‘ଡିୟର ନରେନ୍ଦ୍ର…’ ୭୦ ତମ ଜନ୍ମଦିନରେ ପିଏମ୍‌ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ବିଶ୍ୱର ବହୁ ନାମୀଦାମୀ ନେତା

ନୂଆଦିଲ୍ଲୀ: ଜର୍ମାନୀର ଚାନସେଲର ଆଞ୍ଜେଲା ମର୍କେଲ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ, ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସନ୍ନା ମାରିନଙ୍କ ଠାରୁ ଆରମ୍ଭ କରି ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ପର୍ଯ୍ୟନ୍ତ ବିଶ୍ୱର ବହୁ ନାମୀଦାମୀ ବିଶ୍ୱ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ତାଙ୍କର ୭୦ ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଡିୟର ନରେନ୍ଦ୍ର ବୋଲି ସମ୍ବୋଧନ କରି ଜର୍ମାନ ଚାନେ୍‌ସଲର କହିଛନ୍ତି ଯେ ଗତ ବର୍ଷ ହୋଇଥିବା ଭାରତ-ଜର୍ମାନ ଆନ୍ତଃରାଷ୍ଟ୍ରୀୟ ସାକ୍ଷାତ ଆଲୋଚନାକୁ ନେଇ ଅନେକ ମଧୁର ଅନୁଭୂତି ଏବେବି ତାଙ୍କର ମନେ ଅଛି। ଭବିଷ୍ୟତ ପାଇଁ ମଧ୍ୟ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି- ବିଶେଷତଃ ବର୍ତ୍ତମାନର ଏହି ଅସ୍ୱାଭାବିକ ସମୟରେ।

ଜର୍ମାନୀର ଚାନ୍‌ସେଲର ଏକ ପତ୍ରରେ ‘ଡିଅର ନରେନ୍ଦ୍ର…’ ବୋଲି ସମ୍ବୋଧନ ପୂର୍ବକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଲେଖିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଆମେ ଭାରତ ଏବଂ ଜର୍ମାନୀ ମଧ୍ୟରେ ପାରମ୍ପରିକ ଭାବରେ ରହିଥିବା ଭଲ ସମ୍ପର୍କକୁ ଆହୁରି ଦୃଢ଼ କରିବାରେ ସଫଳ ହୋଇଛୁ। ଚାନସେଲର ମର୍କେଲ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଜନୈତିକ ସଫଳତା ମଧ୍ୟ କାମନା କରିଛନ୍ତି।

ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଗୁରୁତ୍ୱ ଦିଅନ୍ତି ଏବଂ ଭାରତକୁ ସାମାଜିକ- ଅର୍ଥନୈତିକ, ବୈଜ୍ଞାନିକ ଏବଂ ବୈଷୟିକ ବିକାଶ ପଥରେ ଆଗେଇ ଯିବା ପାଇଁ ଆପଣଙ୍କ ସହ ଗଠନମୂଳକ କଥାବାର୍ତ୍ତା ଜାରି ରଖିବାକୁ ଅପେକ୍ଷା କରିଛି ଏବଂ ଦ୍ୱିପାକ୍ଷିକ ତଥା ଆନ୍ତର୍ଜାତୀୟ ଏଜେଣ୍ଡାର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମିଳିତ ଭାବରେ କାର୍ଯ୍ୟ କରିବା ପାଇଁ ଲକ୍ଷ୍ୟ ରଖିଛି। ମୋର ହୃଦୟର ଗଭୀରତମ ପ୍ରଦେଶରୁ ମୁଁ ଆପଣଙ୍କ ଭଲ ସ୍ୱାସ୍ଥ୍ୟ ସହ ସୁଖ, ସୁସ୍ଥତା ଏବଂ ସଫଳତା କାମନା କରୁଛି।

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କର ବନ୍ଧୁ ବୋଲି ସମ୍ବୋଧନ କରି ଜନ୍ମଦିନ ଅଭିନ୍ଦନ ଜଣାଇଛନ୍ତି ଏବଂ ଶୀଘ୍ର ତାଙ୍କୁ ଭେଟିବାକୁ ଆଶା ପ୍ରକଟ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସନ୍ନା ମାରିନ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଗଭୀର କରିବାର ଅନେକ ସମ୍ଭାବନା ଅଛି।

ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ମଧ୍ୟ ତାଙ୍କ ୭୦ ତମ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଭାରତ ଏବଂ ନେପାଳ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଦୁଇ ନେତା ମିଳିତ ଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର