ପାଟନା : ବିହାର ରାଜଧାନୀ ପାଟନା ନିକଟସ୍ଥ ଏକ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଟଙ୍କା ଉଠାଣ ପାଇଁ ଜଣେ ବ୍ୟକ୍ତିଙ୍କ ମର ଶରୀରକୁ ନେଇ ଗ୍ରାମବାସୀମାନେ ବ୍ୟାଙ୍କ୍ରେ ପହଞ୍ଚିବା ପରେ ବ୍ୟାଙ୍କରେ ହଇଚଇ ସୃଷ୍ଟି ହୋଇଥିଲା । ଏଥିପାଇଁ ବ୍ୟାଙ୍କ୍ କାର୍ଯ୍ୟରେ ପ୍ରାୟ ୩ ଘଣ୍ଟା ବାଧା ଉପୁଜିଥିଲା। କଥାଟି ଖୁବ୍ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ସିଂଗ୍ରିୟାବା ଗ୍ରାମର ମହେଶ ଯାଦବ ନାମକ ଜଣେ ବ୍ୟକ୍ତିଙ୍କର ଗତ ମଂଗଳବାର ହୃଦ୍ଘାତରେ ମୃତ୍ୟୁ ହୋଇଥିଲା। ତାଙ୍କର କେହି ଉତ୍ତରାଧିକାରୀ ନାହାନ୍ତି କି ସମ୍ପର୍କୀୟ ନାହାନ୍ତି । ହଠାତ୍ ତାଙ୍କର ମୃତ୍ୟୁ ହୋଇଯିବା ପରେ ଗ୍ରାମବାସୀମାନେ ତାଙ୍କ ଘରେ ପହଞ୍ଚିଥିଲେ ଏବଂ ତାଙ୍କ ବ୍ୟାଙ୍କ୍ ପାସବୁକ୍ରେ ୧ ଲକ୍ଷ ୧୮ ହଜାର ଟଙ୍କା ଥିବା ଜାଣିଥିଲେ। ତେଣୁ ସେମାନେ ମହେଶଙ୍କ ଅନ୍ତିମ ସଂସ୍କାର ପାଇଁ ଟଙ୍କା ଉଠାଇବାକୁ ଚାହିଥିଲେ।
ମହେଶଙ୍କର କେହି ଉତ୍ତରାଧିକାରୀ ନଥିବାରୁ ଟଙ୍କା ଉଠାଇବା ଏତ ସହଜ ନଥିଲା । ତେଣୁ ଗ୍ରାମବାସୀମାନେ ତାଙ୍କ ମର ଶରୀର ଧରି ସିଧା ଯାଇ କାନାରା ବ୍ୟାଙ୍କ୍ର ସିଂଗ୍ରିୟାବା ବ୍ରାଞ୍ଚ୍ରେ ପହଞ୍ଚିଥିଲେ। ଶାହଜାହନପୁର ଥାନା ଏସ୍ଏଚ୍ଓ ଅମରେନ୍ଦ୍ର କୁମାର କହିଛନ୍ତି, ଗ୍ରାମବାସୀମାନେ ମହେଶ୍ଙ୍କ ଆକାଉଣ୍ଟ୍ରୁ ୨୦ ହଜାର ଟଙ୍କା ଉଠାଇବାକୁ ଚାହିଥିଲେ। ସେମାନେ କହିଥିଲେ ଯେ ଯଦି ଜଣେ ବ୍ୟକ୍ତିର ଟଙ୍କା ତା’ ମୃତ୍ୟୁପରେ ଅନ୍ତିମ ସଂସ୍କାର କାର୍ଯ୍ୟରେ ନ ଲାଗେ ତେବେ ସେ ଟଙ୍କା ଥାଇ ଲାଭ କ’ଣ। ୬୫ ବର୍ଷୀୟ ମହେଶ୍ ଅବିବାହିତ ଏବଂ ତାଙ୍କ ପରିବାରରେ ଅନ୍ୟ କେହି ନାହାନ୍ତି। ଗ୍ରାମବାସୀ ବ୍ୟାଙ୍କ୍ରେ ଶବ ରଖି ଟଙ୍କା ଦାବି କରିବାରୁ ବ୍ୟାଙ୍କ୍ ମ୍ୟାନେଜର ସେମାନଙ୍କୁ ୧୦ ହଜାର ଟଙ୍କା ଦେଇଥିଲେ ଏବଂ ଗାଁ ମୁଖିଆ ନିଜ ପକେଟ୍ରୁ ୫ ହଜାର ଟଙ୍କା ଦେଇଥିଲେ। ମହେଶ ଦିନ ମଜୁରିଆ ଭାବେ କାମ କରୁଥିଲେ।