ସପ୍ତମ ବେତନ କମିସନ ସୁପାରିସ : କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୩% ବଢ଼ିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ନୂତନ ଆର୍ଥିକ ବର୍ଷ ଆସିବା ପୂର୍ବରୁ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ କେନ୍ଦ୍ର ସରକାର ଏକ ବଡ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିଛନ୍ତି। ଏଥର ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ପାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା (ଡିଏ)ର ଅତିରିକ୍ତ କିସ୍ତି ପ୍ରଦାନ କରିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏଥିସହିତ କେନ୍ଦ୍ର ସରକାରଙ୍କ ଅଧୀନରେ ସମସ୍ତ ପେନସନଭୋଗୀମାନଙ୍କୁ ମହଙ୍ଗା ସହାୟତା (ଡିଆର)ର ଅତିରିକ୍ତ କିସ୍ତି ମଧ୍ୟ ପ୍ରଦାନ କରିବାକୁ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି। ଉଭୟ ଡିଏ ଏବଂ ଡିଆର ଆଉ ୩ ପ୍ରତିଶତ ବୃଦ୍ଧି କରାଯାଇଛି। ସମସ୍ତ କେନ୍ଦ୍ରୀୟ କର୍ମଚାରୀମାନେ ଜାନୁଆରି ୧, ୨୦୨୨ରୁ ବର୍ଦ୍ଧିତ ମହଙ୍ଗା ଭତ୍ତାର ଲାଭ ପାଇବେ। କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ୩୪ପ୍ରତିଶତ ମହଙ୍ଗା ଭତ୍ତା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ୩୧ପ୍ରତିଶତ ମହଙ୍ଗା ଭତ୍ତା ଦିଆଯାଉଥିଲା।

indiatoday

କେନ୍ଦ୍ରୀୟ କର୍ମଚାରୀମାନେ ଆସନ୍ତା ମାସର ବେତନରେ ମହଙ୍ଗା ଭତ୍ତାର ବର୍ଦ୍ଧିତ ଅଂଶ ପାଇବେ। ଏହା ସହିତ ଏପ୍ରିଲ ମାସରେ କର୍ମଚାରୀମାନଙ୍କୁ ସେମାନଙ୍କର ଶେଷ ୩ ମାସର ସମସ୍ତ ବକେୟା ମଧ୍ୟ ଦିଆଯିବ। ଏକ ଆକଳନ ଅନୁଯାୟୀ, ମହଙ୍ଗା ଭତ୍ତାର ବୃଦ୍ଧି ସରକାରଙ୍କ ଖର୍ଚ୍ଚ ଉପରେ ବାର୍ଷିକ ୧୦,୦୦୦କୋଟି ଟଙ୍କା ଅତିରିକ୍ତ ବୋଝ ପକାଇବ। ଏହାଦ୍ବାରା ୪୭.୬୮ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୮.୬୨ ଲକ୍ଷ ପେନସନଭୋଗୀ ଉପକୃତ ହେବେ।

ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ମୁଦ୍ରାସ୍ଫୀତିର ପ୍ରଭାବରୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବଢ଼ାଇଥିବା ଜଣାପଡ଼ିଛି। କେନ୍ଦ୍ର ସରକାରୀ କର୍ମଚାରୀମାନେ ବର୍ତ୍ତମାନ ୩୧ ପ୍ରତିଶତ ମହଙ୍ଗା ଭତ୍ତ‌ା ପାଉଛନ୍ତି। ସପ୍ତମ ବେତନ କମିସନର ସୁପାରିଶ ଅନୁଯାୟୀ ସରକାର ମହଙ୍ଗା ଭତ୍ତ‌ାକୁ ୩ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ସହିତ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବର୍ତ୍ତମାନ ୩୪ ପ୍ରତିଶତ ହେବ |

ସମ୍ବନ୍ଧିତ ଖବର