ଆଇଜଲ: ମଣିପୁରର ଜିରିବାମରେ ନଭେମ୍ବର ୧୧ ତାରିଖରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୧୦ ଜଣ ସଶସ୍ତ୍ର ଉଗ୍ରପନ୍ଥୀ ନିହତ ହୋଇଥିଲେ। ଏହି ଘଟଣାକୁ ନେଇ ବୁଧବାର ପଡ଼ୋଶୀ ଦକ୍ଷିଣ ଆସାମ ଓ ମିଜୋରାମରେ ଉତ୍ତେଜନା ପ୍ରକାଶ ପାଇଛି। ସିଲଚର ମେଡିକାଲ କଲେଜ(ଏସ୍ଏମ୍‌ସି ବାହାରେ ଆଦିବାସୀ ସଂଗଠନଗୁଡ଼ିକ ଏକତ୍ରିତ ହୋଇ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥିବା ବେଳେ ଏନ୍‌ଡିଏର ପୂର୍ବତନ ସହଯୋଗୀ ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମ୍ଏନ୍ଏଫ୍) ଏହି କାର୍ଯ୍ୟାନୁଷ୍ଠାନକୁ ‘ନ୍ୟାୟବିହୀନ ହତ୍ୟା’ ବୋଲି କହିଛି। 

Advertisment

ସିଆର୍‌ପିଏଫ୍‌ ଦ୍ବାରା ‘ଅନ୍ୟାୟ ହତ୍ୟା’ ଅଭିଯୋଗ କଲା ଏମ୍‌ଏନ୍‌ଏଫ୍‌

ଏସ୍ଏମ୍‌ସି ଡାକ୍ତରମାନେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ନିହତ ୧୦ ଜଣ ଉଗ୍ରପନ୍ଥୀଙ୍କ ମଧ୍ୟରୁ ୬ ଜଣଙ୍କ ଶବ ବ୍ୟବଚ୍ଛେଦ ଶେଷ କରିଥିଲେ ଏବଂ ଅବଶିଷ୍ଟ ବ୍ୟବଚ୍ଛେଦ ପରଦିନ ହେବାକୁ ସ୍ଥିର ହୋଇଥିଲା। ବୁଧବାର ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଥିବା ଆଦିବାସୀ ବିକ୍ଷୋଭକାରୀଙ୍କ ଅସନ୍ତୋଷ ବଢ଼ିବା ସହ ଭିଡ଼ର ଆକାର ମଧ୍ୟ ବଢ଼ିଥିଲା। ସଂଧ୍ୟା ସୁଦ୍ଧା ବିକ୍ଷୋଭକାରୀମାନେ ବ୍ୟବଚ୍ଛେଦରେ କାହିଁକି ବିଳମ୍ବ ହେଉଛି ଜଣାଇବା ପାଇଁ ଦାବି କରି ସ୍ଲୋଗାନ ଦେଇଥିଲେ। ତେଣେ ଆଇଜଲରେ ଏମ୍‌ଏନ୍‌ଏଫ୍‌ ନିହତ ୧୦ ଜଣ ଯବାନଙ୍କୁ ‘ସହିଦ ହିରୋ’ ବୋଲି ଘୋଷଣା କରିଛି, ଯାହା କୁକି-ଜୋ ଆଣ୍ଡ୍ ହମାର ସଂଗଠନର ଦାବିକୁ ପ୍ରତିଫଳିତ କରିଛି। ସିଆର୍‌ପିଏଫ୍‌-ପୁଲିସର ଏକ ଯୁଗ୍ମ ଟିମ୍ ‘ଗ୍ରାମ ସ୍ୱେଚ୍ଛାସେବୀ’ଙ୍କୁ ହତ୍ୟା କରି ସେମାନଙ୍କୁ ଉଗ୍ରପନ୍ଥୀ ଆଖ୍ୟା ଦେଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଆମେ ସିଆର୍‌ପିଏଫ୍‌ର କାର୍ଯ୍ୟକଳାପ ଓ ଏହାର ଭେଦଭାବପୂର୍ଣ୍ଣ ଆଚରଣକୁ ନିନ୍ଦା କରୁଛୁ ବୋଲି ଏମ୍‌ଏନ୍‌ଏଫ୍‌ କହିଛି। ସିଲଚରରୁ ମୃତଦେହଗୁଡ଼ିକୁ ମିଜୋରାମ ଦେଇ ସେମାନଙ୍କ ଘରକୁ ନିଆଯିବ। ଜିରିବାମରେ ବିସ୍ଥାପିତ ମୈତେୟୀ ଲୋକଙ୍କ ଆଶ୍ରୟସ୍ଥଳୀରୁ ୩ ମହିଳା ଓ ଅନେକ ଶିଶୁଙ୍କୁ ଅପହରଣ କରାଯାଇଥିବା ଅଭିଯୋଗରେ  ୧୩ଟି ନାଗରିକ ଅଧିକାର ସଂଗଠନ ଗତକାଲି ମଣିପୁରରେ ବନ୍ଦ ପାଳନ କରିଥିଲା।

ନୂଆ ଅଂଚଳରେ ସ୍ବତନ୍ତ୍ର ଆଇନ ଲାଗୁ

ଇମ୍ଫାଲ/ନୂଆଦିଲ୍ଲୀ: ଜାତିଗତ ହିଂସା ପ୍ରଭାବିତ ମଣିପୁରର ଅଧିକ ଉତ୍ତେଜନାପ୍ରବଣ ଅଞ୍ଚଳରେ ସୁରକ୍ଷା ବାହିନୀକୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାର ପୁଣି ସ୍ବତନ୍ତ୍ର ସୁରକ୍ଷା ଆଇନ ଲାଗୁ କରିଛନ୍ତି। ସୋମବାର ସୁରକ୍ଷା ବାହିନୀ ସହ ଏନ୍‌କାଉଣ୍ଟରରେ ୧୦ ଜଣ ସନ୍ଦିଗ୍ଧ କୁକି ଉଗ୍ରପନ୍ଥୀ ନିହତ ହୋଇଥିବା ଜିରିବାମ ସମେତ ୬ଟି ଥାନା ଅଞ୍ଚଳରେ ସଶସ୍ତ୍ର ବାହିନୀର ସ୍ବତନ୍ତ୍ର କ୍ଷମତା ଆଇନ(ଏଏଫ୍‌ଏସ୍‌ପିଏ) ପୁନଃ ଲାଗୁ କରାଯାଇଛି ।  ଉଗ୍ରପନ୍ଥୀମାନେ ମୈତେୟୀ ସମ୍ପ୍ରଦାୟର ୩ ଜଣ ମହିଳା ଓ ୩ ଜଣ ଶିଶୁଙ୍କୁ ଅପହରଣ କରିଥିବାରୁ ବ୍ୟାପକ ତଲାସୀ ଅଭିଯାନ ଜାରି ରହିଛି।

ଏଏଫ୍‌ଏସ୍‌ପିଏ ସେନାକୁ  ଅଶାନ୍ତ ଅଞ୍ଚଳ ଘୋଷଣା କରାଯାଇଥିବା ଯେ କୌଣସି ସ୍ଥାନରେ ମୁକ୍ତ ଭାବରେ କାର୍ଯ୍ୟ କରିବାକୁ ବ୍ୟାପକ କ୍ଷମତା ପ୍ରଦାନ କରେ। ଆଫପ୍‌ସା ଲାଗୁ ହୋଇଥିବା ଅଞ୍ଚଳରେ କେନ୍ଦ୍ରର ବିନା ଅନୁମତିରେ କୌଣସି ସାମରିକ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ। ଆଫପ୍‌ସା ପୁନର୍ଗଠନ ଦ୍ୱାରା ସୁରକ୍ଷା ବାହିନୀ ସରକାରଙ୍କ ସହ କୌଣସି ଅସ୍ତ୍ରବିରତି ଚୁକ୍ତି ସ୍ୱାକ୍ଷର କରିନଥିବା ସଶସ୍ତ୍ର ଗୋଷ୍ଠୀମାନଙ୍କୁ ମୁକ୍ତ ଭାବରେ ନିୟୋଜିତ କରିବାକୁ ଅନୁମତି ଦେବ । ଏହା ପୂର୍ବରୁ ମଣିପୁରର ୧୯ଟି ଥାନା ଅଞ୍ଚଳରେ ସ୍ଥିତି ସ୍ବାଭାବିକ ହୋଇଥିବାରୁ ସେଠାରୁ ଏଏଫ୍‌ଏସ୍‌ପିଏ ପ୍ରତ୍ୟାହାର କରାଯାଇଥିଲା।  ନିକଟରେ ହିଂସା ବୃଦ୍ଧି ପାଇବା ପରେ ବିବାଦୀୟ ଆଇନକୁ  ୬ଟି ଥାନା ଅଞ୍ଚଳକୁ ଫେରାଇ ଅଣାଯାଇଛି। ସୂଚନାଯୋଗ୍ୟ, କୁକି-ଜୋ ଜନଜାତିର ପ୍ରାୟ ୨୪ଟି ବିଦ୍ରୋହୀ ଗୋଷ୍ଠୀ ମଧ୍ୟ ଅଛନ୍ତି ଯେଉଁମାନେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହ ଅସ୍ତ୍ରବିରତି ସ୍ୱାକ୍ଷର କରିଛନ୍ତି, ଯାହାକୁ ଅପରେସନ୍ ସସ୍‌ପେନସନ୍ ଚୁକ୍ତି କୁହାଯାଏ। ଚୁକ୍ତିରେ କୁହାଯାଇଛି ଯେ ବିଦ୍ରୋହୀମାନେ ନିର୍ଦ୍ଧାରିତ ଶିବିରରେ ରହିବେ ଏବଂ ସେମାନଙ୍କ ଅସ୍ତ୍ରଶସ୍ତ୍ରକୁ ବନ୍ଦ ଭଣ୍ଡାରରେ ରଖାଯିବ ଏବଂ ସେମାନଙ୍କ ଉପରେ ନିୟମିତ ନଜର ରଖାଯିବ।