ନୂଆଦିଲ୍ଲୀ: ଦୀପାବଳିର ଦୁଇଦିନ ପରେ ବି ଦିଲ୍ଲୀର ଅନେକ ଅଞ୍ଚଳରେ ବାୟୁର ମାନ ‘ବିପଜ୍ଜନକ’ ସ୍ତରରେ ରହିଛି। ଏପରି କି ଆନନ୍ଦ ବିହାର ଓ ଫରିଦାବାଦ ଅଞ୍ଚଳରେ ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ୬୦୦ ଉପରେ ରହିଛି। ରାଜଧାନୀ ଅଞ୍ଚଳର ହାରାହାରି ଏକ୍ୟୁଆଇ ୪୫୬ ରହିଥିବା ସିଷ୍ଟମ୍ ଅଫ୍ ଏୟାର୍ କ୍ବାଲିଟି ଆଣ୍ଡ୍ ୱେଦର୍ ଫୋର୍କାଷ୍ଟିଂ ଆଣ୍ଡ୍ ରିସର୍ଚ୍ଚ (ଏସ୍ଏଏଫ୍ଏଆର୍)ର ଶନିବାର ସକାଳ ପର୍ଯ୍ୟନ୍ତ ତଥ୍ୟରୁ ଜଣାପଡ଼ିଛି। ଶନିବାର କନ୍ନଟପ୍ଲେସ୍ ଓ ଜନ୍ତରମନ୍ତରରେ ପିଏମ୍୧୦ ସ୍ତର ଯଥାକ୍ରମେ ୬୫୪ ଓ ୩୮୨ ରହିଥିଲା। ଏହି ସମୟରେ ପିଏମ୍୨.୫ ସ୍ତର କନ୍ନଟପ୍ଲେସ୍ରେ ୬୨୮, ଜନ୍ତରମନ୍ତର ନିକଟରେ ୩୪୧ ଏବଂ ଆଇଟିଓ ନିକଟରେ ୩୭୪ ଥିବା ସୂଚନା ମିଳିଛି। ବାୟୁବେଗ ବଢ଼ିବାକୁ ଥିବାରୁ ସ୍ଥିତିରେ ଆଉ କିଛି ଉନ୍ନତି ଆସିବା ଆଶା କରାଯାଉଛି। କିନ୍ତୁ ଉତ୍ତରପଶ୍ଚିମରୁ ବାୟୁ ପ୍ରବାହିତ ହେଉଥିବାରୁ ନଡ଼ାପୋଡ଼ି-ଜନିତ ପ୍ରଦୂଷଣ ଦିଲ୍ଲୀବାସୀଙ୍କୁ ସନ୍ତାପିତ କରିବ। କାରଣ ପଞ୍ଜାବ ଓ ହରିୟାଣାରେ ନଡ଼ାପୋଡ଼ି ସଂଖ୍ୟା ଓ ପରିମାଣ ବହୁତ ଅଧିକ ରହିଛି। ତେଣୁ ସୋମବାର ସୁଦ୍ଧା ବି ବାୟୁମାନରେ ବିଶେଷ ଉନ୍ନତି ଘଟିବା ଆଶା କରାଯାଉ ନାହିଁ। ଦୀପାବଳି ପରେ ରାଜଧାନୀର ଅନେକ ଅଞ୍ଚଳରେ ବାୟୁମାନ ‘ବିପଜ୍ଜନକ’ ସ୍ତରରେ ରହିଛି। ସ୍ମଗ୍ (କୁହୁଡ଼ିମିଶା ଧୂଆଁ)ର ଏକ ଚଦର ଶୁକ୍ରବାର ସକାଳେ ରାଜଧାନୀକୁ ଢାଙ୍କି ରହିଥିଲା। ବହୁଲୋକ ଗଳା କୁଣ୍ଡେଇ ହେବା, ଆଖିରୁ ପାଣି ବୋହିବା ଆଦି ଅଭିଯୋଗ କରିବା ଦେଖାଯାଇଥିଲା। ଜନପଥରେ ପାର୍ଟିକୁଲେଟ୍ ମ୍ୟାଟର (ପିଏମ୍) ୨.୫ର ଘନତା ୬୫୫.୦୭ ରହିଥିଲା।
ସୂଚନାଯୋଗ୍ୟ, ବାୟୁ ମାନ ସୂଚକାଙ୍କ ବା ଏକ୍ୟୁଆଇ ଶୂନ୍ୟରୁ ୫୦ ଭିତରେ ରହିଲେ ‘ଉତ୍ତମ’, ୫୧ରୁ ୧୦୦ ଭିତରେ ରହିଲେ ‘ସନ୍ତୋଷଜନକ’, ୧୦୧ରୁ ୨୦୦ ଭିତରେ ରହିଲେ ‘ମଧ୍ୟମ’, ୨୦୧ରୁ ୩୦୦ ଭିତରେ ରହିଲେ ‘ଖରାପ’, ୩୦୧ରୁ ୪୦୦ ଭିତରେ ରହିଲେ ‘ଅତି ଖରାପ’ ଏବଂ ୪୦୧ରୁ ୫୦୦ ଭିତରେ ରହିଲେ ‘ଅତି ବିପଜ୍ଜନକ’ ବୋଲି ବିଚାର କରାଯାଏ। କିନ୍ତୁ ଦିଲ୍ଲୀର କେତେକ ଅଂଚଳରେ ବର୍ତ୍ତମାନ ଏହା ୬୦୦ରୁ ଉପରେ ରହିଥିବା ଜଣାପଡ଼ିଛି।
ଦିଲ୍ଲୀ ବାୟୁ ଧୂମପାନଠାରୁ ଅଧିକ କ୍ଷତିକାରକ, ପ୍ରଦୂଷଣ ଯୋଗୁଁ ସଂକ୍ରମଣ ବଢ଼ିପାରେ
