ନୂଆଦିଲ୍ଲୀ: ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ନିଯୁକ୍ତ ହୋଇଥିବା ପ୍ରଥମ ମହିଳା ବିଚାରପତି ଜଷ୍ଟିସ୍ ଏମ୍ ଫାତିମା ବିବିଙ୍କର ଗୁରୁବାର ୯୬ ବର୍ଷ ବୟସରେ ପରଲୋକ ହୋଇଯାଇଛି। କୌଣସି ଉଚ୍ଚ ଅଦାଲତରେ ନିଯୁକ୍ତ ହେବାରେ ସେ ହେଉଛନ୍ତି ପ୍ରଥମ ମୁସଲମାନ ମହିଳା ବିଚାରପତି। ୧୯୫୦ ମସିହା ଜାନୁଆରି ୨୬ ତାରିଖରେ ସୁପ୍ରିମ୍କୋର୍ଟ ପ୍ରତିଷ୍ଠା ହେବା ପରଠାରୁ ଖୁବ୍ କମ୍ ମହିଳା ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଛି। ଏମ୍ ଫାତିମା ବିବିଙ୍କଠାରୁ ଆରମ୍ଭ କରି ୭୧ ବର୍ଷ ମଧ୍ୟରେ ମାତ୍ର ୮ ଜଣ ମହିଳା ବିଚାରପତିଙ୍କୁ ନିଯୁକ୍ତି ମିଳିଛି।
ଏମ୍ ଫାତିମା ବିବି ୧୯୨୭ ମସିହା ଏପ୍ରିଲ ୩୦ ତାରିଖରେ କେରଳରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ପିତା ତାଙ୍କୁ ଆଇନ ପଢ଼ିବା ପାଇଁ ଉତ୍ସାହିତ କରିଥିଲେ। ୧୯୫୦ ମସିହାରେ ସେ ବାର୍ କାଉନସିଲ ପରୀକ୍ଷାରେ ପ୍ରଥମ ମହିଳା ଭାବେ ବାର୍ କାଉନସିଲ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଫାତିମା କେରଳରେ ଜଣେ ଓକିଲ ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ୧୯୭୪ରେ ଜିଲ୍ଲା ଓ ଦୌରା ଜଜ୍ ହୋଇଥିଲେ। ୧୯୮୦ରେ ସେ ଆୟକର ଆପେଲେଟ ଟ୍ରିବ୍ୟୁନାଲରେ ଯୋଗ ଦେଇଥିଲେ ଏବଂ ୧୯୮୩ରେ ହାଇକୋର୍ଟ ବିଚାରପତି ଭାବରେ ନିଯୁକ୍ତି ପାଇଥିଲେ। ୧୯୮୯ ମସିହାରେ ସେ ସୁପ୍ରିମ୍କୋର୍ଟରେ ନିଯୁକ୍ତି ପାଇଥିବା ପ୍ରଥମ ମହିଳା ଭାବେ ଇତିହାସ ରଚିବା ସହ ୧୯୯୨ ଏପ୍ରିଲ ୨୯ ତାରିଖରେ ଅବସର ନେଇଥିଲେ। ଅବସର ନେବା ପରେ ତାମିଲନାଡୁର ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପୂର୍ବରୁ ସେ ପ୍ରଥମେ ଜାତୀୟ ମାନବାଧିକାର ଆୟୋଗର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ। ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ୪ ଜଣ ଦୋଷୀ କଏଦୀଙ୍କ କ୍ଷମା ଆବେଦନକୁ ଖାରଜ କରିବା ପରେ ସେ ତାମିଲନାଡୁର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ।