ଆତ୍ମହତ୍ୟା କଲେ ଏନଟିଆରଙ୍କ ଝିଅ ଉମା ମାହେଶ୍ବରୀ

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଟି ରାମାରାଓଙ୍କ ସାନ ଝିଅ କେ. ଉମା ମାହେଶ୍ବରୀଙ୍କ ମୃତ ଦେହ ତାଙ୍କ ହାଇଦ୍ରାବାଦ ଜୁବୁଲି ହିଲସ୍ଥିତ ବାସଭବନରୁ ମିଳିଛି । ସେ ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି ।

ନିଜର ଖରାପ ସ୍ବାସ୍ଥ୍ୟାବସ୍ଥା ଯୋଗୁଁ ସେ ବିଗତ କିଛି ମାସ ଧରି ମାନସିକ ଅବସାଦରେ ରହୁଥିଲେ । ଏହି କାରଣରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ମନେ କରାଯାଉଛି । ତାଙ୍କ ମୃତଦେହ ତାଙ୍କ ଶୋଇବା ଘର ସିଲିଂ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା । ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଜୁବୁଲି ହିଲ୍ସ ପୁଲିସ ଅଧିକାରୀ ରାଜଶେଖର ରେଡ୍ଡୀ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ମନେହେଉଛି । ତାଙ୍କ ମୃତଦେହକୁ ଓସମାନିଆ ହସପିଟାଲକୁ ନିଆଯାଇଛି ।

ଏନ.ଟି,ରାମାରାଓ କିମ୍ବା ସଂକ୍ଷେପରେ ଏନଟିଆରଙ୍କ ୪ ଝିଅଙ୍କ ମଧ୍ୟରୁ ସେ ଥିଲେ ସବୁଠାରୁ ସାନ ଝିଅ । ସେ ମଧ୍ୟ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁଙ୍କ ଶାଳୀ ।

ନିଜର ସଫଳ ସିନେମା କ୍ୟାରିୟର ପରେ ଏନଟିଆର ୧୯୮୨ରେ ତେଲଗୁଦେଶମ ଦଳ ଗଠନ କରିଥିଲେ । ୧୯୯୬ରେ ଜ୍ବାଇଁ ଚନ୍ଦ୍ରବାବୁ ନାଇଡୁ ଏକ ବିଦ୍ରୋହ କରି ଦଳର ମଙ୍ଗ ସମ୍ଭାଳିଥିଲେ ଓ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାର କିଛି ମାସ ପରେ ୭୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା ।

 

ସମ୍ବନ୍ଧିତ ଖବର