷ ପରେ ବରଫ ତଳୁ ମିଳିଲା ଭାରତୀୟ ଯବାନଙ୍କ ମୃତଦେହ, ୧୯୮୪ ମେଘଦୂତ ଅପରେସନରେ ଚାଲିଯାଇଥିଲା ଜୀବନ

ସିଆଚେନ୍: ୩୮ ବର୍ଷ ପରେ ମିଳିଲା ବରଫ ତଳୁ ମିଳିଲା ଯବାନଙ୍କ ମୃତଦେହ | ଆଉ ଏହା ଜାଣିବା ପରେ ଯବାନଙ୍କ ପରିବାର ଏବେ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ସିଆଚେନ୍ ଗ୍ଲାସିଅରରେ ବରଫ ଧସିବା କାରଣରୁ ପ୍ରାଣ ହରାଇଥିବା ଲାନସନାୟକ ଚନ୍ଦ୍ରଶେଖର ହରବୋଲାଙ୍କ ମୃତଦେହ ମିଳିଛି। ମୃତଦେହ ମିଳିବାର ସୂଚନା ପାଇବା ପରେ ପରିବାର ପକ୍ଷରୁ ଏବେ ରୀତିନୀତିରେ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି |

ମିଳିଥିବା ସୂଚନା ଅନୁଯାୟୀ, ସହିଦଙ୍କ ମୃତଦେହ ମଙ୍ଗଳବାର ଦିନ ଉତ୍ତରାଖଣ୍ଡର ହଲଦୱାନୀରେ ପହଞ୍ଚିବାର ସମ୍ଭାବନା ରହିଛି। ଚନ୍ଦ୍ରଶେଖର ହରବୋଲାଙ୍କ ପୈତୃକ ଘର ଉତ୍ତରାଖଣ୍ଡର ଆଲମୋରା ଜିଲ୍ଲାର ବିଣ୍ଟାହାଟିଖୁର ଗ୍ରାମ ହୋଇଥିବାବେଳେ ୧୯୭୧ ମସିହାରେ କୁମାଉଁ ରେଜିମେଣ୍ଟରେ ସେ ଯୋଗ ଦେଇଥିଲେ | ମେ ୧୯୮୪ରେ, ଲେଫ୍ଟନେଣ୍ଟ ପିଏସ ପୁଣ୍ଡିରଙ୍କ ନେତୃତ୍ୱରେ ୧୯ ଜଣ ସୈନିକଙ୍କ ଏକ ଟିମ୍ ଅପରେସନ୍ ମେଘଦୂତ ପାଇଁ ବାହାରିଥିଲେ | ଆଉ ମେ ୨୯ରେ, ହିମସ୍ଖଳନ ଯୋଗୁଁ ଏହି ଟିମ ଉପରେ ବରଫ ପାହାଡ ଧସିହୋଇପଡିଥିଲା | ଏହାପରେ ଚନ୍ଦ୍ରଶେଖରଙ୍କ ସହ ଅନ୍ୟମାନଙ୍କୁ ସହିଦ ବୋଲି ଘୋଷଣା କରାଯାଇଥିଲା |

ସେତେବେଳେ ଲାନ୍ସନାୟକ ଚନ୍ଦ୍ରଶେଖରଙ୍କ ବୟସ ୨୮ ବର୍ଷ ଥିଲା। ଶନିବାର ରାତିରେ ସହିଦଙ୍କ ପତ୍ନୀ ଶାନ୍ତି ଦେବୀଙ୍କୁ ଫୋନ ଆସିଥିଲା ଯେ ସହିଦ ଲାନ୍ସନାୟକ ଚନ୍ଦ୍ରଶେଖରଙ୍କ ମୃତଦେହ ଗ୍ଲାସିଅରରୁ ଉଦ୍ଧାର କରାଯାଇଛି । ଆଉ ସ୍ଥାନୀୟ ପ୍ରଶାସନର ସୂଚନା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ସହିଦଙ୍କ ମୃତଦେହ ହଲଦୱାନୀରେ ପହଞ୍ଚିବ। ରାନୀବାଗସ୍ଥିତ ଚିତ୍ରଶିଲା ଘାଟରେ ସହିଦଙ୍କ ଶେଷ ରୀତିନୀତି ରାଜକୀୟ ସମ୍ମାନ ସହିତ ପାଳନ କରାଯିବ ବୋଲି କୁହାଯାଇଛି |

ସମ୍ବନ୍ଧିତ ଖବର