ଗୁରୁଗ୍ରାମ୍: ଆତ୍ମହତ୍ୟା ଆଜିକାଲି ଯେପରି ଏକ ଫେସନରେ ପରିଣତ ହୋଇଗଲାଣି। ଗୁରୁଗ୍ରାମର ଜଣେ ୨୫ ବର୍ଷିୟ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଯେଉଁଭଳି ଭାବେ ନିଜ ଜୀବନ ହାରିଛନ୍ତି ତାହା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଜାଣିବାକୁ ମିଳିଛି ଯେ ଯୁବକ ଜଣକ ଏକ ଫ୍ଲାଟ୍ରେ ହିଲିୟମ ଗ୍ୟାସ୍ ନିଶ୍ୱାସ ନେବା ପରେ ଆତ୍ମହତ୍ୟା କରିଛନ୍ତି। ଯୁବକଙ୍କ ନାମ ଧୀରଜ କଂସଲ। ସେ କେବଳ ନିଜ ଜୀବନ ହାରିବା ପାଇଁ ଜୁଲାଇ ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଏକ ଫ୍ଲାଟ୍ ବୁକ୍ କରିଥିଲେ। ତେବେ କେବଳ ସେତିକି ନୁହେଁ; ସେ ଜୀବନ ହାରିବାର ସବୁଠାରୁ ସହଜ ଉପାୟ ଆପଣେଇଥିଲେ। ଆଉ କେଉଁ ଉପାୟରେ ଜୀବନ ହାରିଲେ କଷ୍ଟ ଲାଗିବ ବୋଲି ଚିନ୍ତା କରି ସେ ୩,୫୦୦ ଟଙ୍କାରେ ହିଲିୟମ କିଣି ତା’ ଗନ୍ଧକୁ ନିଶ୍ବାସ ନେଇ ମୃତ୍ୟୁକୁ ଆଲିଙ୍ଗନ କରିଥିଲେ।
ପୁଲିସ କହିଛି ଯେ, ପଦକ୍ଷେପ ନେବା ପୂର୍ବରୁ କଂସଲ ଫେସବୁକରେ ଏକ ଲମ୍ବା ଭାବପ୍ରବଣ ନୋଟ୍ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଲେଖିଛନ୍ତି: "ମୃତ୍ୟୁ ମୋ ପାଇଁ ଜୀବନର ସବୁଠାରୁ ସୁନ୍ଦର ଅଂଶ। ଦୟାକରି ମୋ ମୃତ୍ୟୁ ପାଇଁ ଦୁଃଖିତ ହୁଅନ୍ତୁ ନାହିଁ। ଆତ୍ମହତ୍ୟା ଭୁଲ ନୁହେଁ କାରଣ ମୋ ଉପରେ କୌଣସି ଦାୟିତ୍ୱ ନାହିଁ।"
ସେ ସ୍ପଷ୍ଟ କରିଥିଲେ ଯେ ତାଙ୍କ ନିଷ୍ପତ୍ତି ପାଇଁ "କାହାକୁ ଦୋଷ ଦିଆଯିବା ଉଚିତ୍ ନୁହେଁ", ସେ ଆହୁରି ମଧ୍ୟ କହିଥିଲେ, "ଏହା କେବଳ ମୋର ନିଜସ୍ବ ନିଷ୍ପତ୍ତି ଥିଲା। ମୋ ଜୀବନରେ ମୁଁ ଯେଉଁମାନଙ୍କୁ ଭେଟିଥିଲି, ପ୍ରତ୍ୟେକ ବ୍ୟକ୍ତି ମୋ ପ୍ରତି ପ୍ରକୃତରେ ଦୟାଳୁ ଥିଲେ। ତେଣୁ ମୁଁ ପୁଲିସ ଏବଂ ସରକାରଙ୍କୁ ଅନୁରୋଧ କରୁଛି ଯେ ଦୟାକରି ଏଥିପାଇଁ କାହାକୁ ବିଚଳିତ କରନ୍ତୁ ନାହିଁ।"
ତାଙ୍କ ପୋଷ୍ଟରେ, କଂସଲ ଆହୁରି ବି କହିଛନ୍ତି ଯେ ତାଙ୍କର କୌଣସି ଅନୁତାପ ନାହିଁ। ସେ କହିଛନ୍ତି ଯେ, "ଏହା ମୋର ପସନ୍ଦ, ମୋ ଜୀବନ ଏବଂ ମୋର ନିୟମ।" ସେ ତାଙ୍କ ଅସ୍ତିତ୍ୱକୁ "ମିଛ" ବୋଲି ବର୍ଣ୍ଣନା କରିଥିଲେ ଏବଂ କହିଥିଲେ ଯେ ସେ ଏହି ପୃଥିବୀରେ ଆଉ ଥରେ ଜନ୍ମ ନେବାକୁ ଚାହାଁନ୍ତି ନାହିଁ। ସେ ଗଭୀର ଆତ୍ମ-ଘୃଣା ମଧ୍ୟ ପ୍ରକାଶ କରିଥିଲେ। କହିଥିଲେ ଯେ ସେ ନିଜକୁ ଘୃଣା କରୁଥିଲେ ଏବଂ ନିଜକୁ "ପରାଜିତ" ବୋଲି ଅନୁଭବ କରୁଥିଲେ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛଇ କଂସଲଙ୍କ ବାପାଙ୍କ ଦେହାନ୍ତ ହୋଇ ଯାଇଥିଲା ଓ ତାଙ୍କ ମାଆ ଅନ୍ୟତ୍ର ବିବାହ କରିଥିଲେ। ତାଙ୍କର କୌଣସି ଭାଇଭଉଣୀ ବି ନଥିଲେ। ଯାହାଫଳରେ ସେ ଖୁବ୍ ଏକାକୀ ଅନୁଭବ କରୁଥିଲେ। ତାହା ହିଁ ତାଙ୍କ ଆତ୍ମହତ୍ୟାର କାରଣ ହୋଇଥାଇପାରେ।