ନୂଆଦିଲ୍ଲୀ : ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତି ସାଂଘାତିକ ହୋଇଯାଇଛି। ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି, ଦିଲ୍ଲୀ ବାୟୁ ଧୂମପାନଠାରୁ ଅଧିକ କ୍ଷତିକାରକ। ଅଧ୍ୟୟନ କହୁଛି, ବାୟୁ ପ୍ରଦୂଷଣ ଯୋଗୁଁ ଦିଲ୍ଲୀ ବାସିନ୍ଦାଙ୍କ ଜୀବନକାଳ କମିଯାଉଛି। ଏଠାରେ ଅଧିକାଂଶ ଲୋକଙ୍କ ଫୁସଫୁସ୍ କଳା ପଡ଼ିଯାଉଛି। ଗୁଲେରିଆ କହିଛନ୍ତି, ଉତ୍ତର ଭାରତ ଗାଙ୍ଗେୟ ସମତଳ ଅଞ୍ଚଳରେ ପ୍ରଦୂଷଣର ମାତ୍ରା ଅତ୍ୟନ୍ତ ଅଧିକ ରହିଛି। ଦୀପାବଳିରେ ବାଣ ଫୁଟାଇବାଠାରୁ ଆରମ୍ଭ କରି ଉତ୍ସବରେ ଅଧିକ ଗାଡ଼ି ଚାଲୁଥିବାରୁ ସଂକ୍ରମଣ ବଢ଼ିଯାଇଛି। ଦିଲ୍ଲୀରେ ବାୟୁର ମାନ ସ୍ତର ଅତି ସାଂଘାତିକ ହୋଇଯାଇଛି। ୩ ବର୍ଷ ମଧ୍ୟରେ ଦିଲ୍ଲୀରେ ପିଏମ୍ ୨.୫ ସର୍ବାଧିକ ରହିଛି। ଗୁଲେରିଆ କହିଛନ୍ତି, ପ୍ରଦୂଷଣ ଯୋଗୁଁ ସଂକ୍ରମଣ ବଢ଼ିପାରେ। ପ୍ରଦୂଷଣ ଅଞ୍ଚଳରେ କୋଭିଡ୍ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଜଟିଳ ହୋଇଯାଉଛି। ରୋଗୀଙ୍କ ଫୁସଫୁସ୍ ଫୁଲି ଯାଉଛି ବୋଲି ସେ କହିଛନ୍ତି।
ପ୍ରଦୂଷଣ ରୋକିବା ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ
ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରଦୂଷଣସ୍ତର ଅତି ବିପଜ୍ଜନକ ସ୍ତରକୁ ଚାଲି ଯାଇଥିବାରୁ ଦିଲ୍ଲୀ ସରକାର ପ୍ରଦୂଷଣ ରୋକିବାପାଇଁ କିଛି ଜରୁରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଦିଲ୍ଲୀ ସରକାର ରାସ୍ତାମାନଙ୍କରେ ପାଣି ଛିଞ୍ଚିବାପାଇଁ ୧୧୪ ପାଣି ଟ୍ୟାଙ୍କର ମୁତୟନ କରିଛନ୍ତି। ସରକାର ୯୨ଟି ନିର୍ମାଣ ସ୍ଥଳ ବନ୍ଦ କରିଦେଇଛନ୍ତି। ଉକ୍ତ ସଂସ୍ଥାଗୁଡ଼ିକ ନିୟମ ଉଲ୍ଳଂଘନ କରିଥିବା ଜଣାପଡ଼ିଛି। ପ୍ରଦୂଷଣ ବଢ଼ୁଥିବା ବେଳେ ନଡ଼ାପାଳ ଜାଳିବାଦ୍ବାରା ଏହା ପ୍ରଦୂଷଣକୁ ଅଧିକ ବଢ଼ାଇ ଦେଉଛି। ଗତକାଲି ୩୫୦୦ ସ୍ଥାନରେ ନଡ଼ାପାଳ ଜଳାଯାଇଥିବା ବେଳେ ଆଜି ୪ ହଜାରରୁ ଅଧିକ ନଡ଼ାପାଳ ଜାଳିବା ଘଟଣା ଦେଖିବାକୁ ମିଳିଛି। ପ୍ରଦୂଷଣ ସୃଷ୍ଟିକାରୀ ସଂସ୍ଥାନଗୁଡ଼ିକୁ ଆଜି ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଏହା ବ୍ୟତୀତ ଯାନବାହନ ପ୍ରଦୂଷଣକୁ ରୋକିବା ପାଇଁ ଆଗକୁ କିଭଳି ପଦକ୍ଷେପ ନିଆଯିବ ସେ ଦିଗରେ ମଧ୍ୟ ଆଲୋଚନା ହୋଇଛି।