ନୂଆଦିଲ୍ଲୀ: ଚୀନ୍ ଦସ୍ତାବିଜ୍ରୁ ନିକଟରେ ପ୍ରଘଟ ହୋଇଥିବା ଏକ ଚାଞ୍ଚଲ୍ୟକର ତଥ୍ୟ ଏବେ ବିଶ୍ବସମୁଦାୟକୁ ସ୍ତବ୍ଧ କରିଦେଇଛି। ୨୦୧୯ ଡିସେମ୍ବର ମାସରେ ଚୀନ୍ର ଉହାନ ସହରରେ ଆବିର୍ଭୂତ ହୋଇଥିବା ମହାମାରୀ କୋଭିଡ୍-୧୯ପାଇଁ ଦାୟୀ ଅଭିନବ କରୋନାଭୂତାଣୁ ସାର୍ସ-କୋଭ-୨ର ଭିନ୍ନ ରୂପକୁ ଜୈବ ଅସ୍ତ୍ରରେ ପ୍ରୟୋଗ କରିବା ଲାଗି ଚୀନ୍ର ବରିଷ୍ଠ ସାମରିକ ବୈଜ୍ଞାନିକମାନେ ଆଲୋଚନା କରିଥିବା ଜଣାଯାଇଛି। ୨୦୧୫ ପ୍ରାରମ୍ଭରେ ସେମାନେ ଏ ବିଷୟରେ ବିଶଦ ଆଲୋଚନା କରିବା ସହ ଆଗାମୀ ତୃତୀୟ ବିଶ୍ବ ଯୁଦ୍ଧରେ କେବଳ ଏପରି ଜୈବବୋମା ବ୍ୟବହୃତ ହେବ ବୋଲି ମଧ୍ୟ ଭବିଷ୍ୟବାଣୀ କରିଥିଲେ। କୋଭିଡ୍ ଆବିର୍ଭାବ ହେବା ପୂର୍ବରୁ ଠିକ୍ ୫ ବର୍ଷ ତଳେ ଚୀନ୍ ବୈଜ୍ଞାନିକ ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ଦ୍ବାରା ଲିଖିତ ଏପରି ନଥିପତ୍ର ଆମେରିକାର ହସ୍ତଗତ ହୋଇଥିବା ଜଣାଯାଇଛି। ଏହି ଗବେଷଣାତ୍ମକ ସନ୍ଦର୍ଭରେ ଚୀନ୍ର ସାମରିକ ବିଶେଷଜ୍ଞ ଓ ସ୍ବାସ୍ଥ୍ୟ ବିଶେଷଜ୍ଞ ଏପରି ସାର୍ସ ଭୂତାଣୁ ବିନିଯୋଗରେ ଜୈବବୋମା ପ୍ରସ୍ତୁତିକୁ ଅଗ୍ରାଧିକାର ଦେଇଥିବା କଥା ନ୍ୟୁଜ୍.କମ୍.ଏୟୁ ନାମକ ଏକ ଅଷ୍ଟ୍ରେଲୀୟ ଖବର ସରବରାହ ସଂସ୍ଥାରେ ଚର୍ଚ୍ଚା ହେଉଛି।
'ଦି ଅନ୍ନାଚୁରାଲ୍ ଓରିଜିନ୍ ଅଫ୍ ସାର୍ସ ଆଣ୍ଡ୍ ନ୍ୟୁ ସ୍ପେସିଜ୍ ଅଫ୍ ମ୍ୟାନ୍-ମେଡ୍ ଭାଇରସେସ୍ ଆଜ୍ ଜେନେଟିକ୍ ବାୟୋଵିପନ୍ସ' ନାମକ ଉକ୍ତ ସନ୍ଦର୍ଭରେ ଚୀନ୍ ବୈଜ୍ଞାନିକମାନେ ପରବର୍ତ୍ତୀ ବିଶ୍ବଯୁଦ୍ଧ ଏପରି ଜୈବବୋମା ମାଧ୍ୟମରେ ହେବ ବୋଲି ଟିପ୍ପଣୀ କରିଥିଲେ। ଏପରିକି ସାର୍ସ ଭୂତାଣୁକୁ ସେମାନେ ଏକ ନୂଆ ଯୁଗର ଅସ୍ତ୍ର ଭାବେ ଆଖ୍ୟା ଦେବା ସହ ତାହାକୁ କୃତ୍ରିମ ଭାବରେ ବହୁଗୁଣିତ କରାଯାଇ ଏକ ଅଗ୍ରଣୀ ମାନବ ରୋଗର ଭୂତାଣୁ ଭାବେ ଛଡ଼ାଯାଇପାରିବ, ଯାହା କି ପୂର୍ବରୁ କେବେ ଦେଖାଦେଇନଥିବ ବୋଲି ଆଲୋଚନା କରିଥିଲେ। ଉକ୍ତ କଳ୍ପିତ ଜୈବାସ୍ତ୍ରର ବିଶେଷତ୍ବ ହେଉଛି, ଏଥିରେ ଥିବା ଭୂତାଣୁଗୁଡ଼ିକ ପ୍ରାକୃତିକ ଭାବେ ଉପଲବ୍ଧ ଭୂତାଣୁଙ୍କ ଠାରୁ ସମ୍ପୂର୍ଣ୍ଣ ନିଆରା ରହିବେ। ସେହିପରି ଏହାର ବ୍ୟବହାର କେବଳ ସାମରିକ କ୍ଷେତ୍ରରେ ସୀମିତ ନରହି ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ସ୍ତରରେ ରାଜନୈତିକ ତଥା ରଣନୀତିକ ସୁବିଧା ହାସଲ ପାଇଁ ସର୍ବସାଧାରଣରେ ମଧ୍ୟ ବିନିଯୋଗ କରି ଆତଙ୍କ ସୃଷ୍ଟି କରାଯାଇପାରିବ। ସୂଚନା ଥାଉ କି, ଅଭିନବ କରୋନାଭୂତାଣୁ ସାର୍ସ-କୋଭ୍-୨ ଚୀନ୍ ସରକାରଙ୍କ ଏକ ପରୀକ୍ଷାଗାରରେ ଉତ୍ପନ୍ନ ହୋଇଛି ବୋଲି ଦାବି କରିଥିବା ଚୀନ୍ର ଚକ୍ଷୁ ବିଶେଷଜ୍ଞ ଲି-ମେଙ୍ଗ୍ ୟାନ୍ ହିଁ ଉକ୍ତ ସନ୍ଦର୍ଭଟିକୁ ଇଂରାଜୀ ଭାଷାରେ ଅନୁବାଦ କରିଛନ୍ତି।