ମୃତ୍ୟୁ ବି ଏମିତି ଆସେ: ରାସ୍ତାରେ ଯିବାବେଳେ କାର ଉପରେ ଖସିପଡିଲା ପଥର, ଦୁଇ ଭାଇଙ୍କର ମୃତ୍ୟୁ

ସିମଲା: ମୃତ୍ୟୁ ବି ଏମିତି ଆସେ | ରାସ୍ତାରେ ଯିବାବେଳେ ପାହାଡ଼ ଉପରୁ ଅଚାନକ କାର ଉପରେ ଖସିପଡିଲା ବିଶାଳ ପଥର | ଆଉ ଏହି ଦୁର୍ଘଟଣାରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ | ଏଭଳି ଏକ ଦୁଃଖଦ ଘଟଣା ହିମାଚଳ ପ୍ରଦେଶର କୁପଭି-ଦେୟା ରାସ୍ତାରେ ଘଟିଛି | ଦୁର୍ଘଟଣାରେ ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଗାଡିରେ ଥିବା ଦୁଇଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଥିବାବେଳେ ମୃତକମାନେ ଏକ ବିବାହ କାର୍ଯ୍ୟକ୍ରମ ସାରି ଅଲ୍ଟୋ କାର (ଏଚପି୦୮ସି୪୮୦୦) ରେ ଫେରୁଥିଲେ |

ପାହାଡିଆ ରାସ୍ତାରେ ଆସୁଥିବାବେଳେ ହଠାତ ଏକ ପଥର ପାହାଡ ଉପରୁ ଖସି ଆସି କାର ଉପରେ ପଡିଥିଲା | ଆଉ କାର ସାମ୍ନାରେ ବସିଥିବା ଦୁଇ ଜଣ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା | ପୁଲିସ କହିଛି ଯେ ମୃତକ ଦୁଇ ଜଣ ସମ୍ପର୍କୀୟ ଭାଇ ହୋଇଥିବାବେଳେ ଏମାନେ ହିମାଚଳ ପ୍ରଦେଶର ସିମଲା ଜିଲ୍ଲାର ସନତ ଗାଁରେ ରହୁଥିଲେ | ମୃତକ ଦୁଇ ଭାଇଙ୍କର ନାମ ସୁନୀଲ କୁମାର ଶର୍ମା ଓ ପ୍ରକାଶ ଚନ୍ଦ୍ର ଶର୍ମା ବୋଲି ଜଣାପଡିଛି |

ଆହତ ହୋଇଥିବା ଦୁଇ ଜଣ ମହିଳାଙ୍କ ନାମ ସୁମନ ଓ ଗୁଲାବୀ ହୋଇଥିବାବେଳେ ଉଭୟ ସୁନୀଲ ଓ ପ୍ରକାଶଙ୍କର ପତ୍ନୀ ବୋଲି ଜଣାପଡିଛି | ତେବେ ମହିଳାଙ୍କ ଅବସ୍ଥା ଗୁରୁତର ଥିବାର ଜଣାପଡିଛି | ଏହି ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି |

ସମ୍ବନ୍ଧିତ ଖବର