କ୍ୱେଟା: ଚୀନ୍‌ ରାଷ୍ଟ୍ରଦୂତଙ୍କୁ ଆତିଥ୍ୟ ଦେଇଥିବା ଦକ୍ଷିଣପଶ୍ଚିମ ପାକିସ୍ତାନ ଅନ୍ତର୍ଗତ ଏକ ବିଳାସମୟ ହୋଟେଲ୍‌ରେ ମାରାତ୍ମକ ବୋମା ବିସ୍ଫୋରଣ ଘଟି ଅନ୍ୟୂନ ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଆହୁରି ଅନେକ ବ୍ୟକ୍ତି ଆହତ ହୋଇଥିବା କଥା ବିଳମ୍ବିତ ବୁଧବାରେ ସରକାରୀ ଅଧିକାରୀମାନେ କହିଛନ୍ତି।

Advertisment

ବାଲୋଚିସ୍ତାନ ପ୍ରଦେଶର ରାଜଧାନୀ କ୍ୱେଟାରେ ଅବସ୍ଥିତ ହୋଟେଲ୍‌ ‘ସେରିନା’ର କାର୍‌ ପାର୍କରେ ଏହି ବିସ୍ଫୋରଣ ଘଟିଛି। ‘ସେରିନା’ ହେଉଛି ସମଗ୍ର ପାକିସ୍ତାନରେ ଥିବା ଏକ ବିଳାସମୟ ହୋଟେଲ୍‌ ଶୃଙ୍ଖଳ।

ପାକିସ୍ତାନର ଅଭ୍ୟନ୍ତରୀଣ ମନ୍ତ୍ରୀ ଶେଖ୍‌ ରଶିଦ ଅହମଦ୍‌ ଏହି ବିସ୍ଫୋରଣକୁ ଆତଙ୍କବାଦ କାଣ୍ଡ ବୋଲି ଅଭିହିତ କରି ଗଣମାଧ୍ୟମକୁ କହିଛନ୍ତି, ଏଥିରେ ଅନ୍ୟୂନ ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୧୨ଜଣ ଆହତ ହୋଇଛନ୍ତି।

publive-image Image Courtesy of India Today

ଚୀନ୍‌ ରାଷ୍ଟ୍ରଦୂତଙ୍କ ନେତୃତ୍ୱାଧୀନ ଏକ ୪ଜଣିଆ ଚୀନା ପ୍ରତିନିଧି ଦଳ ଏହି ହୋଟେଲ୍‌ରେ ଅବସ୍ଥାନ କରୁଥିଲେ। ବିସ୍ଫୋରଣ ଘଟିବା ସମୟରେ ରାଷ୍ଟ୍ରଦୂତ କୌଣସି ଏକ ବୈଠକରେ ଯୋଗ ଦେବା ଲାଗି ବାହାରକୁ ଯାଇଥିଲେ।

ବିସ୍ଫୋରଣ ପରେ ପରେ ନିରାପତ୍ତା ବଳ ‘ସେରିନା ହୋଟେଲ୍‌’କୁ ଧାଇଁ ଯାଇଥିଲେ, ଏବଂ ବିସ୍ଫୋରଣସ୍ଥଳକୁ କାହାରିକୁ ଛଡ଼ାଯାଇ ନ ଥିଲା। ଉଦ୍ଧାରକାରୀମାନେ ଆହତମାନଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାମାନଙ୍କୁ ନେଇଯାଇଥିବା କଥା ପୁଲିସ କହିଛି। ପାକିସ୍ତାନ ‘ନିଉଜ୍‌ ଚାନେଲ୍‌’ରେ ଜଳନ୍ତା କାର୍‌ଗୁଡ଼ିକର ‘ଫୁଟେଜ୍‌’ ମଧ୍ୟ ପ୍ରସାରିତ ହୋଇଛି। ପାର୍କରେ ଥିବା କାର୍‌ ମଧ୍ୟରେ ‘ଆଇଇଡି’ ରଖାଯାଇଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ପାକିସ୍ତାନୀ ତାଲିବାନ ଏହି ବିସ୍ଫୋରଣ ଘଟାଇଥିବା କଥା ଏକ ବିବୃତିରେ କହିବା ସହ ଏହାକୁ ଏକ ଆତ୍ମଘାତୀ ଆକ୍ରମଣ ଭାବେ ଅଭିହିତ କରିଛି।