ନୂଆଦିଲ୍ଲୀ: ଭାରତ ପାଇଁ ପ୍ରଦୂଷଣ ଏବେ ଭୟଙ୍କର ସମସ୍ୟା ସୃଷ୍ଟି କରିଛି। ବିଭିନ୍ନ ପ୍ରକାର ପ୍ରଦୂଷଣଜନିତ ସ୍ୱାସ୍ଥ୍ୟ ସଙ୍କଟ ଯୋଗୁଁ ଦେଶରେ ୨୫ ଲକ୍ଷ ଲୋକ ୨୦୧୫ରେ ମୃତ୍ୟୁ ମୁଖରେ ପଡ଼ିଥିବା ‘ଲାନ୍୍ସେଟ କମିସନ ଅନ୍ ପଲ୍ୟୁସନ ଆଣ୍ଡ୍ ହେଲ୍୍ଥ’ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ କୁହାଯାଇଛି। ପ୍ରଦୂଷଣ ମୃତ୍ୟୁରେ ବିଶ୍ୱରେ ଭାରତର ସ୍ଥାନ ପ୍ରଥମ ବୋଲି ଏଥିରେ ଦର୍ଶାଯାଇଛି। ପ୍ରଦୂଷଣ ଯୋଗୁଁ ସମଗ୍ର ବିଶ୍ୱରେ ୨୦୧୫ରେ ୯୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ବିଶ୍ୱରେ ଯୁଦ୍ଧ ଓ ହିଂସା ଯୋଗୁଁ ଯେତିକି ଲୋକ ମରିଛନ୍ତି ପ୍ରଦୂଷଣ ମୃତ୍ୟୁ ତା’ଠାରୁ ଯଥେଷ୍ଟ ଅଧିକ। ୨୦୧୫ରେ ଭାରତରେ କେବଳ ୨୫ ଲକ୍ଷ ଲୋକ ପଦୂଷଣ ମୃତ୍ୟୁର ଶିକାର ହୋଇଛନ୍ତି। ବିଶ୍ୱରେ ପ୍ରଦୂଷଣ ମୃତ୍ୟୁ ସଂଖ୍ୟା ଯକ୍ଷ୍ମା, ମ୍ୟାଲେରିଆ ଏବଂ ଏଡ୍୍ସର ମିଳିତ ମୃତ୍ୟୁ ସଂଖ୍ୟାଠାରୁ ମଧ୍ୟ ଅଧିକ ବୋଲି ରିପୋର୍ଟରେ କୁହାଯାଇଛି । ଭାରତ ପରେ ଚୀନ୍ରେ ସର୍ବାଧିକ ପ୍ରଦୂଷଣଜନିତ ମୃତ୍ୟୁ ଘଟିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏଠାରେ ୧୮ ଲକ୍ଷ ଲୋକ ପ୍ରଦୂଷଣ ଯୋଗୁଁ ମୃତ୍ୟୁ ମୁଖରେ ପଡ଼ିଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ପ୍ରଦୂଷଣ ମୃତ୍ୟୁର ଶିକାର ହୋଇଥିବା ଲୋକଙ୍କ ମଧ୍ୟରୁ ୯୨ ପ୍ରତିଶତ ମୃତ୍ୟୁ ନିମ୍ନ ଆୟବର୍ଗର ଦେଶରେ ଘଟିଥିବା ବେଳେ ଏ ବାବଦ ସଙ୍କଟ ପ୍ରତିବର୍ଷ ବଢ଼ିବାରେ ଲାଗିଛି। ପ୍ରଦୂଷଣ ଯୋଗୁଁ ଲୋକେ ହୃଦୟ, ମସ୍ତିଷ୍କ, ଶ୍ୱାସ ଏବଂ ଚର୍ମ ରୋଗର ଶିକାର ହୋଇଥାନ୍ତି। ପାଣି, ପବନଠାରୁ ଆରମ୍ଭ କରି ମାଟି ପର୍ଯ୍ୟନ୍ତ ପ୍ରଦୂଷଣସ୍ତର ବୃଦ୍ଧି ପାଉଥିବାରୁ ଲୋକଙ୍କ ସ୍ୱାସ୍ଥ୍ୟସଙ୍କଟ ମଧ୍ୟ ବଢ଼ି ଚାଲିଛି । ବିଶ୍ୱରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ଯେତିକି ଲୋକଙ୍କ ମୃତ୍ୟୁ ଘଟୁଛି ତା’ଠାରୁ ୬ ଗୁଣ ଲୋକ ପ୍ରଦୂଷଣଜନିତ ସ୍ୱାସ୍ଥ୍ୟ ସମସ୍ୟାରେ ପ୍ରାଣ ହରାଉଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି ।
ଶିଳ୍ପ ବିକାଶକୁ ପ୍ରାଧାନ୍ୟ ଦେଉଥିବା ଭାରତ, ପାକିସ୍ତାନ, ଚୀନ୍, ବାଂଲାଦେଶ ଆଦି ରାଷ୍ଟ୍ରରେ ଏବେ ପ୍ରଦୂଷଣ ଲୋକଙ୍କ ପାଇଁ ମୃତ୍ୟୁଦୂତ ହୋଇ ଆସିଛି । ପ୍ରଦୂଷଣ ରୋକିବା ପାଇଁ ଯେଭଳି ଧ୍ୟାନ ଦିଆଯିବା ଆବଶ୍ୟକ ତାହା ଦେଖିବାକୁ ମିଳୁନାହିଁ। ଏହି ସଙ୍କଟକୁ ବିଭିନ୍ନ ରାଷ୍ଟ୍ର ଅଣଦେଖା କରିଚାଲିଥିବାରୁ ଆଗକୁ ଏହା ଆହୁରି ଭୟଙ୍କର ରୂପ ନେବ ବୋଲି ଆଶଙ୍କା କରାଯାଉଛି । ଜଗତୀକରଣର ଯୁଗରେ ଖଣି ଖନନ, ନିର୍ମାଣ କାର୍ଯ୍ୟ, ଶିଳ୍ପ ବିକାଶ, ପରିବେଶ ବିରୋଧୀ ଭିତ୍ତିଭୂମିର ବିକାଶ କାର୍ଯ୍ୟକୁ ପ୍ରାଥମିକତା ଦେଲାବେଳେ ଏ ବାବଦ ବିନାଶଲୀଳା ପ୍ରତି ସରକାରମାନେ ଉଦାସୀନ ରହିଥାନ୍ତି। ଭାରତରେ ପ୍ରଦୂଷଣ ରୋକିବା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଫଳପ୍ରଦ ହୋଇପାରୁ ନାହିଁ। ଦିଲ୍ଲୀ ସହରରେ ପ୍ରଦୂଷଣସ୍ତରକୁ କମାଇବା ପାଇଁ ଏଥର ଦୀପାବଳିରେ ବାଣ ବିକ୍ରି ନିଷିଦ୍ଧ କରାଯାଇଥିଲା। ତେବେ ସାଂଘାତତିକ ସ୍ଥିତିରେ ପହଞ୍ଚିଥିବା ଦିଲ୍ଲୀର ପ୍ରଦୂଷଣରେ ଏହା ବିଶେଷ ଫରକ ପକାଇ ନାହିଁ।