ଲଣ୍ଡନ : କୋଭିଡ୍‌ର ଓମିକ୍ରନ୍‌ ପ୍ରଜାତି ଦ୍ବାରା ଏବେ ବିଶ୍ବବ୍ୟାପୀ ଦ୍ରୁତ ସଂକ୍ରମଣ ହେଉଥିଲେ ମଧ୍ୟ ଏହା ସାଂଘାତିକ ସ୍ଥିତି ସୃଷ୍ଟି କରିବ ନାହିଁ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଓମିକ୍ରନ୍‌ ପ୍ରଜାତି ପୂର୍ବ ପ୍ରଜାତିଗୁଡ଼ିକ ତୁଳନାରେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଥିବାର କୌଣସି ପ୍ରମାଣ ନାହିଁ। ଏହା ଅତି ସାମାନ୍ୟ ଭାବେ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ବ୍ରି‌ଟେନ୍‌ରେ ହୋଇଥିବା ୨ଟି ଅଧ୍ୟୟନ ରିପୋର୍ଟ ଆଧାରରେ ବୈଜ୍ଞାନିକମାନେ ଏଭଳି ମତ ରଖିଛନ୍ତି।

Advertisment

ଓମିକ୍ରନ୍‌କୁ ନେଇ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି ଯେ, ବ୍ରିଟେନ୍‌ରେ ଓମିକ୍ରନ୍‌ ଆକ୍ରାନ୍ତ ହୋଇଥିବା ରୋଗୀମାନେ ହସ୍ପିଟାଲରେ ଭର୍ତ୍ତିହୋଇ ଚିକିତ୍ସିତ ହେବା ଆଶଙ୍କା ୧୫-୨୦ ପ୍ରତିଶତ କମ୍‌ ରହୁଛି। ଅନ୍ୟପକ୍ଷରେ, ଡେଲ୍‌ଟା ତୁଳନାରେ ଓମିକ୍ରନ୍‌ ଆକ୍ରାନ୍ତ ହେଲେ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି ହେବା ସ୍ଥିତି ୪୦-୫୦ ପ୍ରତିଶତ କମ୍‌ ରହୁଛି। ଓମିକ୍ରନ୍‌ ଡେଲ୍‌ଟାଠାରୁ କମ୍‌ ସାଂଘାତିକ। କିନ୍ତୁ ଏହା ଡେଲ୍‌ଟାଠାରୁ ଅଧିକ ସଂକ୍ରାମକ। ଟିକା ନେଇଥିଲେ ବି ଓମିକ୍ରନ୍‌ ଟିକା ସୁରକ୍ଷାରୁ ଖସି ଯାଉଛି। ଡେଲ୍‌ଟା ତୁଳନାରେ ଓମିକ୍ରନ୍‌ ୭୦ ଗୁଣା‌ ଦ୍ରୁତ ଗତିରେ ମାଡ଼ି ଚାଲିଥିଲେ ବି ଏହାକୁ ନେଇ ଆତଙ୍କର କୌଣସି କାରଣ ନାହିଁ ବୋଲି କୁହାଯାଇଛି।

ସ୍କଟ୍‌ଲାଣ୍ଡ୍‌‌ରେ ହୋଇଥିବା ଏକ ପୃଥକ୍‌ ଅଧ୍ୟୟନରୁ ଜଣାପଡ଼ିଛି ଯେ ଡେଲ୍‌ଟା ତୁଳନାରେ ଓମିକ୍ରନ୍‌ ଯୋଗୁଁ ହସ୍ପିଟାଲ୍‌ରେ ଭର୍ତ୍ତି ୭୦ ପ୍ରତିଶତ କମ୍‌ ରହୁଛି। ନଭେମ୍ବର ୨୩ରୁ ଡିସେମ୍ବର ୧୯ ମଧ୍ୟରେ ହସ୍ପିଟାଲ ତଥ୍ୟ ଆକଳନ କରି ଏହା କୁହାଯାଇଛି। ଡିସେମ୍ବର ଆରମ୍ଭରୁ ସଂକ୍ରମଣ ତଥ୍ୟ ଆକଳନରୁ ଜଣାପଡ଼ିଛି ଯେ ଏହି ସମୟରେ ୫୬ ହଜାର ଓମିକ୍ରନ୍‌ ମାମଲା ଥିବା‌‌ବେଳେ ୨୬୯,୦୦୦ ଡେଲ୍‌ଟା ମାମଲା ରହିଛି। ବ୍ରିଟେନ୍‌ରେ ଗତକାଲି ସଂକ୍ରମଣ ପ୍ରଥମ ଥର ପାଇଁ ୧ ଲକ୍ଷ ଟପିଯାଇଛି। ଓମିକ୍ରନ୍‌ ଯୋଗୁଁ ବ୍ରିଟେନରେ ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଅନ୍ୟପକ୍ଷରେ, ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍‌ ମାମଲା କମୁଛି।