ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ବିଦେଶ ସଚିବ, ବିଶିଷ୍ଟ କୂଟନୀତିଜ୍ଞ ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ହେନରି କିସିଞ୍ଜରଙ୍କ ଆଜି ‌ପରଲୋକ ହୋଇଛି। ତାଙ୍କୁ ୧୦୦ ବର୍ଷ ହୋଇଥିଲା। ଶୀତଳ ଯୁଦ୍ଧ ସମୟରେ କିସିଞ୍ଜର ଆମେରିକାର ଧ୍ରୁବୀକରଣ ନୀତି ଆପଣାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ହେନରିଙ୍କ ମୃତ୍ୟୁରେ ବିଶ୍ବର ବରିଷ୍ଠ ନେତୃବୃନ୍ଦ ଶୋକବ୍ୟକ୍ତ କରିଛନ୍ତି।

Advertisment

୧୯୨୩ ମସିହା ମେ’ ୨୭ରେ ସେ ଜର୍ମାନୀର ଫର୍ଥରେ ଜନ୍ମ ହୋଇଥିଲେ। ତାଙ୍କର ମୂଳନାମ ଥିଲା ହିଞ୍ଜ୍‌ ଆଲଫ୍ରେଡ୍ କିସିଞ୍ଜର। ତାଙ୍କୁ ୧୨ ବର୍ଷ ହୋଇଥିବା ବେଳେ ଜର୍ମାନୀର ନ୍ୟୁରେମବର୍ଗ ଆଇନ ବଳରେ ଜର୍ମାନୀରେ ବସବାସ କରୁଥିବା ଇହୁଦୀମାନଙ୍କର ନାଗରିକତା ଚାଲି ଯାଇଥିଲା। ନ୍ୟୁୟର୍କରେ ବାସ କରୁଥିବା ତାଙ୍କର ଜଣେ ସଂପର୍କୀୟଙ୍କ ସହଯୋଗରେ ତାଙ୍କ ପରିବାର ୧୯୩୮ ଅଗଷ୍ଟରେ ଆମେରିକା ପଳାଇଥିଲେ। ତାହା ପରେ ସେ ହେନରି ନାମରେ ପରିଚିତ ହୋଇଥିଲେ। ଆମେରିକାର ପୂର୍ବତନ ବିଦେଶ ସଚିବ ହେନରି ରାଷ୍ଟ୍ରପତି ନିକ୍ସନ ଓ ଫୋର୍ଡଙ୍କ ସମୟରେ ଜାତୀୟ ସୁରକ୍ଷା ପରାମର୍ଶଦାତା ପଦରେ କାର୍ଯ୍ୟ କରିଥିଲେ। ନିକ୍ସନଙ୍କ ସମୟରେ ଆମେରିକାର ବିଦେଶ ସଚିବ ଥିବାବେଳେ ସେ ବିଶ୍ବର ବିଭିନ୍ନ କ୍ରାନ୍ତିକାରୀ ଘଟଣାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ। ଜର୍ମାନୀରେ ଜନ୍ମିତ ଇହୁଦୀ ଶରଣାଥୀ ହେନରିଙ୍କ ପାଇଁ ଚୀନ ସହିତ କୂଟନୈତିକ ରାସ୍ତା ଖୋଲିଥିଲା।

ଏଥିସହିତ ଆମେରିକା ଏବଂ ସୋଭିଏତ ରୁଷ୍‌ ମଧ୍ୟରେ ଅସ୍ତ୍ର ନିୟନ୍ତ୍ରଣ ଆଲୋଚନା ହୋଇଥିଲା। ଇସ୍ରାଏଲ ଏବଂ ଏହାର ଆରବ ପଡ଼ୋଶୀ ଦେଶଗୁଡ଼ିକ ସହିତ ସଂପର୍କ ବଢ଼ିଥିଲା। ଉତ୍ତର ଭିଏତନାମ ସହିତ ପ୍ୟାରିସ ଶାନ୍ତି ରାଜିନାମା ମଧ୍ୟ ହୋଇଥିଲା। ଭିଏତନାମ ଯୁଦ୍ଧ ବନ୍ଦ ପାଇଁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧରେ ନିକ୍ସନ ଓ କିସିଞ୍ଜର ପାକିସ୍ତାନ ପଟକୁ ଢଳିବା କାରଣରୁ ସେମାନଙ୍କୁ ପ୍ରବଳ ସମାଲୋଚନା କରାଯାଇଥିଲା। ଭାରତୀୟମାନଙ୍କୁ କିସିଞ୍ଜର ଜାରଜ ବୋଲି ମଧ୍ୟ କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ଏଥିପାଇଁ ଦୁଃଖ ପ୍ରକାଶ କରିଥିଲେ।