ଶେଷ ସୋଭିଏତ ନେତା ଗୋର୍ବାଚୋଭଙ୍କ ପରଲୋକ

ମସ୍କୋ: ଶେଷ ‌ସୋଭିଏତ ନେତା ମିଖାଇଲ ଗୋର୍ବାଚୋଭଙ୍କର ୯୧ ବର୍ଷ ବୟସରେ ପରଲୋକ ଘଟିଛି। ଗୋର୍ବାଚୋଭ ମସ୍କୋର ଏକ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ବିଂଶ ଶତାବ୍ଦୀର ଜଣେ ପ୍ରମୁଖ ବ୍ୟକ୍ତିତ୍ବ ହେଉଛନ୍ତି ଗୋର୍ବାଚୋଭ। ୧୯୮୫ରୁ ୧୯୯୧ ପର୍ଯ୍ୟନ୍ତ ସେ ସୋଭିଏତ ସଂଘର ରାଷ୍ଟ୍ରପତି ଥିଲେ। ଦ୍ବିତୀୟ ବିଶ୍ବଯୁଦ୍ଧ ପରଠାରୁ ଆମେରିକା ସହିତ ଅତି ଜଟିଳ ଓ ତିକ୍ତ ସଂପର୍କ ସ‌ତ୍ତ୍ବେ ବିନା ରକ୍ତପାତରେ ସେ ‌ଶୀତଳ ଯୁଦ୍ଧ ଶେଷ କରିବା‌ରେ ନିର୍ଣ୍ଣାୟକ ଭୂମିକା ନେଇଥିଲେ। ଜଣେ ସୋଭିଏତ ନେତା ଭାବେ ତାଙ୍କ ସଂସ୍କାର ତାଙ୍କ ଦେଶକୁ ବଦଳାଇ ଦେଇଥିଲା ଏବଂ ପୂର୍ବ ୟୁରୋପକୁ ସୋଭିଏତ ଶାସନରୁ ମୁକ୍ତ ହେବାପାଇଁ ଅନୁମତି ଦେଇଥିଲା। ତେବେ ସୋଭିଏତ ସଂଘକୁ ଏକଜୁଟ ରଖିବାରେ ଗୋର୍ଭାଚୋଭ ବିଫଳ ହୋଇଥିଲେ ଏବଂ ୧୫ ଡିସେମ୍ବର ୧୯୯୧ରେ ଏହି ବିଶାଳ ରାଷ୍ଟ୍ର ବିଭାଜିତ ହୋଇ ୧୫ଟି ନୂଆ ରାଷ୍ଟ୍ର ଗଠନ ହୋଇଥିଲା। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏ ବାବଦରେ ଥରେ କହିଥିଲେ ସୋଭିଏତ ସଂଘର ବିଭାଜନ ‘ଐତିହାସିକ ରୁଷ୍‌’ର ବିଭାଜନ ଥିଲା ଏବଂ ଆମେ ସଂପୂର୍ଣ୍ଣ ଭିନ୍ନ ରାଷ୍ଟ୍ରରେ ପରିଣତ ହେଇଗଲୁ। ଆମ ପୂର୍ବପୁରୁଷମାନେ ଯାହା ନିର୍ମାଣ କରିଥିଲେ ଆମେ ତାହାକୁ ନଷ୍ଟ କରିଦେଲୁ।

୧୯୯୦‌ରେ ଗୋର୍ବାଚୋଭ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ। ଗୋର୍ବାଚୋଭ ରାଷ୍ଟ୍ରପତି ହେବା ସମୟରେ ସୋଭିଏତ ସଂଘର ଅର୍ଥବ୍ୟବସ୍ଥା ଭୁଶୁଡ଼ିବା ଅବସ୍ଥାରେ ରହିଥିଲା ଏବଂ ରାଜନୈତିକ ବ୍ୟବସ୍ଥା ଉପରୁ ମଧ୍ୟ ଲୋକେ ଅସ୍ଥା ହରାଇଥିଲେ। ଏଭଳି ସ୍ଥିତିକୁ ଦେଖି ଗୋର୍ବାଚୋଭ ଦୁଇଟି ନୀତି ଲାଗୁ କରିଥିଲା ତାହା ଥିଲା- ପେରେସ୍ତ୍ରୋଇକା (ଲୋକଙ୍କ କାମ କରିବାର ସ୍ବାଧୀନତା) ଏବଂ ଗ୍ଲାସନୋସ୍ତ (ରାଜନୈତିକ ଏବଂ ଅର୍ଥ ବ୍ୟବସ୍ଥାରେ ସ୍ବଚ୍ଛତା)। ତେବେ ଏହି ନୀତିକୁ ତାଙ୍କ ନିଜର କମ୍ୟୁନିଷ୍ଟ ପାର୍ଟିରେ ବି ବିରୋଧ କରାଯାଇଥିଲା ଏବଂ ଏହି ନୀତିର ସୁଫଳ ଜନସାଧାରଣଙ୍କୁ ମିଳିନଥିଲା। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଗୋର୍ବାଚୋଭଙ୍କ ସମ୍ପର୍କ ଏକ ସମୟ‌ରେ ଅତି ଜଟିଳ ଥିଲା। କିନ୍ତୁ ଗୋର୍ବାଚୋଭଙ୍କ ପରଲୋକରେ ପୁଟିନ ଆଜି ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ସେ ଜଣେ ଅତି ବିରଳ ନେତା ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର